ଭୁବନେଶ୍ୱର: ଗୋଟିଏ ପରେ ଗୋଟିଏ ଜାଗାରେ ଜାଲ ନୋଟ୍ କାରବାର ଘଟଣା ସାମ୍ନାକୁ ଆସିବା ପରେ ଜାଲ ନୋଟକୁ ନେଇ ବଢୁଛି ଚର୍ଚ୍ଚା । ଜାଲ ନୋଟ୍ କାରବାରର ପର୍ଦ୍ଦାଫାସ କଲା କ୍ରାଇମ୍ ବ୍ରାଞ୍ଚ ଏସଟିଏଫ । ଏସମ୍ପର୍କରେ ଭୁବନେଶ୍ୱର ଏସଟିଏଫ ଏବଂ ଟିଟିଲାଗଡ଼ ପୋଲିସ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଏକ ବ୍ୟାଗରେ ନକଲି ନୋଟ୍ ରଖି ମୂଲଚାଲ ପାଇଁ ଏକ ପାର୍ଟିକୁ ଅପେକ୍ଷା କରିଥିବା ଦୁଇ ଅଭିଯୁକ୍ତଙ୍କୁ ମାଡ଼ି ବସିଥିଲା ପୋଲିସର ଟିମ୍ । ରାଜଧାନୀ ଭୁବନେଶ୍ୱର ପରେ ବଲାଙ୍ଗିର ଟିଟିଲାଗଡ଼ରୁ ଧରାପଡ଼ିଛି ଜାଲ ନୋଟ୍ ।
ଟିଟିଲାଗଡ଼ରୁ ୫୦ ହଜାର ଟଙ୍କାର ୫୦୦ ଟଙ୍କିଆ ଜାଲ ନୋଟ୍ ଜବତ କରିଛି ପୋଲିସ । ଏହାସହ ସହ ୨ ଜଣଙ୍କୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚ ଏସଟିଏଫ । ଏହି ଅଭିଯୁକ୍ତ ମାନେ ହାଇ କ୍ୱାଲିଟି ଜାଲ ନୋଟ୍ ଛାପୁଥିଲେ । ତେଣୁ କେଉଁଠୁ ଜାଲ ନୋଟ୍ ଛାପିବା ପାଇଁ ମେଟେରିଆଲ ଆଣୁଥିଲେ, କାହାକୁ ଜାଲ ନୋଟ୍ ଦେଉଥିଲେ, ଏସବୁ ଦିଗରେ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଏହି ଜାଲ ନୋଟ୍ ରାକେଟର ଆନ୍ତଃରାଜ୍ୟ ଲିଙ୍କ୍ ନେଇ ଅଧିକ ଖୋଳତାଡ଼ ଚାଲିଛି ।
ସୂଚନାଯୋଗ୍ୟ କିଛି ଦିନ ତଳେ ରାଜଧାନୀ ଭୁବନେଶ୍ୱରରେ ନକଲି ପୋଲିସ ଡିଏସପିକୁ ବାନ୍ଧିଥିଲା ଅସଲି ପୋଲିସ । ଏହି ନକଲି ପୋଲିସ ଡିଏସପିକୁ ବାନ୍ଧିଥିଲା ସହିଦ ନଗର ଥାନା ପୋଲିସ । ନକଲି ଡିଏସପିର ନାଁ ମାନସ ରଞ୍ଜନ ସେନାପତି । ସେ ଭୁବନେଶ୍ୱରରେ ଖାରବେଳନଗର ଥାନା ଅଂଚଳରେ ଥିବା ମଧୁସୂଦନ ନଗରରେ ରହୁଥିଲା । ନକଲି ପରିଚୟ ପତ୍ର ଦେଖାଇ ଲୋକଙ୍କୁ ଚାକିରି ଦେବା ନାଁରେ ଠକୁଥିଲା । ତା ନିକଟରୁ ପୋଲିସ ୟୁନିଫର୍ମ, ନକଲି ଆପଏଣ୍ଟମେଣ୍ଟ ଲେଟର, ୨ ଲକ୍ଷରୁ ଅଧିକ ନକଲି ଟଙ୍କା, ନକଲି ପୋଲିସ ଆଇକାର୍ଡ,କାର, ମୋବାଇଲ ଫୋନ ଜବତ ହୋଇଥିଲା । ସେହିପରି ଜଣେ ନକଲି କନଷ୍ଟେବଲକୁ ମଧ୍ୟ ଗିରଫ କରାଯାଇଥିଲା । ତା’ ର ନାଁ ଆଶିଷ ସ୍ୱାଇଁ ଓ ଘର ପିପିଲି ଅଞ୍ଚଳରେ ।ଏମାନଙ୍କୁ ସହିଦ ନଗର ଅଞ୍ଚଳରୁ ନାଇଟ ବ୍ଲକିଂ ଚେକିଂ ବେଳେ ଧରିଥିଲା ପୋଲିସ ।