-ସଲ୍ଟ ଲେକ୍ ଷ୍ଟାଡିୟମ୍ ପାଲଟିଲା ରଣକ୍ଷେତ୍ର
-ଉଡ଼ିଲା ଚେୟାର, ଉପାଡ଼ିଲେ ଟେଣ୍ଟ, ଫିଙ୍ଗିଲେ ବୋତଲ
-ଲାଠି ଚାର୍ଜ କରି ଘଉଡ଼ାଇଲା ପୁଲିସ
-ଆୟୋଜକ ଅଟକ, ତଦନ୍ତ ନିର୍ଦ୍ଦେଶ ଦେଲେ ମମତା
-ଟିକଟ ଅର୍ଥ ଫେରସ୍ତ କରିବାକୁ ଆୟୋଜକ ଟିମ୍କୁ ନିର୍ଦ୍ଦେଶ
କୋଲକାତା: ମେସିଙ୍କ ପାଇଁ ମହାଭାରତ। ଷ୍ଟାଡିୟମ୍ ପାଲଟିଲା ରଣକ୍ଷେତ୍ର। ତାତିଲେ ପ୍ରଶଂସକ, ଝାଡ଼ିଲେ ରାଗ। ଉଡ଼ିଲା ଚେୟାର, ଫିଙ୍ଗିଲେ ବୋତଲ। ବ୍ୟାରିକେଡ୍ ଭାଙ୍ଗିଲେ, ଷ୍ଟାଡିୟମରେ ହଙ୍ଗାମା କଲେ। କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍ ମେସିଙ୍କୁ ଦେଖି ନପାରି ଆକ୍ରୋଶ ଝାଡିଲେ ପ୍ରଶଂସକ। କୋଲକାତା ସଲ୍ଟ ଲେକ୍ ଷ୍ଟାଡିୟମରେ ଦେଖିବାକୁ ମିଳିଲା ଖଣ୍ଡଯୁଦ୍ଧ। ମେସିଙ୍କୁ ଟିକିଏ ଝଲକ ନପାଇବାରୁ ସୀମା ସରହଦ ଟପିଥିଲା ପ୍ରଶଂସକଙ୍କ ରାଗ। ତା’ପରେ ଯାହା ଘଟିଲା ସମସ୍ତଙ୍କ କଳ୍ପନା ବାହାରେ ଥିଲା।
କିମ୍ବଦନ୍ତୀ ଫୁଟବଲ୍ ଖେଳାଳି ଲିଓନେଲ୍ ମେସିଙ୍କୁ ଅଧିକ ସମୟ ଦେଖିବାର ଉତ୍କଣ୍ଠା ତାଙ୍କ ଭାରତୀୟ ପ୍ରଶଂସକଙ୍କୁ ପାଗଳପ୍ରାୟ କରିଦେଇଛି। ଏହି ପାଗଳାମୀର ବଶବର୍ତ୍ତୀ ହୋଇ ପ୍ରଶଂସକମାନେ ଏପରି କିଛି କାଣ୍ଡ ଘଟାଇଛନ୍ତି ଯାହାକୁ ନେଇ ଏବେ ବିଶ୍ୱସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରିପୋର୍ଟ ଅନୁସାରେ ଭାରତ ଗସ୍ତର ପ୍ରଥମ ପର୍ଯ୍ୟାୟ ଅନ୍ତର୍ଗତ ମେସି କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ୍କୁ ଆସି ଏଠାରେ ନବସ୍ଥାପିତ ତାଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି (ପ୍ରାୟ ୭୦ ଫୁଟ୍ ଉଚ୍ଚତା ବିଶିଷ୍ଟ)କୁ ଅନାବରଣ କରିବାର କାର୍ଯ୍ୟକ୍ରମ ଥିଲା। ସୁତରାଂ ତାଙ୍କ ପ୍ରିୟ ତାରକା ତଥା ଆର୍ଜେଣ୍ଟିନାର ଏହି ମହାନ୍ ଖେଳାଳିଙ୍କୁ ପାଖରେ ଟିକେ ଦେଖିବା ପାଇଁ ଷ୍ଟାଡିୟମ୍ ଲୋକରଣ୍ୟ ହୋଇପଡ଼ିଥିଲା। ଷ୍ଟାଡିୟମ୍ ଭିତରେ ଏବଂ ବାହାରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା। ମେସି ମଧ୍ୟ ନିଜ କାର୍ଯ୍ୟକ୍ରମ ସୂଚୀ ଅନୁସାରେ ଷ୍ଟାଡିୟମ୍କୁ ଧାର୍ଯ୍ୟ ସମୟରେ ଆସିଥିଲେ ଏବଂ ନିଜର ୭୦ ଫୁଟ୍ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତିର