ନୂଆଦିଲ୍ଲୀ : ଦେଶର ଇତିହାସରେ ପ୍ରଥମ ଥର ପାଇଁ କିଛି ଏକ ନୂଆ ଘଟଣା ଘଟିବାକୁ ଯାଉଛି। ରାଷ୍ଟ୍ରପତି ଭବନରେ ଏକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆସନ୍ତା ୧୨ ତାରିଖରେ ମହିଳା ସିଆରପିଏଫ୍ ଅଧିକାରୀ ପୁନମ୍ ଗୁପ୍ତା ଏବଂ ସିଆରପିଏଫ୍ ଅଧିକାରୀ ଅବନୀଶ କୁମାରଙ୍କ ମଧ୍ୟରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବ। ସିଆରପିଏଫ୍ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପୁନମ୍ ଗୁପ୍ତା ସମ୍ପ୍ରତି ରାଷ୍ଟ୍ରପତି ଭବନରେ ଜଣେ ପିଏସ୍ଓ (ରାଷ୍ଟ୍ରପତିଙ୍କ ସୁରକ୍ଷା ଅଧିକାରୀ) ଭାବେ ମୁତୟନ ଥିବା ବେଳେ ସିଆରପିଏଫ୍ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅବନୀଶ କୁମାର ଜମ୍ମୁ କାଶ୍ମୀରରେ ମୁତୟନ ଅଛନ୍ତି। ସବୁଠୁ ବଡ଼କଥା ହେଉଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜେ ଏହି ବିବାହ କାର୍ଯ୍ୟ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିବାହ କାର୍ଯ୍ୟକ୍ରମରେ ଦେଶର ବହୁ ମାନ୍ୟଗଣ୍ୟ ନେତା, ମନ୍ତ୍ରୀ ତଥା ବ୍ୟକ୍ତିବିଶେଷ ଯୋଗଦେବେ ବୋଲି ସୂଚନା ମିଳିଛି। ସେହିପରି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଥିବା ପୁନମ୍ ଏବଂ ଅବନୀଶଙ୍କ ବ୍ୟତୀତ ତାଙ୍କର କିଛି ନିକଟତମ ସମ୍ପର୍କୀୟ ଓ ପରିବାରଜନଙ୍କୁ ମଧ୍ୟ ରାଷ୍ଟ୍ରପତି ଭବନ ମଧ୍ୟକୁ ପ୍ରବେଶ ଅନୁମତି ମିଳିବ। ତେବେ ରାଷ୍ଟ୍ରପତି ଭବନ ପକ୍ଷରୁ ଏନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନଥିଲେ ମଧ୍ୟ ଏନେଇ ସୂଚନା ସାମ୍ନାକୁ ଆସିଛି।
ରାଷ୍ଟ୍ରପତି ଭବନରେ ପିଏସ୍ଓ ଭାବେ ନିଯୁକ୍ତ ପୁନମ ଗୁପ୍ତାଙ୍କ ବ୍ୟବହାର ଓ କାର୍ଯ୍ୟରେ ବେଶ୍ ସନ୍ତୁଷ୍ଟ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଯେତେବେଳେ ରାଷ୍ଟ୍ରପତି ଜାଣିଲେ ଯେ ପୁନମ ବିବାହ କରିବାକୁ ଯାଉଛନ୍ତି ସେତେବେଳେ ଏହି ବାହାଘର ରାଷ୍ଟ୍ରପତି ଭବନରେ ହେଉ ବୋଲି ସେ ନିଜ ଆଡ଼ୁ ପ୍ରସ୍ତାବ ଦେଇଥିଲେ। ପୁନମ ଓ ଅବନୀଶଙ୍କ ବାହାଘର ରାଷ୍ଟ୍ରପତି ଭବନର ମଦର ଟେରେସା କ୍ରାଉନ୍ କମ୍ପେ୍ଲକ୍ସରେ ହେବ। ପ୍ରକାଶ, ପୁନମଙ୍କ ଘର ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ। ତାଙ୍କ ବାପା ଶିବପୁରୀ ନବୋଦୟ ବିଦ୍ୟାଳୟରେ କାର୍ଯ୍ୟ କରନ୍ତି। ପୁନମ ଗଣିତ ଅନର୍ସ ରଖି ସ୍ନାତକ ପାସ୍ କରିବା ପରେ ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର କରିଥିଲେ। ପରେ ସେ ବିଇଡି ମଧ୍ୟ କରିଥିଲେ। ସେ ଶୋପୁର ନବୋଦୟ ବିଦ୍ୟାଳର ଛାତ୍ରୀ ଥିଲେ। ୨୦୧୮ରେ ସେ ୟୁପିଏସ୍ସି ଦ୍ୱାରା କରାଯାଉଥିବା ସିଏପିଏଫ୍ (ସେଣ୍ଟ୍ରାଲ ଆର୍ମଡ୍ ପୁଲିସ ଫୋର୍ସ) ପରୀକ୍ଷାରେ ସାରା ଦେଶରେ ୮୧ତମ ସ୍ଥାନରେ ରହିଥିଲେ ଓ ସିଆରପିଏଫ୍ରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବେ ଯୋଗଦେଇଥିଲେ। ୨୦୨୪ ସାଧାରଣତନ୍ତ୍ର ଦିବସରେ ପରେଡ୍ରେ ସେ ସିଆରପିଏଫ୍ ମହିଳା କଣ୍ଟିଜେଣ୍ଟର ନେତୃତ୍ୱ ନେଇଥିଲେ।