27.1 C
Bhubaneswar
Monday, December 8, 2025
Homeଓଡିଶାଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପ୍ରସଙ୍ଗ: ନ୍ୟାୟିକ ତଦନ୍ତ ଦାବିକଲା କଂଗ୍ରେସ

ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପ୍ରସଙ୍ଗ: ନ୍ୟାୟିକ ତଦନ୍ତ ଦାବିକଲା କଂଗ୍ରେସ

ରାଜ୍ୟ ମହିଳା କମିଶନ ଥିଲେ ହୁଏତ ଏପରି ହୋଇ ନଥାନ୍ତା: ଶ୍ରୀକାନ୍ତ
ନିଜ ଛାମୁଆ ସଂଗଠନର ସଭ୍ଯାଙ୍କୁ ସୁରକ୍ଷା ଦେବାରେ ବିଫଳ ବିଜେପି ନେତା ଡାକ୍ତରଖାନା ଯାଉଛନ୍ତି କାହିଁକି: ଜୟଦେବ
ମହିଳା ବାଚସ୍ପତି ସମ୍ବେଦନଶୀଳ ହୁଅନ୍ତୁ: ରାମଚନ୍ଦ୍ର

ଭୁବନେଶ୍ୱର: ବାଲେଶ୍ବର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମାହୁତି ପ୍ରସଙ୍ଗରେ କେବଳ ସମ୍ପୃକ୍ତ ଦୋଷୀ ଅଧ୍ୟାପକ ନୁହେଁ, ମୂଳରୁ ଚୁଳ ଯାଏ ଅନ୍ଯ ସମସ୍ତେ ଚରମ ଦାୟିତ୍ବହୀନତା ଦେଖାଇଛନ୍ତି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ତିନିଜଣ ଅଧ୍ୟାପକ, କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ, ସ୍ଥାନୀୟ ବିଧାୟକ ଓ ସାଂସଦ, ରାଜ୍ଯ ଶିକ୍ଷାମନ୍ତ୍ରୀ ଏପରିକି ଖୋଦ ମୁଖ୍ୟମନ୍ତ୍ରୀ ମଧ୍ଯ ଘଟଣାର ତଦନ୍ତ ପରିସରଭୁକ୍ତ ହେବା ବିଧେୟ। ତେଣୁକରି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏହି ଘଟଣାର ନ୍ୟାୟିକ ତଦନ୍ତ ଦାବି କରାଯାଇଛି। ନଚେତ ହାଇକୋର୍ଟର ଜଣେ ବିଚାରପତିଙ୍କ ତତ୍ତ୍ବାବଧାନରେ ସିବିଆଇକୁ ମଧ୍ଯ ତଦନ୍ତ ଭାର ଅର୍ପଣ କରାଯାଇ ପାରିବ ବୋଲି ସୋମବାର ମଧ୍ୟାହ୍ନରେ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତୃବୃନ୍ଦ ଦାବି କରିଛନ୍ତି।

ପିସିସିର ମିଡିଆ ସେଲ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅରବିନ୍ଦ ଦାସଙ୍କ ସଂଯୋଜନାରେ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ପୁର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ଜେନା କହିଥିଲେ, ରାଜ୍ଯ ସରକାର ଯଦି ମହିଳା ଆୟୋଗ ଗଠନ କରିଥାନ୍ତେ ହୁଏତ ଏପରି ଦୁର୍ଭାଗ୍ଯଜନକ ଘଟଣା ଘଟିନଥାନ୍ତା। ଘଟଣାର ବହୁଦିନ ପୂର୍ବରୁ ଛାତ୍ରୀଜଣକ ଉଚ୍ଚଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ଜାତୀୟ ମହିଳା କମିଶନଙ୍କୁ ଅଧ୍ୟାପକଙ୍କ ଯୌନ ଆବେଦନ ଓ ମାନସିକ ନିର୍ଯାତନା ନେଇ ଟୁଇଟ୍ ମଧ୍ଯ କରିଥିଲେ। ରାଜ୍ଯ ମହିଳା କମିଶନ ଥିଲେ ଏହି ପ୍ରସଙ୍ଗରେ ହୁଏତ ପୁଲିସ ଡିଜିଙ୍କୁ ଜବାବ ଦେବାପାଇଁ କହିଥାନ୍ତେ। ତେଣୁକରି ମୁଖ୍ୟମନ୍ତ୍ରୀ ମଧ୍ଯ କାଠଗଡାରେ। ଉକ୍ତ ଛାତ୍ରୀଙ୍କ ଟୁଇଟ୍ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଦିଆ ଯାଇଥିଲା ନା ନାହିଁ? ଯଦି ନାହିଁ ଯେଉଁମାନେ ଜଣାଇ ନଥିଲେ, ସେମାନଙ୍କୁ ତୁରନ୍ତ ବରଖାସ୍ତ କରାଯିବା ଉଚିତ ନୁହେଁକି? ଏହି ପ୍ରସଙ୍ଗରେ ପୁର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ଜୟଦେବ ଜେନା କହିଥିଲେ, ଉକ୍ତ ଅଧ୍ୟାପକଙ୍କର କଳଙ୍କିତ ଅତୀତ ରହିଥିବାରୁ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ଥିଲା।