ଅନାବରଣ କରିଥିଲେ। କିନ୍ତୁ ଆଜି ଦିନରେ ତାଙ୍କର ଅନ୍ୟ କେତେକ କାର୍ଯ୍ୟକ୍ରମ ମଧ୍ୟ ଚୂଡ଼ାନ୍ତ ଥିବାରୁ ସେ ଏଠାରେ ଅଧିକ ସମୟ ରହିପାରିନଥିଲେ। ପ୍ରତିମୂର୍ତ୍ତି ଅନାବରଣ ପରେ ପରେ ମେସି ଏଠାରୁ ବିଦାୟ ନେଇଥିଲେ, ଯାହାକି ଷ୍ଟାଡିୟମ୍ରେ ତଥା ବାହାରେ ଉପସ୍ଥିତ ତାଙ୍କ ପ୍ରଶଂସକଙ୍କୁ ଅତ୍ୟନ୍ତ ନିରାଶ କରିଥିଲା। ମେସିଙ୍କୁ ଦେଖିନପାରିବାର ଦୁଃଖରେ ପ୍ରଶଂସକମାନେ ଏତେମାତ୍ରାରେ ଭାଙ୍ଗିପଡିଥିଲେ ଯେ, ସେମାନେ ଷ୍ଟାଡିୟମରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ଆରମ୍ଭ କରିଦେଇଥିଲେ।
ଷ୍ଟାଡିୟମ୍ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନାନୁସାରେ ଷ୍ଟାଡିୟମ୍ ଭିତରେ ଥିବା ପ୍ରଶଂସକମାନେ ପଡ଼ିଆ ଭିତରକୁ ପ୍ଲାଷ୍ଟିକ୍ ପାଣି ବୋତଲ ଫିଙ୍ଗିଥିଲେ। ସେହିପରି ଅନେକ ପ୍ରଶଂସକମାନେ ଷ୍ଟାଡିୟମ୍ରେ ଲାଗିଥିବା ଚେୟାରଗୁଡ଼ିକୁ ଭଙ୍ଗାରୁଜା କରିବା ଆରମ୍ଭ କରିଦେଇଥିଲେ। ଏପରିକି ବନ୍ଧା ଯାଇଥିବା ଟେଣ୍ଟକୁ ମଧ୍ୟ କିଛି ପ୍ରଶଂସକ ଉପାଡ଼ି ଦେଇଥିଲେ। ସେହିପରି କିଛି ପ୍ରଶଂସକମାନେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସେମାନଙ୍କ ସହ ବଡ଼ ଧରଣର ଠକାମୀ ହୋଇଛି। ମେସିଙ୍କୁ ଦେଖିବା ପାଇଁ ସେମାନଙ୍କୁ ୧୨ ହଜାର ଟଙ୍କା ମୂଲ୍ୟରେ ଟିକଟ କିଣିବାକୁ ପଡିଥିଲା। କିନ୍ତୁ ମେସି ୧୨ ମିନିଟ୍ ମଧ୍ୟ ଷ୍ଟାଡିୟମ୍ରେ ରହିନଥିଲେ। ୧୦ ମିନିଟ୍ ମଧ୍ୟରେ ମେସି ଷ୍ଟାଡିୟମ୍ ଛାଡି ଚାଲିଯାଇଥିଲେ। ଅନ୍ୟପକ୍ଷେ ବଲିଉଡ୍ ଅଭିନେତା ଶାହରୁଖ୍ ଖାନ୍ ମଧ୍ୟ ଷ୍ଟାଡିୟମ୍କୁ ଆସୁଥିବା କହି ଟିକଟ ବିକ୍ରି କରାଯାଇଥିଲା। ଏହି କାରଣରୁ ହଜାର ହଜାର ସଂଖ୍ୟକ ଲୋକ ଟିକଟ କିଣିଥିଲେ ମଧ୍ୟ ଶାହରୁଖ୍ ଖାନ୍ ଷ୍ଟାଡିୟମ୍କୁ ଆସିନଥିଲେ। ଅନେକ ପ୍ରଶଂସକ ୧୨ ହଜାରରୁ ମଧ୍ୟ ଅଧିକ ଟଙ୍କା ଦେଇ ଷ୍ଟାଡିୟମ୍କୁ ଆସିଥିଲେ କାରଣ ସେମାନେ ମେସି ଓ ଶାହରୁଖ୍ଙ୍କ ସହ ସେଲ୍ଫି ନେବାକୁ ଚାହୁଁଥିଲେ। କିନ୍ତୁ ସେଲ୍ଫି ଉଠାଇବା ଦୂରର କଥା ମେସିଙ୍କୁ ସେମାନେ ଠିକ୍ ଭାବେ ଦେଖି ମଧ୍ୟ ପାରିନଥିଲେ। ଯାହାକୁ ନେଇ ପ୍ରଶଂସକଙ୍କ ଭିତରେ ଉତ୍ତେଜନା ଦେଖାଦେଇଥିଲା ଏବଂ ପ୍ରଶଂସକମାନେ ଫୋଫଡା ଫିଙ୍ଗା ତଥା ଭଙ୍ଗାରୁଜା କରିବା