21.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଚୀନ୍‌-ତାଇୱାନ୍ ଯୁଦ୍ଧ ଆଶଙ୍କା ବଢ଼ିଲା

ଚୀନ୍‌-ତାଇୱାନ୍ ଯୁଦ୍ଧ ଆଶଙ୍କା ବଢ଼ିଲା

ବେଜିଂ: ଚୀନ୍ ଏବଂ ତାଇୱାନ୍ ମଧ୍ୟରେ ରହିଆସିଥିବା ତିକ୍ତତା ଏବେ ଯୁଦ୍ଧର ରୂପ ଧାରଣ କରିଛି। କୌଣସି ମୁହୂର୍ତ୍ତରେ ମଧ୍ୟ ଏହି ଦୁଇ ଦେଶ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ସୃଷ୍ଟି ହୋଇଛି। ରିପୋର୍ଟ ଅନୁସାରେ ଚୀନ୍ ଏବେ ତାଇୱାନ୍‌କୁ ଧ୍ୱଂସଲୀଳା ବା ବିନାଶର ଧମକ ଦେଇଥିବା ବେଳେ ପରୋକ୍ଷରେ ତାଇୱାନ୍ ମଧ୍ୟ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆମେରିକୀୟ ଘାତକ କ୍ଷେପଣାସ୍ତ୍ରଗୁଡ଼ିକୁ ମୁତୟନ କରିଥିବା ସୂଚନା ମିଳିଛି। ତାଇୱାନ୍ ଏପରି କରିବା ପଛରେ ନିଜ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରୁଥିବା ବୋଲି ଦର୍ଶାଉଥିବା ବେଳେ ଚୀନ୍ କିନ୍ତୁ ଏହାକୁ ନେଇ ମାତ୍ରାଧିକ ଆକ୍ରମଣାତ୍ମକ ହୋଇପଡିଛି। ଚୀନ୍ କହିଛି, ତାଇୱାନ୍‌ର ଏଭଳି କାର୍ଯ୍ୟ ଚୀନ୍‌ର ସାର୍ବଭୌମତ୍ୱ ପ୍ରତି ଏକ ବଡ଼ ବିପଦ। ଚୀନ୍ ସାମରିକ ମୁଖପାତ୍ର ଜିଆଙ୍ଗ୍ ବିନ୍ ସ୍ପଷ୍ଟ ଭାବରେ କହିଛନ୍ତି, ତାଇୱାନର ସ୍ୱାଧୀନତା ପାଇଁ ଯେକୌଣସି ପ୍ରୟାସ ଅତ୍ୟନ୍ତ ବିପଜ୍ଜନକ ପରିଣାମ ଆଣିବ। ଚୀନ୍ ଉପରେ ଆକ୍ରମଣ କରିବା ପାଇଁ ଆମେରିକୀୟ ସାମରିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ଏକ ବୋକାମି ଓ ଅତ୍ୟଧିକ ଆତ୍ମବିଶ୍ୱାସୀ ଚିନ୍ତାଧାରା। ଚୀନ୍ ଚେତାବନୀ ଦେଇଛି, ଯଦି ଯୁଦ୍ଧ ହୁଏ, ତେବେ ତାଇୱାନର ବିନାଶ ହେବ। ଅନ୍ୟପକ୍ଷେ ବେଜିଂର ଯେକୌଣସି ସମ୍ଭାବ୍ୟ ଆକ୍ରମଣର କଡ଼ା ଜବାବ ଦେବାକୁ ତାଇୱାନ୍ ନିରନ୍ତର ନିଜର ସାମରିକ ଶକ୍ତି ବୃଦ୍ଧି କରୁଥିବା ନେଇ ଗଣମାଧ୍ୟମରେ ନିୟମିତ ରିପୋର୍ଟ ପ୍ରକାଶ ପାଇବାରେ ଲାଗିଛି।

