ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନବନ୍ଦରରେ ଅବତରଣ ସମୟରେ ଲାଗିଲା ନିଆଁ। ମଙ୍ଗଳବାର ଦିନ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ଅବତରଣ କରିବାର କିଛି ସମୟ ପରେ ହଂକଂରୁ ଆସିଥିବା ଏୟାର ଇଣ୍ଡିଆର ଏକ ବିମାନରେ ନିଆଁ ଲାଗିଯାଇଥିଲା। ବିମାନଟିର କିଛି ମାତ୍ରାରେ କ୍ଷତି ହୋଇଛି କିନ୍ତୁ ଯାତ୍ରୀ ଏବଂ କ୍ରୁ ସଦସ୍ୟମାନେ ସୁରକ୍ଷିତ ଭାବରେ ବିମାନରୁ ଓହ୍ଲାଇ ଯାଇଛନ୍ତି। ମଙ୍ଗଳବାର, ଜୁଲାଇ ୨୨ ତାରିଖରେ ହଂକଂରୁ ଦିଲ୍ଲୀ ଯାଉଥିବା ବିମାନ ଏଆଇ ୩୧୫, ଅବତରଣ କରି ଗେଟ୍ ପାଖରେ ପାର୍କିଂ କରିବାର କିଛି ସମୟ ପରେ ଏକ ସହାୟକ ପାୱାର ୟୁନିଟରେ ନିଆଁ ଲାଗିଯାଇଥିଲା।
ଏକ ବିବୃତ୍ତିରେ, ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି, “୨୨ ଜୁଲାଇ ୨୦୨୫ରେ ହଂକଂରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବିମାନ ଏଆଇ ୩୧୫, ଅବତରଣ ଏବଂ ଗେଟରେ ପାର୍କିଂ କରିବାର କିଛି ସମୟ ପରେ ଏକ ସହାୟକ ପାୱାର ୟୁନିଟ୍ (ଏପିୟୁ) ରେ ନିଆଁ ଲାଗିଯାଇଥିଲା। ଯାତ୍ରୀମାନେ ଓହ୍ଲାଇବା ଆରମ୍ଭ କରିବା ସମୟରେ ଏହି ଘଟଣା ଘଟିଥିଲା ଏବଂ ସିଷ୍ଟମ ଡିଜାଇନ୍ ଅନୁସାରେ ଏପିୟୁ ସ୍ୱୟଂଚାଳିତ ଭାବରେ ବନ୍ଦ ହୋଇଯାଇଥିଲା।” “ବିମାନର କିଛି ମାତ୍ରାରେ କ୍ଷତି ହୋଇଥିଲା; ତଥାପି, ଯାତ୍ରୀ ଏବଂ କ୍ରୁ ସଦସ୍ୟମାନେ ସ୍ୱାଭାବିକ ଭାବରେ ଓହ୍ଲାଇଛନ୍ତି ଏବଂ ସୁରକ୍ଷିତ ଅଛନ୍ତି। ଅଧିକ ତଦନ୍ତ ପାଇଁ ବିମାନକୁ ଗ୍ରାଉଣ୍ଡେଡ୍ କରାଯାଇଛି ଏବଂ ନିୟାମକଙ୍କୁ ବିଧିବଦ୍ଧ ଭାବରେ ସୂଚିତ କରାଯାଇଛି,” ମୁଖପାତ୍ର କହିଛନ୍ତି। ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ (ଡିଆଲ୍) କହିଛି ଯେ ନିଆଁ ଲିଭାଇ ଦିଆଯାଇଛି, ଘଟଣାର ତଦନ୍ତ ଚାଲିଛି।










