28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଅର୍ଥନୈତିକ ସର୍ଭେ ରିପୋର୍ଟ-୨୦୨୪ ଉପସ୍ଥାପିତ; ୭% ଛୁଇଁବ ଜିଡିପି, ୪.୫%କୁ ହ୍ରାସ ପାଇବ ମୁଦ୍ରାସ୍ଫୀତି

ଅର୍ଥନୈତିକ ସର୍ଭେ ରିପୋର୍ଟ-୨୦୨୪ ଉପସ୍ଥାପିତ; ୭% ଛୁଇଁବ ଜିଡିପି, ୪.୫%କୁ ହ୍ରାସ ପାଇବ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ: ମଙ୍ଗଳବାର ୨୦୨୪-୨୫ ଅର୍ଥବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ । ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିଛନ୍ତି ୨୦୨୪ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ । ଲୋକସଭାରେ ଉପସ୍ଥାପିତ ଏହି ରିପୋର୍ଟରେ ଘରୋଇ କ୍ଷେତ୍ର ତଥା ସରକାରୀ-ବେସରକାରୀ ଭାଗିଦାରୀ (ପିପିପି) ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିବାର ଦେଖିବାକୁ ମିଳିଛି । ଏତଦ୍‌ବ୍ୟତୀତ ୨୦୨୪-୨୫ ଆର୍ôଥକ ବର୍ଷରେ ଦେଶର ସକଳ ଘରୋଇ ଉତ୍ପାଦ (ଜିଡିପି) ୬.୫%ରୁ ୭% ମଧ୍ୟରେ ରହିବ ଏବଂ ମୁଦ୍ରାସ୍ଫୀତି ହାର ପ୍ରାୟ ୪.୫%କୁ ହ୍ରାସ ପାଇବ ବୋଲି ରିପୋର୍ଟରେ ପୂର୍ବାନୁମାନ କରାଯାଇଛି । ସେହିପରି ୨୦୨୫-୨୬ ଆର୍ôଥକ ବର୍ଷରେ ମୁଦ୍ରାସ୍ଫୀତି ହାର ୪.୧% ହେବ । ଅନେକ ଆହ୍ୱାନ ବା ଅନିଶ୍ଚିତତା ତଥା ବ୍ୟାପକ ଅସ୍ଥିରତା ସତ୍ତ୍ୱେ ଦେଶର ଅର୍ଥନୀତି ଆଗକୁ ବଢ଼ିବ ବୋଲି ମଧ୍ୟ ଏହି ସର୍ଭେ ରିପୋର୍ଟ ଦର୍ଶାଇଛି । ଭାରତର ଅର୍ଥନୀତି ଦୃଷ୍ଟିକୋଣ ଉଜ୍ଜ୍ୱଳ ବୋଲି ଦର୍ଶାଇଛନ୍ତି ଅର୍ଥମନ୍ତ୍ରୀ ।

ରିପୋର୍ଟ ଅନୁସାରେ ବିଶ୍ୱସ୍ତରରେ ଅନେକ ଆହ୍ୱାନ ସତ୍ତ୍ୱେ ଭାରତୀୟ ଅର୍ଥନୀତି ଆଗକୁ ବଢ଼ିଛି । ସେହିପରି ଅର୍ଥନୀତିରେ ସ୍ଥିରତା ଯୋଗୁ ବିଶ୍ୱସ୍ତରରେ ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ କମ୍ ମାତ୍ରାରେ ପଡ଼ିଛି । ଯାହାଫଳରେ ଗତ ୨୦୨୪ ଆର୍ôଥକ ବର୍ଷରେ ଦେଶର ଜିଡିପି ୮.୨% ରହିଥିଲା । ସର୍ବଭାରତୀୟ ବାର୍ଷିକ ବେରୋଜଗାର ହାର ମଧ୍ୟ ହ୍ରାସ ପାଉଥିବା ସାମ୍ନାକୁ ଆସିଛି । ବିଶେଷକରି କରୋନା ମହାମାରୀଜନିତ ଭୟାବହତା ପରଠାରୁ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ନିଯୁକ୍ତି ହାର ବୃଦ୍ଧି ପାଇବାରେ ଲାଗିଛି । ୨୦୧୭-୧୮ରୁ ୨୦୨୨-୨୩ ପର୍ଯ୍ୟନ୍ତ ୬ ବର୍ଷ ଧରି ମହିଳା ଶ୍ରମ ଶକ୍ତି ହାର ଲଗାତାର ବୃଦ୍ଧି ପାଇଆସୁଛି । ବିଶେଷକରି ଗ୍ରାମାଞ୍ଚଳର ମହିଳାଙ୍କ କ୍ଷେତ୍ରରେ ଏହା ପରିଲକ୍ଷିତ ହେଉଛି ବୋଲି ରିପୋର୍ଟ ଦର୍ଶାଇଛି । ମୋଟାମୋଟି ଦେଶରେ ନିଯୁକ୍ତି ପ୍ରସଙ୍ଗରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଏକ ସକାରାତ୍ମକ ଚିତ୍ରକୁ ଦର୍ଶାଇଛି । ଛୋଟରୁ ବଡ଼ କମ୍ପାନୀଗୁଡ଼ିକରେ ନୂତନ ନିଯୁକ୍ତି ବୃଦ୍ଧି ପାଇଛି । ଏଥିସହିତ କୃଷି କ୍ଷେତ୍ରରେ ମଧ୍ୟ ଲୋକଙ୍କୁ କାମ ମିଳିଛି । ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ତ୍ରୈମାସିକ ଶ୍ରମଶକ୍ତି ସର୍ଭେ ସହରାଞ୍ଚଳ ନିଯୁକ୍ତି ଏବଂ ଗ୍ରାମୀଣ ଭାରତ ସମେତ ସମଗ୍ର ଦେଶ ପାଇଁ ବାର୍ଷିକ ତଥ୍ୟ ପ୍ରଦାନ କରିଥାଏ । ଏହି ସର୍ବେକ୍ଷଣରୁ ଜଣାପଡିଛି ଯେ କୃଷି କ୍ଷେତ୍ରରେ ନିଯୁକ୍ତି ବୃଦ୍ଧି ଯୋଗୁଁ ଗ୍ରାମୀଣ କ୍ଷେତ୍ରରେ ନିଯୁକ୍ତି ହାର ବୃଦ୍ଧି ପାଇଛି । ଅର୍ଥାତ୍ ଲୋକମାନେ ସହରରୁ ଗାଁକୁ ଫେରିଛନ୍ତି । ଦେଶରେ ବାର୍ଷିକ ପ୍ରାୟ ୭୮ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରଣାଳୟର ମୁଖ୍ୟ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ୱରନ୍ ମଧ୍ୟ ଏନେଇ ସ୍ପଷ୍ଟ କରିଛନ୍ତି ।

