14.1 C
Bhubaneswar
Sunday, December 7, 2025
Homeଓଡିଶାଜୀବନ ଯୁଦ୍ଧରେ ହାରିଗଲେ ଏଫ୍ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ

ଜୀବନ ଯୁଦ୍ଧରେ ହାରିଗଲେ ଏଫ୍ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ

ଭୁବନେଶ୍ବର: ଏମ୍‌ସରେ ଦୀର୍ଘ ୫୫ଘଣ୍ଟାର ଜୀବନ ମରଣ ସହ ଲଢ଼େଇ କରିବା ପରେ ହାରିଯାଇଛନ୍ତି ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ ବିଏଡ୍‌ ଦ୍ବିତୀୟ ବର୍ଷର ଛାତ୍ରୀ ସୌମ୍ୟାଶ୍ରୀ ବିଶି(୨୦)। ଭୁବନେଶ୍ବର ଏମ୍‌ସର ବର୍ଣ୍ଣ ବିଭାଗର ଆଇସିୟୁର ଭେଣ୍ଟିଲେଟର ଜରିଆରେ ଚିକିତ୍ସାଧୀନ ସୌମ୍ୟାଶ୍ରୀଙ୍କର ସୋମବାର ରାତି ୧୧ଟା ୪୬ମିନିଟ୍‌ରେ ମୃତ୍ୟୁ ଘଟିଛି। ୮ଜଣିଆ ବିଶେଷଜ୍ଞ ଡାକ୍ତରଙ୍କ ସକଳ ପ୍ରଚେଷ୍ଟା ସତ୍ତ୍ବେ ଛାତ୍ରୀଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରିନାହିଁ। ମୃତ୍ୟୁ ପରେ ଶବକୁ ବିଳମ୍ବିତ ରାତିରେ କଡ଼ା ସୁରକ୍ଷା ମଧ୍ୟରେ ବ୍ୟବଚ୍ଛେଦ କରାଯାଇଛି। ସୌମ୍ୟାଶ୍ରୀଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକପ୍ରକାଶ କରିବା ସହ ଦୁଃଖିତ ଓ ମର୍ମାହତ ବୋଲି କହିଛନ୍ତି। ପରିବାରବର୍ଗକୁ ଗଭୀର ସମବେଦନା ଜଣାଇଛନ୍ତି। ଏମ୍‌ସ ପକ୍ଷରୁ ଜାରୀ ସୂଚନା ଅନୁସାରେ ସୌମ୍ୟାଶ୍ରୀଙ୍କୁ ଦୁଇ ଦିନ ତଳେ ଅର୍ଥାତ ୧୨ତାରିଖ ଦିନ ବାଲେଶ୍ବର ଜିଲା ହସ୍‌ପିଟାଲରୁ ସନ୍ଧ୍ୟା ୫ଟା ୧୫ମିନିଟ୍‌ରେ ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯିବା ସହ ଆବଶ୍ୟକ ଉନ୍ନତ ଚିକିତ୍ସା କରାଯାଉଥିଲା। ତେବେ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଥିବାରୁ ତାଙ୍କ କିଡ୍‌ନୀ, ଫୁସ୍‌ଫୁସ୍‌ ଓ ଲିଭର ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା। ଦିଲ୍ଲୀ ଏମ୍‌ସ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ତାଙ୍କର ଡାଏଲିସିସ୍‌ କରାଯାଉଥିଲା। ଅବସ୍ଥା ଆରମ୍ଭରୁ ସଙ୍କଟାପନ୍ନ ରହିଥିଲା। ତାଙ୍କର ଆରୋଗ୍ୟ କାମନା କରି ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରାଯାଇଥିଲା। ଘଟଣାକୁ ନେଇ ବିରୋଧୀ ସରକାର ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଧାରଣା, ବିକ୍ଷୋଭ ତୀବ୍ରତର କରିଥିଲେ।