ଆରମ୍ଭ କରିଦେଇଥିଲେ। ଉପସ୍ଥିତ ପୁଲିସ୍ ଟିମ୍ ନୀରିହ ଲୋକଙ୍କ ଭାବାବେଗକୁ ବୁଝିବା ବଦଳରେ ସେମାନଙ୍କ ଉପରେ ଓଲଟା ଲାଠିଚାର୍ଜ କରିଛି ବୋଲି ଷ୍ଟାଡିୟମ୍ରୁ ଫେରିଥିବା କିଛି ପ୍ରଶଂସକ ଅଭିଯୋଗ କରିଛନ୍ତି। ସେହିପରି ଷ୍ଟାଡିୟମ୍ ବାହାରେ ଥିବା ପ୍ରଶଂସକମାନେ ମଧ୍ୟ ଅନେକାଂଶରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲେ ମଧ୍ୟ ପରିସ୍ଥିତିକୁ ତୁରନ୍ତ ନିୟନ୍ତ୍ରଣକୁ ନେବାରେ ମୁତୟନ ପୁଲିସ୍ ଟିମ୍ ସଫଳ ହୋଇଥିଲା।
ଅନ୍ୟପକ୍ଷେ କାର୍ଯ୍ୟକ୍ରମରେ ଏପ୍ରକାର ଅଘଟଣ ଘଟିବାକୁ ନେଇ ଇଭେଣ୍ଟ ଆୟୋଜକ ଶତଦୃ ଦତ୍ତାଙ୍କୁ ପଶ୍ଚିମବଙ୍ଗ ପୁଲିସ୍ ଅଟକ ରଖିଛି। ଏହାରି ମଧ୍ୟରେ ପ୍ରଶଂସକଙ୍କ ସମସ୍ତ ଟଙ୍କା ଫେରସ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ନେଇ ପଶ୍ଚିମବଙ୍ଗ ଡିଜିପି ରାଜୀବ କୁମାର ସୂଚନା ଦେଇଛନ୍ତି। ସେହିପରି ଆଇନ ଏବଂ ଶୃଙ୍ଖଳା ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ଜାୱେଦ ଶାମିମ କହିଛନ୍ତି ଯେ, ଷ୍ଟାଡିୟମ୍ ଅଞ୍ଚଳରେ ଶାନ୍ତି ପୁନଃସ୍ଥାପିତ ହୋଇଛି। ଟ୍ରାଫିକ୍ ସ୍ୱାଭାବିକ ହୋଇଛି ଏବଂ ଦର୍ଶକମାନେ ସୁରକ୍ଷିତ ଭାବରେ ଘରକୁ ଫେରିଛନ୍ତି। ତେବେ ଘଟଣାକୁ ନେଇ ଏଫ୍ଆଇଆର୍ ପ୍ରସ୍ତୁତ କରାଯାଇଛି। ରାଜ୍ୟ ପୁଲିସ୍ ବିଭାଗ ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛି, ଘଟଣା ପାଇଁ ଦାୟୀ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିମ୍ବଦନ୍ତୀ ଫୁଟବଲ୍ ଖେଳାଳି ଲିଓନେଲ୍ ମେସି ସମ୍ପ୍ରତି ୩ ଦିନିଆ (୧୩ରୁ ୧୫) ଭାରତ ଗସ୍ତରେ ଅଛନ୍ତି। ଆର୍ଜେଣ୍ଟିନାକୁ ପ୍ରତିନିଧିତ୍ୱ କରୁଥିବା ଏହି ମହାନ୍ ଫୁଟବଲ ଖେଳାଳି ଶୁକ୍ରବାର ବିଳମ୍ବିତ ରାତି (୨:୩୦ ମିନିଟ୍) ସମୟରେ କୋଲକାତା ବିମାନବନ୍ଦରରେ ପହଞ୍ଚିଥିଲେ। ବିମାନବନ୍ଦରରେ ମଧ୍ୟ ତାଙ୍କର ଟିକେ ଝଲକ୍ ପାଇବା ପାଇଁ ଏତେ ରାତିରେ ମଧ୍ୟ ହଜାର ହଜାର ପ୍ରଶଂସକ ଭିଡ ଜମାଇଥିଲେ। ପ୍ରକାଶ ନିଜର ୩ ଦିନିଆ ଭାରତ ଗସ୍ତ ଅବସରରେ ମେସି କୋଲକତା, ହାଇଦ୍ରାବାଦ, ମୁମ୍ବାଇ ଏବଂ ଦିଲ୍ଲୀ ଆଦି ୪ ଭିନ୍ନ ଭିନ୍ନ ସହର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।