ତାଇୱାନ ୧୧.୧ ବିଲିୟନ ଡଲାର ମୂଲ୍ୟର ଏକ ମେଗା ଡିଲ୍ ଅନ୍ତର୍ଗତ ଆମେରିକାଠାରୁ ୮୨ଟି ୧୪୨ ହିମାର୍ସ ଲଞ୍ଚର୍ ତଥା ୪୨୦ଟି ଆଟାକମ୍ସ ମିସାଇଲ୍ ଅର୍ଡର କରିଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୩୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ରହିଛି। ଏହି ମିସାଇଲ୍ଗୁଡ଼ିକ ସହଜରେ ଚୀନ୍‌ର ଉପକୂଳବର୍ତ୍ତୀ ନୌସେନା ଘାଟିଗୁଡ଼ିକୁ ଟାର୍ଗେଟ କରିପାରିବ। ପେଙ୍ଗୁ ଓ ଡୋଙ୍ଗିନ୍ ଭଳି ଦ୍ୱୀପପୁଞ୍ଜରେ ଏହି ମିସାଇଲ୍ ନିୟୋଜିତ ହେବା ଦ୍ୱାରା ଫୁଜିଆନ୍ ଓ ଝେଜିୟାଙ୍ଗ ପ୍ରଦେଶରେ ଥିବା ଚୀନ୍‌ର ବାୟୁସେନା ଘାଟି ତାଇୱାନର ଲକ୍ଷ୍ୟଭେଦ କ୍ଷମତା ପରିସର ମଧ୍ୟରେ ରହିଛି। ସେହିପରି ଆମେରିକା ଠାରୁ ତାଇୱାନ୍ ହିମାର୍ସ ସିଷ୍ଟମ୍ ମଧ୍ୟ ହାସଲ କରିଛି। ହିମାର୍ସ ସିଷ୍ଟମ ଏହାର ସୁଟ୍‌-ଏଣ୍ଡ-ସ୍କୁଟ୍ ପ୍ରଯୁକ୍ତିବିଦ୍ୟା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ଯାହା ଆକ୍ରମଣ ପରେ ଲଞ୍ଚରକୁ ଶୀଘ୍ର ପୁନଃସ୍ଥାପନ କରିବାକୁ ଅନୁମତି ଦେଇଥାଏ। ଲକହିଡ୍ ମାର୍ଟିନ୍ ଦ୍ୱାରା ବିକଶିତ, ଏହି ସିଷ୍ଟମରେ ତିନି ଜଣିଆ କ୍ରୁ ଆବଶ୍ୟକ। ଯାହା ଏହାକୁ ଯୁଦ୍ଧକ୍ଷେତ୍ରରେ ଅତ୍ୟନ୍ତ ଗତିଶୀଳ କରିଥାଏ। ୟୁକ୍ରେନ୍ ମଧ୍ୟ ଆମେରିକାର ଏହି ହିମାର୍ସ ସିଷ୍ଟମ୍ ଜରିଆରେ ରୁଷର ଅନେକ ଲଜିଷ୍ଟିକ୍ସ ଓ କମାଣ୍ଡ ପୋଷ୍ଟଗୁଡ଼ିକୁ ଧ୍ୱଂସ କରିବାରେ ସଫଳ ହୋଇଛି। ଅନ୍ୟପକ୍ଷେ ଆମେରିକା ନିଜର ଭୂରାଜନୈତିକ ଆବଶ୍ୟକତା ଦ୍ୱାରା ପ୍ରଭାବିତ ହୋଇ ତାଇୱାନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଚାଲିଛି ଓ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଉଛି। ଚୀନ୍ ଅନୁସାରେ ଆମେରିକାର ହସ୍ତକ୍ଷେପ ଅଞ୍ଚଳର ଶାନ୍ତିକୁ ବିପର୍ଯ୍ୟସ୍ତ କରୁଛି ତଥା ବିଚ୍ଛିନ୍ନତାବାଦୀ ଶକ୍ତିକୁ ଉତ୍ସାହିତ କରୁଛି। ଚୀନ୍‌-ତାଇୱାନ୍ ବିବାଦରେ ଆମେରିକାର ଭୂମିକାକୁ ନେଇ ବିଶ୍ୱସ୍ତରରେ ମଧ୍ୟ ଚିନ୍ତା ବୃଦ୍ଧି ପାଇବାରେ ଲାଗିଛି। ମୋଟାମୋଟି ଦୁଇ ଦେଶ ମଧ୍ୟରେ ଏହି ବଢୁଥିବା ସାମରିକ ସ୍ଥିତି ଆଗାମୀ ସମୟରେ ଏକ ବଡ଼ ବିଶ୍ୱ ସଂଘର୍ଷ ଆଡ଼କୁ ଇଙ୍ଗିତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking