ଫେବୃଆରୀ ୧୪ ରୁ ୧୬ ତିନି ଦିନ ଧରି ଆୟୋଜନ ହେବ
ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳପଡ଼ିଆଠାରେ ୧୦ ହଜାରରୁ ଅଧିକ ଚାଷୀ ହେବେ ସାମିଲ
ରାଜ୍ୟର ପ୍ରତ୍ୟେକ ଉପଖଣ୍ଡରୁ ୬ ଜଣ ସଫଳ ପ୍ରାଣିପାଳକ ଓ ମତ୍ସ୍ୟଚାଷୀ ହେବେ ସମ୍ବର୍ଦ୍ଧିତ
ପ୍ରାଣିପାଳକ ଓ ମତ୍ସ୍ୟଚାଷୀଙ୍କ ପାଇଁ ଏହା ସାଜିବ ଆଲୋକବର୍ତ୍ତିକା: ମନ୍ତ୍ରୀ ଗୋକୁଳାନନ୍ଦ
ଭୁବନେଶ୍ୱର, : ମତ୍ସ୍ୟ-ପ୍ରାଣୀ ସମାବେଶ, ଓଡ଼ିଶା-୨୦୨୫ ଆୟୋଜନ ନିମନ୍ତେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପ୍ରାଣିଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନଠାରେ ଆୟୋଜିତ ଏହି ବୈଠକରେ ମାନ୍ୟବର ମନ୍ତ୍ରୀ ପ୍ରସ୍ତୁତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଏହି ସମାବେଶର ଉପଯୋଗିତାକୁ ତୃଣମୂଳ ସ୍ତରରେ ପହଞ୍ଚାଇ ଏହାକୁ ସଫଳ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ରାଜ୍ୟସ୍ତରୀୟ ସମାବେଶ ଚଳିତବର୍ଷ ଫେବୃଆରୀ ୧୪ ରୁ ୧୬ ତିନି ଦିନ ଧରି ଭୁବନେଶ୍ୱର ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳପଡ଼ିଆଠାରେ ଆୟୋଜନ କରାଯିବ । ରାଜ୍ୟର ସମସ୍ତ ବ୍ଲକରୁ ଗୋପାଳକ, ପ୍ରାଣିପାଳକ ଓ ମତ୍ସ୍ୟଚାଷୀମାନେ ଏହି ସମାବେଶରେ ଯୋଗ ଦେବେ । ପ୍ରାୟ ୧୦ ହଜାରରୁ ଅଧିକ ଚାଷୀ ଏହି ସମାବେଶରେ ଯୋଗ ଦେବା ପାଇଁ ଆୟୋଜନ ହେଉଥିବା ବେଳେ ପାଖାପାଖି ଏକ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ଆଶା କରାଯାଇଛି । ରାଜ୍ୟର ପ୍ରତ୍ୟେକ ଉପଖଣ୍ଡରୁ ୬ ଜଣ ସଫଳ ପ୍ରାଣିପାଳକ ଓ ମତ୍ସ୍ୟଚାଷୀଙ୍କୁ ଏହି ସମାବେଶରେ ସମ୍ବର୍ଦ୍ଧିତ କରାଯିବ । ଏହା ରାଜ୍ୟର ଅନ୍ୟ ଚାଷୀଙ୍କୁ ପ୍ରେରଣା ପ୍ରଦାନ କରିବ ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ । ସମାବେଶରେ ସାଧାରଣ ସଭା, କୃଷକ-ବୈଜ୍ଞାନିକ ଆଲୋଚନା ଚକ୍ର, ଷ୍ଟଲ ପ୍ରଦର୍ଶନୀ, ଜୀବନ୍ତ ମତ୍ସ୍ୟ ଓ ପ୍ରାଣୀ ପ୍ରଦର୍ଶନୀ, ଡଗ୍ ଶୋ, ଘୋଡ଼ା ଶୋ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହା ରାଜ୍ୟର ମତ୍ସ୍ୟଚାଷୀ, ଗୋପାଳକ ଓ ପ୍ରାଣିପାଳକଙ୍କୁ ନୂତନ ଜ୍ଞାନ ପ୍ରଦାନ କରିବା ସହ ସେମାନଙ୍କ ପାଇଁ ଆଲୋକବର୍ତ୍ତିକା ସାଜିବ ବୋଲି ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ।
ଏହି ଅବସରରେ ମତ୍ସ୍ୟ ନିର୍ଦ୍ଦେଶାଳୟ ଏବଂ ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶାଳୟ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ ମାନ୍ୟବର ମନ୍ତ୍ରୀ । ବିଭିନ୍ନ ଯୋଜନାରେ ଶତ ପ୍ରତିଶତ ସଫଳତା ପାଇଁ ନିଷ୍ଠାପର ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ ।
ଏହି ବୈଠକରେ ମତ୍ସ୍ୟ ନିର୍ଦ୍ଦେଶକ ସାଦିକ ଆଲାମ, ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦେଶକ ରାମାଶିଷ ହାଜରା ଏବଂ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।