ଭୁବନେଶ୍ୱର: ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆଜି ‘ଜାତୀୟ ଖାଉଟି ସୁରକ୍ଷା ଦିବସ-୨୦୨୫’ ପାଳିତ ହୋଇଯାଇଛି । ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଲେ ଯେ ଖାଉଟି ସଚେତନତା ହେଉଛି ଏହି ଉପଭୋକ୍ତା ଦିବସ ପାଳନର ମୂଳ ଉଦ୍ଦେଶ୍ୟ । ଖାଉଟି ଅଦାଲତ ଓ ନ୍ୟାୟ ବ୍ୟବସ୍ଥା ସମ୍ପର୍କରେ ପ୍ରତ୍ୟେକ ବ୍ୟକ୍ତି ଅବଗତ ହେବା ଆବଶ୍ୟକ । ଉତ୍ତମ ଗୁଣବତ୍ତାସଂପନ୍ନ ସାମଗ୍ରୀ ଓ ସେବା ପାଇବା ପ୍ରତ୍ୟେକ ଖାଉଟିର ଅଧିକାର । ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ରୋକିବା ଦିଗରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । ବିଭିନ୍ନ ସମୟରେ ଚଢ଼ାଉ କରାଯିବା ସହ ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି । କିନ୍ତୁ ଜନସାଧାରଣ ସଚେତନ ହେଲେ ହିଁ ନିଜ ଅଧିକାରର ସୁରକ୍ଷା କରିପାରିବେ ଏବଂ ଆବଶ୍ୟକ ସ୍ଥଳେ ଖାଉଟି ଅଦାଲତର ଦ୍ୱାରସ୍ଥ ହେବାକୁ ମନ୍ତ୍ରୀ ଶ୍ରୀ ପାତ୍ର ମତପ୍ରକାଶ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ କହିଲେ ଯେ ବରିଷ୍ଠ ଅଧିକାରୀମାନେ ନିୟମିତ ଭାବେ ବିଭିନ୍ନ ଜିଲ୍ଲାଗସ୍ତ କରି ଅଧିକାରୀଙ୍କ ସହଯୋଗରେ ତୃଣମୂଳ ସ୍ତରରେ ଖାଦ୍ୟ ସାମଗ୍ରୀର ଗୁଣବତ୍ତା ଯାଞ୍ଚ କରୁଛନ୍ତି । ପ୍ରତ୍ୟେକ ଲୋକ ଭାରତ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଗୁଣବତ୍ତା ମାନକର ପ୍ରମାଣପତ୍ର ବାବଦରେ ଅବଗତ ହେବା ଆବଶ୍ୟକ । ସୁନାର ଶୁଦ୍ଧତା ପାଇଁ ବିଆଇଏସ୍ ହାଲ୍ମାର୍କ ଏବଂ ଉପଭୋକ୍ତା ସାମଗ୍ରୀର ଗୁଣବତ୍ତା ଓ ନିରାପତ୍ତା ପାଇଁ ଆଇଏସ୍ଆଇ ପ୍ରମାଣପତ୍ର ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଛି । ଖାଉଟିମାନେ ସାମଗ୍ରୀ କ୍ରୟ ବେଳେ ଏହିସବୁ ପ୍ରମାଣପତ୍ର ସହ ପ୍ୟାକେଟ୍ ସାମଗ୍ରୀ ଉପରେ ଥିବା ମୂଲ୍ୟ, ପ୍ରସ୍ତୁତି ଓ ବୈଧତା ତାରିଖ ଆଦି ଯାଞ୍ଚ କରିବାକୁ ସେ ପରାମର୍ଶ ଦେଇଥିଲେ ।
ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍)ର ମୁଖ୍ୟ ତଥା ବରିଷ୍ଠ ନିର୍ଦ୍ଦେଶକ ଶ୍ରୀ ଅକ୍ଷୟ କୁମାର ପୁରୋହିତ ମୁଖ୍ୟବକ୍ତା ଭାବେ ଯୋଗଦେଇ ଖାଉଟିମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ଖାଉଟି ଅଦାଲତର କାର୍ଯ୍ୟଧାରା ଓ ଖାଉଟିମାନଙ୍କ ପାଇଁ ଥିବା ବିଭିନ୍ନ ସୁବିଧା ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ବିଭିନ୍ନ ସମୟରେ ଖାଉଟିମାନେ ଠକାମିର ଶିକାର ହେଉଥିବା ଦୃଷ୍ଟିରୁ ସରକାର ଏହାକୁ ରୋକିବା ପାଇଁ ବିଆଇଏସ୍ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରମାଣପତ୍ର ଜାରି କରୁଛନ୍ତି । ଗ୍ରାହକମାନେ ସାମଗ୍ରୀ କିଣିବାବେଳେ ଏହି ପ୍ରମାଣପତ୍ର ଦେଖି ସାମଗ୍ରୀ କ୍ରୟ କରିବାକୁ ସେ କହିଥିଲେ ।
ଖାଉଟି ବ୍ୟାପାର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ବିଶିକେଶନ ଦେହୁରୀ ଅତିଥିମାନଙ୍କୁ ସ୍ୱାଗତ କରି ‘ଜାତୀୟ ଖାଉଟି ସୁରକ୍ଷା ଦିବସ’ ପାଳନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ସାରା ଭାରତରେ ଖାଉଟିମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଥିବା ସେ ପ୍ରକାଶ କରିଥିଲେ । ‘ଜାତୀୟ ଖାଉଟି ସୁରକ୍ଷା ଦିବସ’ ଉପଲକ୍ଷେ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମନ୍ତ୍ରୀ ଶ୍ରୀ ପାତ୍ର ପୁରସ୍କୃତ କରିଥିଲେ । ମନ୍ତ୍ରୀ ଶ୍ରୀ ପାତ୍ର ମଧ୍ୟ ମାସିକ ପତ୍ରିକା ‘ଖାଉଟି ବାର୍ତ୍ତା’ର ଉନ୍ମୋଚନ କରିଥିଲେ । ଏହି ଅବସରରେ ବିଭାଗ ପକ୍ଷରୁ କ୍ଷୁଦ୍ର ନାଟିକା ‘ଇ-ନ୍ୟାୟ: ସମୟର ସ୍ୱର’ ପରିବେଷିତ ହୋଇଥିଲା । ଅନୁଶାସନ ସଚିବ ଶ୍ରୀ ମନୋଜ କୁମାର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ । ।










