ଝାରସୁଗୁଡ଼ା : ରାଜ୍ୟରେ ବଢ଼ିଚାଲିଛି ହାତୀ ଉପଦ୍ରବ । ଜଣକ ପରେ ଜଣଙ୍କ ଜୀବନ ନେଉଛି ଦନ୍ତା ହାତୀ । ୪ ଦିନରେ ଗଲାଣି ୪ ଜଣଙ୍କ ଜୀବନ । ପ୍ରଥମେ ସୁନ୍ଦରଗଡ଼, ପରେ ଢେଙ୍କାନାଳ ଏବଂ ଆଜି ଝାରସୁଗୁଡ଼ାରେ ଜଣଙ୍କ ଜୀବନ ନେଇଛି ଦନ୍ତା ହାତୀ । ହାତୀ ଆକ୍ରମଣର ପୁଣି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଝାରସୁଗୁଡ଼ା କିର୍ମିରା ବ୍ଲକ ଭାଳୁପତ୍ରା ଗ୍ରାମର ଫକିର କିସାନ । ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ସକାଳୁ କିର୍ମିରା ବ୍ଲକ ଭାଳୁପତ୍ରା ଗ୍ରାମରେ ସକାଳୁ ସକାଳୁ ଏକ ଦନ୍ତା ହାତୀ ଫସଲ ନଷ୍ଟ କରୁଥିବା ବେଳେ ବନ ବିଭାଗ ଓ ଗ୍ରାମବାସୀ ମିଳିତ ଭାବରେ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । ସେହି ସମୟରେ ହଠାତ ହାତୀଟି ପଛକୁ ଫେରି ଆସି ଆକ୍ରମଣ କରିଥିଲା । ସେହି ସମୟରେ ଫକିର କିସାନ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ତଳେ ପଡ଼ିଯାଇଥିଲେ ଏବଂ ହାତୀ ଯୁବକଙ୍କୁ ଦଳି ଦେଇଥିଲା । ତାଙ୍କୁ ତୁରନ୍ତ କିର୍ମିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ କିର୍ମିରା ବ୍ଲକ ବୁଟୁପାଲି ଗ୍ରାମରେ ବିଳମ୍ବିତ ରାତି ୨ ଟା ରୁ ୩ ଟା ମଧ୍ୟରେ ହାତୀ ଉପଦ୍ରବ କରିଥିବା ଜଣାପଡ଼ିଛି । ବୁଟୁପାଲି ଗ୍ରାମର ପ୍ରତାପ ରକ୍ସାଙ୍କ ଘର ଭାଙ୍ଗି ଦେଇଛି ହାତୀ । ଘରେ ସମସ୍ତେ ଶୋଇଥିବା ସମୟରେ ଆକ୍ରମଣ କରିଥିଲା ହାତୀ । ଏଥିରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି ।










