ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମେ’ ୧୯ରେ କେରଳର ସାବରୀମାଳା ମନ୍ଦିରରେ ଭଗବାନ ସ୍ୱାମୀ ଆୟପ୍ପାଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ଦେଶର ଇତିହାସରେ ପ୍ରଥମ ଥର ପାଇଁ ଏପରି ହେବାକୁ ଯାଉଛି ଯେ, ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ ମୁର୍ମୁ ସାବରୀମାଳା ମନ୍ଦିର ଯିବେ ଏବଂ ସେଠାରେ ପୂଜାର୍ଚ୍ଚନା କରିବେ । ମନ୍ଦିର ପରିଚାଳନା ସଂସ୍ଥା ତ୍ରାଭନ୍କୋର ଦେବସ୍ୱୋମ ବୋର୍ଡ (ଟିଡିବି) ପକ୍ଷରୁ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୂଚନା ଦିଆଯାଇଛି । ଏଥିସହ ଏହାକୁ ଦେଶର ଇତିହାସରେ ଏକ ଗର୍ବର ମୁହୂର୍ତ୍ତ ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଏସ୍ପିଜି ଓ ମନ୍ଦିର ପରିଚାଳନା ସଂସ୍ଥା ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପ୍ରକାଶ ସାବରିମାଲା ମନ୍ଦିର ପକ୍ଷରୁ ମହିଳା ଶ୍ରଦ୍ଧାଳୁଙ୍କ ପାଇଁ ଏକ କଡା ନିୟମ ରହିଛି । ୧୦ରୁ ୫୦ ବର୍ଷ ବୟସର ଝିଅ, ଯୁବତୀ ତଥା ମହିଳା ମନ୍ଦିର ଆସିବା ଉପରେ ବାରଣ ରହିଛି ।
ଟିଡିବି ଅଧ୍ୟକ୍ଷ ପିଏସ ପ୍ରଶାନ୍ତ କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମେ’ ୧୮ ଓ ୧୯ରେ ଦୁଇ ଦିନିଆ କେରଳ ଗସ୍ତରେ ଯିବେ । ୧୮ରେ ସେ କେରଳର କୋଟ୍ଟାୟମ ଜିଲ୍ଲାରେ ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗଦେବେ । ଏହାର ପରଦିନ ଅର୍ଥାତ୍ ୧୯ ତାରିଖ ସକାଳେ ସେ ସାବରୀମାଳା ମନ୍ଦିର ନିକଟସ୍ଥ ନୀଲକ୍କଲ ହେଲିପ୍ୟାଡକୁ ଯିବେ । ଏଠାରୁ ପମ୍ପା ବେସ୍ କ୍ୟାମ୍ପକୁ ଯିବେ । କୁହାଯାଉଛି ଯେ, ରାଷ୍ଟ୍ରପତି ସାଧାରଣ ଦର୍ଶନାର୍ଥୀଙ୍କ ପରି ପାହାଡ଼ ଚଢ଼ିବାକୁ ଇଚ୍ଛାବ୍ୟକ୍ତ କରିଛନ୍ତି । ସୁତରାଂ ଏହାକୁ ନେଇ ଏସପିଜି ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦେଉଛି । ସେହିପରି ସରକାର ଏବଂ ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତି ଯିବାକୁ ଥିବା ମାର୍ଗଗୁଡ଼ିକର ମରାମତି ଏବଂ ନିର୍ମାଣ କାର୍ଯ୍ୟ ଜୋରସୋରରେ ଜାରି ରହିଥିବା ଦେଖିବାକୁ ମିଳିଛି । ସରକାରୀ କାର୍ଯ୍ୟକ୍ରମ ଆସିବାପରେ ମୁଖ୍ୟମନ୍ତ୍ରୀ ବିଜୟନ, ମନ୍ଦିର ବୋର୍ଡ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ, ପୁଲିସ୍ ପ୍ରଶାସନ ସହ ଏକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି ।