ଭୁବନେଶ୍ୱର: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଥିଲେ ଅପାର ଗୁଣର ଅଧିକାରୀ । ରାଜା ଭାବରେ ସେ ଥିଲେ ପ୍ରଜାନୁରଞ୍ଜନ । ପ୍ରଜାମାନଙ୍କ ହିତ ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ । ଖଣ୍ଡବିଖଣ୍ଡିତ ଓଡ଼ିଶାର ଏକୀକରଣ ତଥା ଭାଷାଭିତ୍ତିରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠନ କରିବା ପାଇଁ ଯେଉଁ ଆନ୍ଦୋଳନର ସୂତ୍ରପାତ ହୋଇଥିଲା, ସେଥିରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ମତପ୍ରକାଶ କରିଛନ୍ତି ।
ଆଜି ସ୍ଥାନୀୟ ଜୟଦେବ ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ମୟୂରଭଞ୍ଜ ସାଂସ୍କୃତିକ ସଂସଦର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିଲେ ଯେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରଗତିଶୀଳ ଭାବନା, ପ୍ରଶାସନିକ ଦକ୍ଷତା ଓ ଲୋକ କଲ୍ୟାଣକାରୀ ପଦକ୍ଷେପ ମୟୂରଭଞ୍ଜକୁ ଭାରତର ସବୁଠାରୁ ଅଧିକ ଉନ୍ନତ ରାଜ୍ୟମାନଙ୍କ ମଧ୍ୟରେ ଗଢ଼ି ଉଠିବାରେ ସାହାଯ୍ୟ କରିଥିଲା । ମୟୂରଭଞ୍ଜର ଅରଣ୍ୟ ସମ୍ପଦ ଓ ଖଣିଜ ସମ୍ପଦର ସେ ପୁନର୍ମୂଲ୍ୟାୟନ କରିଥିଲେ ଏବଂ ତାଙ୍କ ଅମଳରେ ବୈଜ୍ଞାନିକ ଉପାୟରେ ଲୌହ ଉତ୍ପାଦନ ଆରମ୍ଭ ହୋଇଥିଲା । ଯୋଗାଯୋଗର ଉନ୍ନତିକରଣ ପାଇଁ ରୂପସା-ବାରିପଦା ରେଳପଥ, ୫୦୦ ମାଇଲ୍ ରାସ୍ତା ନିର୍ମାଣ ସାଙ୍ଗକୁ କୃଷିର ଉନ୍ନତି ପାଇଁ ଜଳଭଣ୍ଡାର ଓ ଶିକ୍ଷାର ପ୍ରସାର ପାଇଁ ପ୍ରାଇମେରୀ ସ୍କୁଲ ସ୍ଥାପନ ତାଙ୍କ ଶାସନର ଅନ୍ୟତମ ଅଂଶ ଥିଲା । ଉତ୍କଳ ଜନନୀର ଏହି ଯୋଗଜନ୍ମା ସୁଯୋଗ୍ୟ ସନ୍ତାନ ଆଜି ସମଗ୍ର ଓଡ଼ିଆ ଜାତିର ଚିର ନମସ୍ୟ ବୋଲି ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ଉଲ୍ଲେଖ କରିଥିଲେ ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କରଞ୍ଜିଆ ବିଧାୟକ ଶ୍ରୀ ପଦ୍ମଚରଣ ହାଇବୁରୁ କହିଲେ ଯେ ମୟୂରଭଞ୍ଜ ତଥା ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଅବଦାନ ଅବିସ୍ମରଣୀୟ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ, ଭାଷା ଆନ୍ଦୋଳନ, ଅରଣ୍ୟ ଓ ଖଣିଜ ସଂପଦର ପୁନଃମୂଲ୍ୟାୟନ, ଶିଳ୍ପାୟନ ଆଦି ପ୍ରତି କ୍ଷେତ୍ରରେ ତାଙ୍କର ଦୂରଦର୍ଶୀ ଚିନ୍ତାଧାରା ଓ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ସ୍ପଷ୍ଟ ଭାବରେ ପ୍ରତିଫଳିତ । ତାଙ୍କ ରାଜତ୍ୱ କାଳରେ ମୟୂରଭଞ୍ଜ ଏକ ଆଦର୍ଶ ରାଜ୍ୟ ପାଲଟିଥିଲା ବୋଲି ସେ ମତବ୍ୟକ୍ତ କରିଥିଲେ ।
