ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ ଖାଦ୍ୟ କାରଖାନା ଉପରେ ଚଢାଉ କରିଛି । କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ଭୋପାଳରେ ରହିଛି । ନକଲି ଲ୍ୟାବ କରି ନିମ୍ନ ମାନର ଦୁଗ୍ଧଜାତ ଖାଦ୍ୟ ପ୍ରସ୍ତୁତ କରି ବିଦେଶକୁ ପଠାଉଥିଲେ । ଏହି ଅଭିଯୋଗରେ ଜାନୁଆରୀ ୨୯ରେ ଭୋପାଳ , ସେହୋର ଏବଂ ମୋରେନୋ ଜିଲ୍ଲାରେ ଇଡି ଖାଦ୍ୟ କାରଖାନା ଉପରେ ଚଢଉ କରିଛି । ହେଲେ ଏହା ସହି ନପାରି ଖାଦ୍ୟ କାରଖାନାର ମାଲିକ କିଶମ ମୋଦୀଙ୍କ ସ୍ତ୍ରୀ ପାୟଲ ସ୍ୱାମୀ ଆତ୍ମହତ୍ୟାର ଉଦ୍ୟମ କରିଛନ୍ତି । ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ଥିବା ହେତୁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଭଗବାନ ସିଂ ରାଜପୁତ ନାମକ ଜଣେ ସାମାଜିକ କର୍ମୀ ଏକ ଲିଖିତ ଅଭିଯୋଗ କରିଥିଲେ । କମ୍ପାନୀ ଅତି ନିମ୍ନମାନର ପନିର , ବଟର , ଘିଅ ଏବଂ ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟ ବିକ୍ରି କରୁଛି । ଏବଂ ସବୁ ଲ୍ୟାବ ତାର ନକଲି ଅଟେ । ଏହାରି ପରେ କମ୍ପାନୀର ବିରୋଧରେ ଏକ ମାମଲା ପଞ୍ଜିକରଣ କରାଯାଇଥିଲା ।
ତାଙ୍କ ଘରୁ ୬୬ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ପାଇଛି । ଏହା ଛଡା ୨୫ ଲକ୍ଷ ନଗଦ , ବିଏମ ଡବ୍ଲ୍ୟୁୁ ଏବଂ ଫର୍ଚ୍ୟୁନର ଜବତ କରିଛି । ଏହି କମ୍ପାନୀ ୧୭ ଟି ଦେଶକୁ ଦୁଗ୍ଧଜାତ ଦ୍ରବ୍ୟ ରପ୍ତାନୀ କରୁଥିଲା । ଆର୍ଥିକ ହେରଫେର ହୋଇଥିବା ନେଇ ଇଡି ଚଢଉ କରିଛି । ବିଦେଶକୁ ଖାଦ୍ୟ ପଠାଇବା ବେଳେ ନକଲି ପ୍ରମାଣ ପତ୍ର ବ୍ୟବହାର କରୁଛି । ଦୁଇ ବର୍ଷ ପୂର୍ବେ ଆୟକର ବିଭାଗ କମ୍ପାନୀ ଉପରେ ଚଢଉ କରିଥିଲା । ତାପରେ କମ୍ପାନୀ ବନ୍ଦ ହୋଇଯାଇଥିଲା । ଏହି କମ୍ପାନୀରୁ ବାହାରୁଥିବା ଦୂଷିତ ଜଳ ଜମିରେ ପଶି ଫସଲକୁ ନଷ୍ଟ କରୁଛି । ଏଥିପାଇଁ ୧.୨ କୋଟି ଟଙ୍କା କମ୍ପାନୀ ଉପରେ ଜରିମାନା ଲାଗୁ କରାଯାଇଥିଲା ।