ସୂଚନା ଅନୁଯାୟୀ, ନିଜ ବିଭାଗର ଅଧ୍ୟାପକ(ବିଭାଗୀୟ ମୁଖ୍ୟ) ସମୀର କୁମାର ସାହୁଙ୍କ ବିରୋଧରେ ସୌମ୍ୟାଶ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଯାହାକୁ କଲେଜ ପକ୍ଷରୁ ତଦନ୍ତ କରାଯାଇଥିଲେ ମଧ୍ୟ ଛାତ୍ରୀଙ୍କୁ ଉପଯୁକ୍ତ ନ୍ୟାୟ ଦେବାରେ ଏହି କମିଟି ବିଫଳ ହୋଇଥିଲା। ନ୍ୟାୟ ପାଇବା ପାଇଁ ସବୁଆଡ଼ୁ ନିରାଶ ହେବାପରେ ଶନିବାର ଛାତୀଜଣକ ନିଜ ଦେହରେ ପେଟ୍ରୋଲ ଢ଼ାଳି କଲେଜରେ ଆତ୍ମାହୁତି ଉଦ୍ୟମ କରିଥିଲେ। ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୀଡ଼ିତାଙ୍କୁ ଭେଟିବା ସହ ପରିବାର ଲୋକଙ୍କୁ ଆଶ୍ବାସନା ଦେଇଥିଲେ। ଏହାସହ ଉନ୍ନତ ଚିକିତ୍ସା ନେଇ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀଙ୍କ ଦେହାନ୍ତ ହୋଇଯାଇଛି। ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ମୃତ୍ୟୁ ଖବର ପାଇବା ପରେ ଏମ୍‌ସରେ ବିଭିନ୍ନ ରାଜନୈତିକ ଦଳର ନେତା, ଛାତ୍ର ସଂଗଠନର କର୍ମକର୍ତ୍ତା ପହଞ୍ଚିଥିଲେ। ହସ୍ପିଟାଲ ପଛ ଦ୍ବାର ଦେଇ ମୃତଦେହ ଆମ୍ବୁଲାନ୍ସରେ ନେବା ବେଳେ ଛାତ୍ରନେତାମାନେ ଆମ୍ବୁଲାନ୍ସକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ପୀଡ଼ିତାଙ୍କ ମୃତଦେହ କାହିଁକି ଏଭଳି ନିଆଯାଉଛି ବୋଲି ସେମାନେ ପ୍ରଶ୍ନ ଉଠାଇଥିଲେ। ପୁଲିସ ସହ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାତିରେ ଶବ ବ୍ୟବଚ୍ଛେଦ ନିଷ୍ପତ୍ତି ନିଆଯାଇଥିବା ପୁଲିସ ଉପାୟୁକ୍ତ କହିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଧାୟକ ବାବୁ ସିଂ, ଆକାଶ ଦାସନାୟକ ପ୍ରମୁଖ ଏମ୍‌ସରେ ପହଞ୍ଚିଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରି ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ, ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ସରକାରଙ୍କ ସମସ୍ତ ଦାୟିତ୍ୱ ନିର୍ବାହ ତଥା ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଅକ୍ଳାନ୍ତ ପରିଶ୍ରମ ସତ୍ତ୍ୱେ ପୀଡ଼ିତାଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ। ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା ସହ ପରିବାରବର୍ଗଙ୍କୁ ଏହି ଅପୂରଣୀୟ କ୍ଷତି ସହ୍ୟ କରିବା ପାଇଁ ଶକ୍ତି ପ୍ରଦାନ ନିମନ୍ତେ ମୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ମୁଁ ଦିବଂଗତ ଛାତ୍ରୀଙ୍କ ପରିବାରକୁ ଆଶ୍ୱାସନା ଦେଉଛି ଯେ ସମ୍ପୃକ୍ତ ମାମଲାରେ ସମସ୍ତ ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋରରୁ ଅତି କଠୋର ଦଣ୍ଡ ବିଧାନ କରାଯିବ। ଏଥିପାଇଁ ବ୍ୟକ୍ତିଗତ ଭାବେ ମୁଁ ଅଧିକାରୀଙ୍କୁ ନିର୍ଦେଶ ପ୍ରଦାନ କରିଛି। ପରିବାର ସହିତ ସରକାର ଦୃଢ଼ ଭାବରେ ଛିଡ଼ା ହୋଇଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ସୌମ୍ୟାଶ୍ରୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ। ପୀଡ଼ିତାଙ୍କ ମା’ ଗଣମାଧ୍ୟମରେ କହିଛନ୍ତି ଯେ, ଏହି ଘଟଣାରେ ଯିଏ ଦୋଷୀ ତାକୁ ଫାଶୀ ଦିଆଯାଉ। ମୋ ଝିଅକୁ ନ୍ୟାୟ ମିଳୁ। ସାର୍‌ ମୋ ଝିଅ ଦେହରେ ନିଆଁ ଲଗେଇ ଦେଇଥାଇ ପାରନ୍ତି। କାହିଁକି କଲେଜ କର୍ତ୍ତୃପକ୍ଷ ଝିଅକୁ ବାରମ୍ବାର ଡାକି ମାନସିକ ନିର୍ଯାତନା ଦେଉଥିଲେ। ଅଭିଯୋଗ ପ୍ରତ୍ୟାହାର ପାଇଁ ବାରମ୍ବାର ଚାପ ପକାଯାଇଥିଲା ବୋଲି ସେ କହିଛନ୍ତି।

ସୂଚନା ଅନୁଯାୟୀ, ୨ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଆସିଛନ୍ତି। ଭୁବନେଶ୍ବରରେ ସୋମବାର ପହଞ୍ଚିବା ପରେ ସିଧାସଳଖ ସେ ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ଏହି ଉତ୍ସବରୁ ବାହାରିବା ପରେ ପୀଡ଼ିତା ଛାତ୍ରୀଙ୍କୁ ଭେଟିବାକୁ ରାଷ୍ଟ୍ରପତି ଇଚ୍ଛାବ୍ୟକ୍ତ କରିଥିଲେ। ଏମ୍‌ସ ପ୍ରେକ୍ଷାଳୟରୁ ବାହାରି ରାଷ୍ଟ୍ରପତି ବର୍ଣ୍ଣ ୟୁନିଟ୍‌କୁ ଯାଇଥିଲେ। ସେଠାରେ ସେ ପୀଡ଼ିତାଙ୍କୁ ଭେଟିବା ସହ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ସହ ଉନ୍ନତ ଚିକିତ୍ସା ସମ୍ପର୍କରେ ଆଲୋଚନା କରିଥିଲେ। ରାଷ୍ଟ୍ରପତି ପୀଡ଼ିତାଙ୍କୁ ଦେଖିବା ପରେ ଅତ୍ୟନ୍ତ ଦୁଃଖପ୍ରକାଶ କରିବା ସହ ଭାବବିହ୍ବଳ ହୋଇପଡ଼ିଥିଲେ। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ମାତ୍ର ରାତି ୧୧ଟା ୪୬ମିନିଟ୍‌ରେ ପୀଡ଼ିତା ଜୀବନ ଯୁଦ୍ଧରେ ହାରିଯାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking