ସ୍ପେନ୍ : ସ୍ପେନ୍ରେ ପ୍ରଳୟଙ୍କାରୀ ବନ୍ୟା । ବନ୍ୟା ବିଭୀଷିକାରେ ଗଲାଣି ୯୫ ଜୀବନ । ଏକାଧିକ ନିଖୋଜ ଥିବା ବେଳେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଆହୁରି ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ପାଣି ଘେରରେ ଗାଁଠୁ ସହର । ପାଣିର ପ୍ରଖର ସ୍ରୋତରେ ଭାସିଯାଇଛି ଏକାଧିକ କାର୍ । ରେଳ ଧାରଣା, ବିମାନବନ୍ଦର ପାଣିରେ ବୁଡ଼ି ରହିଛି । ସ୍ପେନରେ ପ୍ରବଳ ବର୍ଷା ଯୋଗୁଁ ଆସିଛି ପ୍ରଳୟଙ୍କାରୀ ବନ୍ୟା । ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁଁ ୯୫ ଜଣଙ୍କ ମୃତ୍ୟୁ ଘଟିଛି । ଲଗାଣ ବର୍ଷା ଯୋଗୁଁ ସ୍ପେନର ବହୁ ଅଞ୍ଚଳ ପାଣି ଘେରରେ ରହିଛି । ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ ।
ମଙ୍ଗଳବାର ସ୍ପେନରେ ମୂଷଳଧାରାରେ ବର୍ଷା ହୋଇଥିବା ବେଳେ ବୁଧବାର ଭୀଷଣ ବନ୍ୟା ସୃଷ୍ଟି ହୋଇଥିଲା । ବହୁ ସ୍ଥାନରେ ଅତଡ଼ା ଖସି ଯାଇଛି । ଏଯାଏ ବହୁ ଲୋକ ନିଖୋଜ ଥିବା ବେଳେ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ଆକଳନ କରାଯାଉଛି । ସ୍ପେନରେ ଏକ ଭୟଙ୍କର ତୁଫାନ୍ ହେବା ନେଇ ସେଠାକାର ପାଣିପାଗ ବିଭାଗ ଆକଳନ କରିଛି । ଏହି ବନ୍ୟାକୁ ଚଳିତ ବର୍ଷରେ ୟୁରୋପର ସବୁଠୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ବୋଲି କୁହାଯାଉଛି । ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି ଭୀଷଣ ବନ୍ୟା । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରାଯାଉଥିବା ବେଳେ ଏଥିରେ ସେନାକୁ ନିୟୋଜିତ କରାଯାଇଛି । ବିଭିନ୍ନ ସ୍ଥାନରେ ହେଲିକପ୍ଟର ଯୋଗେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ନିଖୋଜଙ୍କୁ ଖୋଜିବା କାର୍ଯ୍ୟ ମଧ୍ୟ ଜାରି ରହିଛି ।