ସମ୍ମାନନୀୟ ବକ୍ତା ଭାବେ ଯୋଗଦେଇ ମୟୂରଭଞ୍ଜ ସାଂସ୍କୃତିକ ସଂସଦର ସାଧାରଣ ସମ୍ପାଦକ ଡ. ରଜନୀକାନ୍ତ ବିଶ୍ୱାଳ କହିଲେ ଯେ ମହାରାଜା ଶ୍ରୀ ଭଞ୍ଜଦେଓ ଓଡିଶା ଓ ଓଡ଼ିଆ ଜାତିର ଉନ୍ନତି ପାଇଁ ନିଜକୁ ସମର୍ପିତ କରିଥିଲେ । ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ସେ ସଭାପତିତ୍ୱ କରିଥିଲେ । ମୟୂରଭଞ୍ଜର ରାଜା ହେଲେ ମଧ୍ୟ ସମଗ୍ର ଓଡ଼ିଶାର ସାମାଜିକ-ରାଜନୈତିକ ସଂସ୍କାର ଦିଗରେ ତାଙ୍କର ଅବଦାନ ଅତୁଳନୀୟ । ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରିକରଣ ଦିଗରେ ତାଙ୍କର ଉଦ୍ୟମ ଚିରସ୍ମରଣୀୟ ବୋଲି ସେ ମତପ୍ରକାଶ କରିଥିଲେ ।
ସଭା ଆରମ୍ଭରେ ଅତିଥିମାନେ ଓଡ଼ିଶାର ବରପୁତ୍ର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସପଟ୍ଟନାୟକ ଅତିଥିମାନଙ୍କୁ ସ୍ୱାଗତ କରି କହିଲେ ଯେ ଓଡ଼ିଶାର ପ୍ରଥମ ରେଳପଥ ମହାରାଜା ଶ୍ରୀ ଭଞ୍ଜଦେଓଙ୍କ ଶାସନକାଳରେ ନିର୍ମିତ ହୋଇଥିଲା । ହଳଦିଆ ଓ ବାଲିଡିହାଠାରେ ଦୁଇଟି ଜଳଭଣ୍ଡାର ନିର୍ମାଣ, ମୟୂରଭଞ୍ଜ ଷ୍ଟେଟ୍ କାଉନ୍ସିଲ୍ ଗଠନ, ପୋଲିସ ବିଭାଗ ସୃଷ୍ଟି, ବିଚାର ବିଭାଗର ପୃଥକୀକରଣ ଆଦି ବହୁ ଜନକଲ୍ୟାଣକାରୀ କାର୍ଯ୍ୟ ଥିଲା ମହାରାଜା ଶ୍ରୀ ଭଞ୍ଜଦେଓଙ୍କ ଅବଦାନ । ଭାଷାଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସେ ଅନ୍ୟତମ ପୁରୋଧା ଥିଲେ ବୋଲି ଶ୍ରୀ ଦାସପଟ୍ଟନାୟକ କହିଥିଲେ । କାର୍ଯ୍ୟକ୍ରମ ଶେଷରେ ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ । ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ରୋଜାଲିନ୍ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।ଏହି ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ବେହୁରିଆ, ଉପନିର୍ଦ୍ଦେଶକ ଶ୍ରୀମତୀ ଦୀପ୍ତିମୟୀ ମହାପାତ୍ରଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ ।










