33.1 C
Bhubaneswar
Thursday, June 5, 2025
Homeଓଡିଶାଏସ୍‌ସି,ଏସ୍‌ଟି ଓ ପଛୁଆବର୍ଗଙ୍କ ପାଇଁ ଲଢେଇ ଜାରି ରହିବ: ବିଜେଡି

ଏସ୍‌ସି,ଏସ୍‌ଟି ଓ ପଛୁଆବର୍ଗଙ୍କ ପାଇଁ ଲଢେଇ ଜାରି ରହିବ: ବିଜେଡି

ଭୁବନେଶ୍ୱର: ରାଜ୍ୟର ଏସଇବିସି ବର୍ଗର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଶିକ୍ଷାନୁଷ୍ଠାନ ଗୁଡିକରେ ୧୧.୨୫ ପ୍ରତିଶତ ସିଟ ସଂରକ୍ଷଣ ବ୍ୟବସ୍ଥାର ରାଜ୍ୟ ବିଜେପି ସରକାରଙ୍କ ଘୋଷଣା ଓ ଏହାକୁ ଐତିହାସିକ ନିଷ୍ପତ୍ତି ବୋଲି ରାଜ୍ୟ ସରକାରଙ୍କ ଦାବିକୁ ବିଜୁ ଜନତା ଦଳ ଏକ ଧୋକା ଓ ପ୍ରବଞ୍ଚନା ବୋଲି କହିଛି। ଏସଇବିସି ବା ଓବିସି ବର୍ଗର ଛାତ୍ରଛାତ୍ରୀ ମାନଙ୍କୁ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବିରେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଘୋଷଣା କରିଛି। ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଓବିସି ସେଲର ଆବାହକ ତଥା ବରିଷ୍ଠ ବିଧାୟକ ଡ. ଅରୁଣ କୁମାର ସାହୁ, ଉପସଭାପତି (ହେଡକ୍ୱାର୍ଟର) ତଥା ବରିଷ୍ଠ ଗଣମାଧ୍ୟମ ସଂଯୋଜକ ଶ୍ରୀ ପ୍ରତାପ ଜେନା, ବରିଷ୍ଠ ଉପସଭାପତି ଶ୍ରୀ ସଞ୍ଜୟ ଦାସବର୍ମା ଓ ମୁଖପାତ୍ର ଶ୍ରୀ ପ୍ରଦୀପ ମାଝୀ ପ୍ରମୁଖ ରାଜ୍ୟ
ସରକାରଙ୍କ ଏହି ନିଷ୍ପତ୍ତିକୁ ସମାଲୋଚନା କରିଥିଲେ।