ଆଶ୍ଚର୍ଯ୍ୟର କଥା, ଏବିଭିପି କାର୍ଯ୍ଯକର୍ତ୍ତାଙ୍କ ପ୍ରତି ଅତ୍ଯାଚାର ହେଲା, ଅଥଚ ଖୋଦ୍ ବିଜେପିର ସାଂସଦ ଓ ବିଧାୟକ ତାଙ୍କୁ ସୁରକ୍ଷା ଦେଇ ପାରିଲେନି। ଏବେ କଣ ପାଇଁ ବିଜେପିର ନେତାମାନେ ଡାକ୍ତରଖାନା ଯାଉଛନ୍ତି? ରାଜ୍ଯରେ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ବିରୋଧରେ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଆରମ୍ଭ କରିଥିବା ଆନ୍ଦୋଳନ ଆଗକୁ ମଧ୍ଯ ଚାଲିବ ବୋଲି ଶ୍ରୀଯୁକ୍ତ ଜେନା ସୁଚନା ଦେଇଥିଲେ। ଓଡ଼ିଶାର ଝିଅ ହୋଇଥିବାରୁ ନିଜ ଦୁଇ ଦିନିଆ ଓଡ଼ିଶା ଗ୍ରସ୍ତ ବେଳେ ସମୟ ବାହାର କରି ପିସିସିର ପ୍ରତିନିଧିଦଳକୁ ରାଷ୍ଟ୍ରପତି ସମୟ ଦେବେ ବୋଲି ଶ୍ରୀଯୁକ୍ତ ଜେନା ଆଶା ପ୍ରକାଶ କରିଥିଲେ। ଏହି ସମ୍ବେଦନଶୀଳ ଘଟଣାର ଗୁରୁତ୍ୱ ହୃଦୟଙ୍ଗମ ପୁର୍ବକ ଗଣମାଧ୍ୟମର ପ୍ରତିନିଧିମାନେ ଅହୋରାତ୍ର ଏମସ୍ ବର୍ଣ୍ଣ ସେଣ୍ଟର ନିକଟରେ ଉପସ୍ଥିତ ରହୁଥିବାରୁ ସେ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ କହିଥିଲେ ବିଧାନସଭାରେ ଆମେ ମହିଳା ନିର୍ଯାତନା ପ୍ରସଙ୍ଗ ଉଠାଇବାରୁ ଆମେ ସମସ୍ତେ ମହିଳା ବାଚସ୍ପତିଙ୍କ ଦ୍ବାରା ନିଲମ୍ବିତ ହୋଇଥିଲୁ। ଆଶାକରୁଛୁ ଏହି ଘଟଣାରେ ବାଚସ୍ପତି ସମ୍ବେଦନଶୀଳ ହେବେ। ନିଜ ସଂଗଠନର ଜଣେ ମହିଳା କାର୍ଯ୍ଯକର୍ତ୍ତାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଏବିଭିପି କର୍ମୀମାନେ ତାଙ୍କୁ ଏମସ୍ ପରିସରରେ ବାଧା ଉପୁଯାଇବା ଘୋର ନିନ୍ଦନୀୟ ବୋଲୀ ଶ୍ରୀଯୁକ୍ତ କାଡାମ କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking