ୱାଶିଂଟନ୍ : ଆମେରିକାର ନବଗଠିତ ସରକାରଙ୍କ ଡିପାର୍ଟମେଣ୍ଟ ଅଫ୍ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି (ଡିଓଜିଇ) ମୁଖ୍ୟ ତଥା ବିଶ୍ୱର ୧ ନଂ ଧନୀ ବ୍ୟବସାୟୀ, ଟେସଲା କମ୍ପାନୀ ମୁଖ୍ୟ ତଥା ସ୍ପେସ୍ଏକ୍ସ ମୁଖ୍ୟ ଏଲନ୍ ମସ୍କ ଏବେ ଏବ ବଡ଼ ବୟାନ୍ ଦେଇଛନ୍ତି, ଯାହାକୁ ନେଇ ଏବେ ପୁରା ଆମେରିକାରେ ଚହଳ ସୃଷ୍ଟି ହୋଇଛି। ମସ୍କ କହିଛନ୍ତି, ତାଙ୍କ ଅନ୍ତରୀୟ ମହାକାଶ ଗବେଷଣା ସଂସ୍ଥା ‘ସ୍ପେସ୍ଏକ୍ସ’ ମାସକ ପୂର୍ବରୁ ଅନ୍ତରୀକ୍ଷରେ ଫସିରହିଥିବା ମହାକାଶଚାରୀ ସୁନୀତା ୱଲିୟମ୍ସ ଏବଂ ତାଙ୍କ ସାଥୀ ମହାକାଶଚାରୀ ବୁଚ୍ ୱିଲମୋରଙ୍କୁ ପୃଥିବୀ ପୃଷ୍ଠକୁ ଫେରାଇ ଆଣିସାରନ୍ତେଣି, କିନ୍ତୁ ଯେତେବେଳେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ସେ (ମସ୍କ ନିଜେ) ଏସମ୍ପର୍କରେ ପ୍ରସ୍ତାବ ଦେଲେ ସେତେବେଳେ ବାଇଡେନ୍ କୁଆଡେ ଏନେଇ ସାମାନ୍ୟତମ ଆଗ୍ରହ ଦେଖାଇନଥିଲେ କିମ୍ବା ଅନୁମତି ଦେଇନଥିଲେ। ବାଇଡେନ୍ କୁଆଡେ ସିଧାସଳଖ ଏପ୍ରକାର ଅନ୍ତରୀକ୍ଷ ଅଭିଯାନକୁ ମନା କରିଦେଇଥିଲେ।
ମସ୍କ କହିଛନ୍ତି, ଯେତେବେଳେ ଡୋନାଲ୍ଡ ଟ୍ରମ୍ପ୍ ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଲେ ସେତେବେଳେ ସେ (ଟ୍ରମ୍ପ୍) ତାଙ୍କୁୂ (ମସ୍କ) ସୁନୀତା ଏବଂ ବୁଚ୍ ୱିଲମୋରଙ୍କୁ ପୃଥିବୀ ପୃଷ୍ଠକୁ ଫେରାଇ ଆଣିବା ପାଇଁ ଅନୁରୋଧ କରିଥିଲେ। ଟ୍ରମ୍ପ୍ଙ୍କ ଉଦ୍ବେଗକୁ ଦୃଷ୍ଟିରେ ରଖି ତାଙ୍କ କମ୍ପାନୀ ସ୍ପେସ୍ଏକ୍ସ ଏବେ ଉଭୟ ମହାକାଶଚାରୀଙ୍କୁ “ଯେତେଶୀଘ୍ର ସମ୍ଭବ” ଫେରାଇ ଆଣିବା ପାଇଁ କାମ କରୁଛି ବୋଲି ମସ୍କ କହିଛନ୍ତି। ସ୍ପେସଏକ୍ସର ସିଇଓ ଏଲୋନ ମସ୍କ ତାଙ୍କର ଦାବିକୁ ଦୋହରାଇବାକୁ ଯାଇ କହିଛନ୍ତି ଯେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ(ଆଇଏସ୍ଏସ୍)ରେ ଫସି ରହିଥିବା ନାସାର ଏହି ୨ ମହାକାଶଚାରୀମାନଙ୍କୁ ଫେରାଇ ଆଣିବା ପାଇଁ ଏକ ଡ୍ରାଗନ କ୍ୟାପସୁଲ ପଠାଇବାକୁ ସେ ନିଜେ ପ୍ରସ୍ତାବ ଦେଇଥିଲେ ମଧ୍ୟ ବାଇଡେନ୍ ପ୍ରଶାସନ ସେତେବେଳେ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା।
ଏଲନ୍ ମସ୍କଙ୍କ ଏପ୍ରକାର ମନ୍ତବ୍ୟ ଘରୋଇ ମହାକାଶ ମିଶନ ଉପରେ ସରକାରୀ ନିୟନ୍ତ୍ରଣ ବିଷୟରେ ବିତର୍କକୁ ପୁଣିଥରେ ଆରମ୍ଭ କରିଛି, ସମାଲୋଚକମାନେ ଅଭିଯୋଗ ପ୍ରତ୍ୟାଖ୍ୟାନ ପଛରେ ଥିବା ଯୁକ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ନାସାର ମହାକାଶଚାରୀମାନେ ମହାକାଶରେ କାହିଁକି ଫସି ରହିଛନ୍ତି? ଏହା ଏବେ ଏକ ବଡ଼ ପ୍ରଶ୍ନବାଚୀ ହୋଇଛି। ୱିଲମୋର ଏବଂ ୱିଲିୟମ୍ସ ଆଇଏସ୍ଏସ୍କୁ ଯିବା ରାସ୍ତାରେ ତାଙ୍କ ମହାକାଶଯାନଟି ଅନେକ ଯାନ୍ତ୍ରିକ ସମସ୍ୟାର ସମ୍ମୁଖୀନ ହୋଇଥିଲା, ଯାହା ଫଳରେ ନାସା ଏହାକୁ ଫେରିବା ପାଇଁ ଅସୁରକ୍ଷିତ ବୋଲି ବିବେଚନା କରିଥିଲା। ଫଳସ୍ୱରୂପ, ମହାକାଶଚାରୀମାନେ ଯୋଜନା ଅପେକ୍ଷା କିଛି ମାସ ଅଧିକ ସମୟ ଆଇଏସଏସ୍ରେ ରହିବାକୁ ବାଧ୍ୟ ହୋଇଛନ୍ତି। ତେବେ ମହକାଶଚାରୀଙ୍କୁ ଫେରାଇଆଣିବା ପ୍ରସଙ୍ଗରେ ରାଜନୈତିକ ସମ୍ପୃକ୍ତି ଆମେରିକାରେ ଚର୍ଚ୍ଚାର ପ୍ରସଙ୍ଗ ସାଜିଛି।