ଡ. ଅରୁଣ କୁମାର ସାହୁ କହିଥିଲେ, ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଏସଇବିସି ଛାତ୍ରଛାତ୍ରୀଙ୍କ ୧୧.୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା ପଛୁଆବର୍ଗଙ୍କ ପାଇଁ ଏକ ଧୋକା ଓ ପ୍ରବଞ୍ଚନା। ରାଜ୍ୟ ସରକାରଙ୍କ ଦ୍ୱାରା, ଏହି ସମ୍ୱନ୍ଧରେ ପ୍ରକାଶିତ ହୋଇଥିବା ବିଜ୍ଞପ୍ତିରେ ସ୍ପଷ୍ଟ ହୋଇଛି ଯେ, ଏହା କେବଳ ଅଣବୈଷୟିକ ଓ ଅଣ ବୃତ୍ତିଗତ ଉଚ୍ଚ ଶିକ୍ଷା ପାଇଁ ଉଦ୍ଦିଷ୍ଟ। ଯେଉଁ ଶିକ୍ଷାନୁଷ୍ଠାନ ଗୁଡିକରେ ରାଜ୍ୟ ସରକାରଙ୍କ ତରଫରୁ ପଛୁଆବର୍ଗ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସଂରକ୍ଷଣ ଘୋଷଣା କରାଯାଇଛି, ସେହି ଶିକ୍ଷାନୁଷ୍ଠାନ ମାନଙ୍କରେ ଥିବା ଆସନ ଗୁଡିକ ପ୍ରାୟତଃ ଖାଲି ପଡୁଛି। ଖାଲି ପଡୁଥିବା ଆସନ ଗୁଡିକ ପାଇଁ ସଂରକ୍ଷଣ ଘୋଷଣା କରିବା ଓ ଏହାକୁ ଐତିହାସିକ ବୋଲି ଦାବି କରିବା ଧୋକା ଓ ପ୍ରବଞ୍ଚନା ନୁହେଁ ତ ଆଉ କ’ଣ ବୋଲି ଡ. ସାହୁ ପ୍ରଶ୍ନ କରିଥିଲେ। ଡ. ସାହୁ ଆହୁରି କହିଥିଲେ, ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡିକରେ ଓବିସି ଛାତ୍ର ଛାତ୍ରୀଙ୍କ ପାଇଁ ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ଗୋଟିଏ ଦାୟିତ୍ୱ ସମ୍ପର୍ଣ୍ଣ ବିରୋଧୀ ଦଳ ଭାବେ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ଚାପ ପ୍ରୟୋଗ କରି ଆସୁଛି। ବିଧାନସଭାରେ ମୁଲତବି ପ୍ରସ୍ତାବ ମାଧ୍ୟମରେ ଏହି ପ୍ରସଙ୍ଗ ଉଠାଇବା ସହିତ ଆମ୍ୱେଦକରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା ଦେଇଥିଲୁ। ଆମର ଦୃଢ଼ ଦାବି ଓ ରାଜ୍ୟର ପଛୁଆବର୍ଗଙ୍କ ଚାପର ବଶବର୍ତ୍ତୀ ହୋଇ ରାଜ୍ୟ ସରକାର ଅତ୍ୟନ୍ତ ତରବରିଆ ଭାବେ ଏହି ଘୋଷଣା କରିଛନ୍ତି।

ରାଜ୍ୟ ସରକାର କ୍ଷମତାକୁ ଆସିବାର ଏକ ବର୍ଷ ପୂରଣ ହେବାକୁ ଯାଉଛି ଓ ଏହି ଏକ ବର୍ଷରେ ସରକାର ସେପରି କିଛି ଆଖି ଦୃଶିଆ ଉପଲବ୍ôଧ ହାସଲ କରିପାରି ନାହାନ୍ତି। ତେଣୁ ତରବରିଆ ଭାବେ ସରକାର ଏଭଳି ଏକ ପ୍ରଭାବହୀନ ସଂରକ୍ଷଣ ଘୋଷଣା କରିଛନ୍ତି। ଯେଉଁ କ୍ଷେତ୍ରରେ ଆସନ ଖାଲି ପଡୁଛି ସେଠାରେ ସଂରକ୍ଷଣ ପାଇଁ ଘୋଷଣା କରା ଯାଇଛି କିନ୍ତୁ ଇଂଜିନିୟରିଂ ଓ ମେଡିକାଲ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ପ୍ରଦାନ କରାଯାଇ ନାହିଁ। ଏହାର ଅର୍ଥ ଇଂଜିନିୟରିଂ, ମେଡିକାଲ ଓ ଅନ୍ୟ ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ଓବିସି ବର୍ଗର ଛାତ୍ର ଛାତ୍ରୀଙ୍କ ପାଇଁ କୌଣସି ସଂରକ୍ଷଣ ନାହିଁ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ପ୍ରତିବାଦ କରିବା ସହିତ ତୁରନ୍ତ ରାଜ୍ୟର ସମସ୍ତ ଶିକ୍ଷା କ୍ଷେତ୍ରରେ ଓବିସି ବର୍ଗ ନିମନ୍ତେ ୨୭ପ୍ରତିଶତ ଆସନ ସଂରକ୍ଷଣ ଲାଗୁ କରିବା ପାଇଁ ବିଜୁ ଜନତା ଦଳ ଦାବି କରୁଛି। ଏହି ଦାବିକୁ ନେଇ ଆସନ୍ତା ୨୧ ତାରିଖରେ ରାଜଭବନ ସମ୍ମୁଖରେ ବିଜୁ ଜନତା ଦଳ ତରଫରୁ ଏକ ବିଶାଳ ଗଣଧାରଣା ଦିଆଯିବ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ଡ. ସାହୁ କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking