ନୂଆଦିଲ୍ଲୀ: ଗତ ବୁଧବାର ୭ ରାଜ୍ୟର ୧୩ ବିଧାନସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନର ଫଳାଫଳ ଆଜି ସାମ୍ନାକୁ ଆସିଛି । ଏଥିରେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟକୁ ଏହି ଉପନିର୍ବାଚନରେ ୧୦ଟି ଆସନ ମିଳିଥିବା ବେଳେ ବିଜେପିକୁ ମାତ୍ର ୨ଟି ଆସନରେ ହିଁ ସନ୍ତୁଷ୍ଟ ରହିବାକୁ ପଡିଛି । ସେହିପରି ଗୋଟିଏ ବିଧାନସଭା ଆସନରେ ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।
୭ ରାଜ୍ୟ ଯଥା ପଞ୍ଜାବ, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ବିହାର ଓ ତାମିଲନାଡୁର ମୋଟ୍ ୧୩ଟି ଆସନ ପାଇଁ ଗତ ୧୦ ତାରିଖ (ବୁଧବାର) ଦିନ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆଜି ଭୋଟ୍ ଗଣତି ସହ ଫଳାଫଳ ସାମ୍ନାକୁ ଆସିଛି । ୧୩ ଆସନ ମଧ୍ୟରେ ହିମାଚଳ ପ୍ରଦେଶର ୩ଟି, ପଶ୍ଚିମବଙ୍ଗର ୪ଟି ଓ ଉତ୍ତରାଖଣ୍ଡର ୨ଟି ଆସନ ସାମିଲ ରହିଥିଲା । ସେହିପରି ବାକି ୪ ରାଜ୍ୟ (ପଞ୍ଜାବ, ତାମିଲନାଡୁ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ)ର ଗୋଟିଏ ଲେଖାଏ ବିଧାନସଭା ଆସନ ମଧ୍ୟ ଏହି ଉପନିର୍ବାଚନ ପ୍ରକ୍ରିୟାରେ ସାମିଲ ରହିଥିଲା । ତେବେ ଏସବୁ ମଧ୍ୟରୁ ବିଜେପିକୁ ହିମାଚଳ ପ୍ରଦେଶର ହମିରପୁର ଏବଂ ମଧ୍ୟପ୍ରଦେଶର ଅମରାୱର ଆସନରେ ବିଜୟ ମିଳିଥିବା ବେଳେ ବାକି ୧୧ଟି ଆସନରେ ପରାଜୟର ସ୍ୱାଦ ଚାଖିବାକୁ ପଡିଛି ।
ପଶ୍ଚିମବଙ୍ଗର ୪ଟି ବିଧାନସଭା ଆସନ (ରାଇଗଞ୍ଜ, ରାଣାଘାଟ୍ ଦକ୍ଷିଣ, ବଗଡା ଓ ମାଣିକତାଲା)ରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଏସବୁ ଆସନକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମ୍ସି) ହାତେଇବାରେ ସଫଳ ହୋଇଛି । ୪ଟି ଯାକ ଆସନରେ ବିଜୟ ଲାଭ ସହ ଟିଏମ୍ସି ପୁଣିଥରେ ପଶ୍ଚିମବଙ୍ଗରେ ନିଜ ଦବ୍ଦବାର ବଳିଷ୍ଠ ପ୍ରମାଣ ଦେଇଛି । ସେହିପରି ହିମାଚଳ ପ୍ରଦେଶର ୩ଟି ବିଧାନସଭା ଆସନ (ଡେହରା, ନାଳଗଡ଼ ଓ ହମିରପୁର) ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଏଥିରୁ ୨ଟି ଆସନ (ଡେହରା ଓ ନାଳଗଡ଼)ରେ କଂଗ୍ରେସ ବିଜୟ ଲାଭ କରିଛି । ଡେହରା ଆସନରେ ହିମାଚଳ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସୁଖବିନ୍ଦର ସିଂହ ସୁଖୁଙ୍କ ପତ୍ନୀ କମଲେଶ ଠାକୁର ବିଜୟୀ ହୋଇଛନ୍ତି । କମଳେଶ ଠାକୁର ପ୍ରଥମ ଥର ପାଇଁ କୌଣସି ନିର୍ବାଚନ ଲଢ଼ିଥିବା ବେଳେ ବିଜୟ ଲାଭ କରିଛନ୍ତି । ସେହିପରି ରାଜ୍ୟର ନାଳଗଡ଼ ଆସନରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ବିଜୟ ଲାଭ କରିଥିବା ଜଣାପଡିଛି । ତେବେ ବିଜେପି କେବଳ ହମିରପୁର ଆସନକୁ ଅକ୍ତିଆର କରିବାରେ ସଫଳ ହୋଇଛି ।
ଏତଦ୍ବ୍ୟତୀତ ପଞ୍ଜାବର ଗୋଟିଏ ଆସନ (ପଶ୍ଚିମ ଜଳନ୍ଧର) ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଏହି ଆସନରେ ଆମ୍ ଆଦ୍ମୀ ପାର୍ଟି (ଆପ୍) ବିଜୟୀ ହୋଇଛି । ଆପ୍ ପ୍ରାର୍ଥୀ ମୋହିନ୍ଦର ଭଗତ୍ ଏଠାରେ ୨୩ହଜାରରୁ ଊର୍ଦ୍ଧ୍ୱ ଭୋଟ୍ରେ ବିଜୟୀ ହୋଇଛନ୍ତି । ସେହିପରି ତାମିଲନାଡୁରେ ଡିଏମ୍କେ ପ୍ରାର୍ଥୀ ଅନ୍ନିୟୁର୍ ଶିବା ପ୍ରାୟ ୬୦ ହଜାର ଭୋଟ୍ ବ୍ୟବଧାନରେ ବିକ୍ରାଭାଣ୍ଡି ବିଧାନସଭା ଆସନରେ ବିଜୟୀ ହୋଇଛନ୍ତି । ତାମିଲନାଡୁ ଏହି ଗୋଟିଏ ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବିହାରର ରୁପୌଲୀ ଆସନରେ ହୋଇଥିବା ଉପନିର୍ବାଚନରେ ଜେଡିୟୁ ପ୍ରାର୍ଥୀଙ୍କୁ ହରାଇ ଶଙ୍କର ସିଂହ ନାମକ ଜଣେ ସ୍ୱାଧୀନ ପ୍ରାର୍ଥୀ ୮୨୪୬ ଖଣ୍ଡ ଭୋଟ୍ରେ ପରାସ୍ତ କରିଛନ୍ତି । ୫ଥରର ବିଧାୟିକା ତଥା ଜେଡିୟୁ ପ୍ରାର୍ଥୀ କଲନ୍ଧର ପ୍ରସାଦ ମଣ୍ଡଳଙ୍କୁୂ ପରାସ୍ତ କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ଶଙ୍କର ସିଂହ । ଅନ୍ୟପକ୍ଷେ ଉତ୍ତରାଖଣ୍ଡର ୨ଟି ଆସନ ବଦ୍ରିନାଥ ଓ ମାଙ୍ଗଲୌରରେ କଂଗ୍ରେସ ବିଜୟୀ ହୋଇଥିବା ବେଳେ ମଧ୍ୟପ୍ରଦେଶର ଅମରାୱର ଆସନରେ ବିଜେପି ବିଜୟୀ ହୋଇଛି । ମଧ୍ୟପ୍ରଦେଶର ଏହି ଗୋଟିଏ ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ।










