ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ଉଦଳା ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବାପା-ମା’ଙ୍କ ସାମ୍ନାରେ ଜଣେ ଝିଅକୁ ୪ରୁ ୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ଘଟଣାଟି ଦିନ ଦ୍ଵିପ୍ରହରରେ ଘଟିଥିବା ନେଇ ସୂଚନା ମିଳିଛି। ଅପହୃତ ଝିଅର ବାପା-ମା’ ବିରୋଧ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଦୁର୍ବୃତ୍ତମାନେ ହତ୍ୟା ଧମକ ଦେଇ ଝିଅକୁ ଛଡ଼ାଇ ନେଇଥିବା ଜଣାପଡ଼ିଛି। ଅପହୃତ ଝିଅର ବାପା କପ୍ତିପଦା ଥାନାରେ ଏତଲା ଦେଇଥିଲେ ହେଁ, ଘଟଣାର ୩ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ କୌଣସି ସୁରାଗ ପାଇନଥିବା ଅଭିଯୋଗ ହୋଇଛି। ଝିଅର ବାପା କହିଛନ୍ତି ଯେ ପୋଲିସ ଏହାକୁ ମିସିଂ କେସ୍ ଭାବେ ଗ୍ରହଣ କରି ନିଷ୍କ୍ରିୟ ରହିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଓ ଅସନ୍ତୋଷ ସୃଷ୍ଟି କରିଛି।










