33.1 C
Bhubaneswar
Friday, July 11, 2025
Homeଓଡିଶାଡେଙ୍ଗୁ ଓ ମ୍ୟାଲେରିଆ ଉପରେ ଆଗୁଆ ସତର୍କତା ଓ ସଚେତନତା ଉପରେ ଫୋକସ

ଡେଙ୍ଗୁ ଓ ମ୍ୟାଲେରିଆ ଉପରେ ଆଗୁଆ ସତର୍କତା ଓ ସଚେତନତା ଉପରେ ଫୋକସ

ଭୁବନେଶ୍ୱର: ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର ସମୀକ୍ଷା ବୈଠକରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ରାଜ୍ୟରେ ଜଳବାହିତ ଓ ବାହକବାହିତ ରୋଗର ସ୍ଥିତି ସମୀକ୍ଷା କରିଥିଲେ I ଉକ୍ତ ସମୀକ୍ଷା ବୈଠକରେ ଜଳବାହିତ ରୋଗ ଯଥା ଡାଇରିଆ, ଜଣ୍ଡିସ ଏବଂ ବାହକବାହିତ ରୋଗ ଯଥା ମ୍ୟାଲେରିଆ ଏବଂ ଡେଙ୍ଗୁ ନିୟନ୍ତ୍ରଣ ନିମିତ୍ତ ନିଆଯାଉଥିବା ପଦକ୍ଷପ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା I

ରାଜ୍ୟରେ ମ୍ୟାଲେରିଆ ପ୍ରବଣ ଜିଲ୍ଲା ଯଥା ବୌଦ୍ଧ, ଗଜପତି, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ମାଲକାନଗିରି, ରାୟଗଡା ଓ ମୟୁରଭଞ୍ଜରେ ମ୍ୟାଲେରିଆ ନିରାକରଣ ନିମିତ୍ତ ବର୍ଷ ୨୦୨୪-୨୦୨୫ରେ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ କରାଯାଇଛି l ଏହାସହିତ ୧୨ ଗୋଟି ଜ଼ିଲ୍ଲାରେ କୀଟନାଶକ ସିଞ୍ଚନ ଚାଲୁରହିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଅଶ୍ଵତୀ ଏଶ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ l ଗତବର୍ଷ ବାଲେଶ୍ୱର, ଖୋର୍ଦ୍ଧା, ସୁନ୍ଦରଗଡରେ ଡେଙ୍ଗୁ ରୋଗ ଦେଖାଇଯାଇଥିଲା I ତେଣୁ ଆଗୁଆ ସତର୍କତା ସହ ମ୍ୟାଲେରିଆ ଓ ଡେଙ୍ଗୁ ରୋଗର ନିରାକରଣ ଓ ନିୟନ୍ତ୍ରଣ ନିମିତ୍ତ ବ୍ୟାପକ ଜନଚେତନତା ସହିତ ନିଦାନ ଓ ଚିକିତ୍ସା ସୁନିଶ୍ଚିତ କରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦେଶ ଦେଇଥିଲେ I ଏହାସହିତ ମ୍ୟାଲେରିଆ, ଡେ଼ଙ୍ଗୁ ଓ ଡାଇରିଆ ଭଳି ରୋଗ ନିବାରଣ ପାଇଁ ସୂଚନା-ଶିକ୍ଷା-ସଂଚାର ଦ୍ବାରା ବ୍ୟାପକ ଜନସଚେତନାତା ସୃଷ୍ଟି କରାଯିବା ଉପରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ I ଜୁନ ୨୩ ପର୍ଯ୍ୟନ୍ତ ସର୍ବମୋଟ ୩୧୪୪୯ ଜଣଙ୍କର ଡେଙ୍ଗୁ ପରୀକ୍ଷା କରାଯାଇଛି l

ସେ ମଧ୍ୟରୁ ୧୮୮ ଜଣଙ୍କର ଡେଙ୍ଗୁ ପଜିଟିଭ ବାହାରିଛି l ବର୍ତ୍ତମାନ ଅଧିକରୁ ଅଧିକ ଡେଙ୍ଗୁ ପରୀକ୍ଷା ସହ ଉପଯୁକ୍ତ ଚିକିତ୍ସା ଜାରି ରଖିବାପାଇଁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l ଏହି ବୈଠକରେ ମାନ୍ୟବର ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ରାଜ୍ୟରେ ମାତୃମୃତ୍ୟୁ ହାର, ଶିଶୁ ମୃତ୍ୟୁହାରର ସ୍ଥିତି ବିଷୟରେ ମଧ୍ୟ ସମୀକ୍ଷା କରିଥିଲେ ଏବଂ ଏହାକୁ ପ୍ରାଧାନ୍ୟତା ଭିତ୍ତିରେ ମନିଟରିଂ କରିବାକୁ ପରାମର୍ଶ ଦେଇଥିଲେ l ଛଅଟି ଜିଲ୍ଲାରେ ଡାଏରିଆ ପରିସ୍ଥିତିରେ ଆସିଥିବା ସୁଧାର ବିଷୟରେ ଅବଗତ ହୋଇ ସେ ସନ୍ତୋଷ ବ୍ୟକ୍ତ କରିଥିଲେ l ଉକ୍ତ ବୈଠକରେ ବିଭାଗୀୟ ଶାସନ ସଚିବ, ସ୍ୱତନ୍ତ୍ର ଶାସନ ସଚିବ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ନିର୍ଦେଶକ, ନିର୍ଦ୍ଦେଶକ (ପରିବାର କଲ୍ୟାଣ), ଅତିରିକ୍ତ ନିର୍ଦ୍ଦେଶକ (ଜନସ୍ୱାସ୍ଥ୍ୟ ) ଏବଂ ଅତିରିକ୍ତ ନିର୍ଦ୍ଦେଶକ (ବାହକ ବାହିତ ରୋଗ) ଓ ଅନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ I

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking