ନୂଆଦିଲ୍ଲୀ : ଭାରତ ବିରୋଧରେ ପାକିସ୍ତାନ ଓ ଚୀନ୍ର ଷଡଯନ୍ତ୍ର କମ୍ ହେବାର ନାଁ ଧରୁନି । ଦୁଇ ଦେଶ ଭାରତ ବିରୋଧରେ କାର୍ଯ୍ୟ କଳାପ ଜାରି ରଖିଛନ୍ତି । ଇଣ୍ଡିଆ ଟୁଡେର ଏକ ରିପୋର୍ଟ ଅନୁସାରେ ଚୀନ୍ ନିର୍ଦେଶରେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଜମ୍ମୁ-କଶ୍ମୀରର ଚିନାବ ବ୍ରିଜ୍ ବିଷୟରେ ସୂଚନା ଏକାଠି କରିବାରେ ଲାଗିଛି । ପାକିସ୍ତାନ ଓ ଚୀନ୍ ଗୁଇନ୍ଦା ଏଜେନ୍ସିର ତଥ୍ୟ ଏକାଠି ମାମଲା ଏବେ ଭାରତ ପାଇଁ ଆଗକୁ ଚିନ୍ତାର କାରର ପାଲଟି ପାରେ । ଉଲ୍ଲେଖନୀୟ ଯେ, ଚିନାବ ବ୍ରିଜ୍ ରିୟାସି ଓ ରାମବାନ ଜିଲ୍ଲାକୁ ଯୋଡୁଥିବା ରେଲୱେ ବ୍ରିଜ୍ ।
ଏହାକୁ ଦୁନିଆର ସବୁଠାରୁ ଉଚ୍ଚ ରେଲୱେ ବ୍ରିଜ୍ ଭାବରେ ଜଣାଯାଏ । ନିକଟରେ ଏହି ବ୍ରିଜ୍ ଉପରେ ଟ୍ରାଏଲ କରାଯାଇଥିଲା । ଭାରତୀୟ ରେଲୱେ କମାଲ ଦେଖାଇ କାଶ୍ମୀର ଘାଟିର ସଙ୍ଗଲଦାନରୁ ରିୟାସି ପର୍ଯ୍ୟନ୍ତ ପ୍ରାୟ ୪୬ କିଲୋମିଟର ମେମୁ ଟ୍ରେନ୍ ଉପରେ ପ୍ରଥମ ଥର ସଫଳ ପରୀକ୍ଷଣ କରାଯାଇଥିଲା । ଏଥିରେ ଦୁନିଆର ସବୁଠାରୁ ଉଚ୍ଚ ଚେନ୍ନାବ ରେଳ ବ୍ରିଜ୍ ରହିଛି । ବ୍ୟାପକ ନୀରିକ୍ଷଣ କରିବା ପରେ ୮ଟି କୋଚ୍ ଥିବା ମେମୁ ଟ୍ରେନ୍ର ସଫଳତାର ସହ ପରୀକ୍ଷଣ କରାଯାଇଛି । ଏହା ପ୍ରଥମ ପୁରା ଟ୍ରେନ୍ ଥିଲା, ଯାହାକି ଚେନ୍ନାବ ନଦୀ ଉପରେ ଦୁଗ୍ଗା ଓ ବକ୍କଲ ଷ୍ଟେସନ୍ ଭିତରେ ଦୁନିଆର ସବୁଠାରୁ ଉଚ୍ଚ ଆର୍ଚ ରେଳ ବ୍ରିଜ୍କୁ ପାର କରିଥିଲା । ଏହି ରେଳ ଖଣ୍ଡରେ ରିୟାସି, ବକ୍କଲ, ଦୁଗ୍ଗା ଓ ସାୱଲକୋଟ୍ ଷ୍ଟେସନ୍ ରିୟାସି ଜିଲ୍ଲାରେ ରହିଛି ।