ବାଲେଶ୍ଵର: ହାତୀ ପାଇଁ ରାତି ଉଜାଗର । ଗଛ ଉପରେ ମଞ୍ଚା ବାନ୍ଧି କ୍ଷେତ ଜଗୁଛନ୍ତି ଚାଷୀ । ବାଲେଶ୍ଵର ଜିଲ୍ଲା କୁଳଡିଆ ଅଭୟାରଣ୍ୟ ପାଦଦେଶର ଗୁଡିଖୋଳା, ଖମକୁଟ, ଖୁଲିଆ, ଝୁଲପୁର ଆଦି ଅଞ୍ଚଳରେ ସନ୍ଧ୍ୟା ହେଲେ ହାତୀ ଉପଦ୍ରବ ଖେଳାଇଥାନ୍ତି । ଏବେ ଧାନ ଅମଳ ସମୟ ହୋଇଥିବାରୁ ବନବିଭାଗକୁ ଅପେକ୍ଷା ନକରି ନିଜ ବର୍ଷକର ଫସଲକୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡିଛନ୍ତି ଲୋକେ । କୁଳଡିଆ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ସଂଖ୍ୟା ବଢୁଥିବା ବେଳେ ସେମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ମିଳୁନାହିଁ । ଯେଉଁଥିପାଇଁ ଖାଦ୍ୟ ଅନ୍ଵେଷଣରେ ଗାଁ ମୁହାଁ ହେଉଛି ହାତୀପଲ । ଏବଂ ନଷ୍ଟ କରୁଛନ୍ତି ଏକର ଏକର ଧାନ ଫସଲ । ହାତୀ ଘଉଡାଇବା ପାଇଁ ଚାଷୀ ବାରମ୍ବାର ବନବିଭାଗ ନିକଟକୁ ଧାଉଁଛନ୍ତି ହେଲେ ଅଞ୍ଚଳରେ ବନବିଭାଗ ପକ୍ଷରୁ ପଇଁତରା ମରାଯାଉନି ।