ସର୍ଭେ ରିପୋର୍ଟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ଏଆଇ ଯୋଗୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ଉପରେ ପ୍ରଭାବ ପକାଇବ । ଏହାଦ୍ୱାରା କେବଳ ଗୋଟିଏ ବର୍ଗ ନୁହନ୍ତି, ବରଂ ଅଳ୍ପ କୁଶଳୀ, ଅର୍ଦ୍ଧକୁଶଳୀ ଓ ଉଚ୍ଚକୁଶଳୀ ସବୁ ପ୍ରକାରର କର୍ମଚାରୀ ପ୍ରଭାବିତ ହେବାର ଆଶଙ୍କା ରହିଛି । ଆଗାମୀ ବର୍ଷମାନଙ୍କରେ ଏହା ଏକ ସମସ୍ୟା ଭାବେ ଦେଖାଦେବ ଓ ଦେଶର ଉଚ୍ଚ ଅଭିବୃଦ୍ଧି ପଥରେ ଏକ ବଡ଼ ପ୍ରତିବନ୍ଧକ ସୃଷ୍ଟି କରିବ । ଏହି ବିପଦର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଘରୋଇ କ୍ଷେତ୍ର ମଧ୍ୟରେ ସହଯୋଗିତା ଆବଶ୍ୟକ ବୋଲି ରିପୋର୍ଟରେ କୁହାଯାଇଛି । ମୋଟାମୋଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୋଗୁଁ ଘରୋଇ କ୍ଷେତ୍ରରେ ଅନେକ ନିଯୁକ୍ତି ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି । ଗୋଟିଏ ପଟେ ଭାରତରେ କୁଶଳୀ ପ୍ରତିଭାଙ୍କ ଅଭାବ ଥିବା ଘରୋଇ କ୍ଷେତ୍ର ପକ୍ଷରୁ ଅଭିଯୋଗ କରାଯାଉଥିବା ବେଳେ ଏହାର ସୁଯୋଗ ନେଇ ଏଆଇର ଉପଯୋଗ କରାଯାଇପାରେ ବୋଲି ଆଶଙ୍କା ରହିଥିବା ରିପୋର୍ଟରେ ଦର୍ଶାଯାଇଛି । ସେହିପରି ଦେଶର ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଥିବା ମେଦବହୁଳତା ପ୍ରସଙ୍ଗରେ ମଧ୍ୟ ୨୦୨୪ ରିପୋର୍ଟରେ ଚିନ୍ତା ବ୍ୟକ୍ତ କରାଯାଇଛି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ, ୨୦୧୯-୨୦୨୧ ଭାରତର ଜନସଂଖ୍ୟାର ସ୍ୱାସ୍ଥ୍ୟ ସ୍ଥିତିର ଆକଳନ ଦର୍ଶାଉଛି ଯେ ଭାରତରେ ଯୁବକ କିମ୍ବା ବୟସ୍କଙ୍କ ମଧ୍ୟରେ ମୋଟାପଣ ହାର ତିନି ଗୁଣରୁ ଅଧିକ ହୋଇଛି । ଭାରତ ପାଇଁ ଏହାର ଜନସଂଖ୍ୟାର ସ୍ୱାସ୍ଥ୍ୟ ମାନଦଣ୍ଡ ଏକ ସନ୍ତୁଳିତ ଏବଂ ବିବିଧ ଖାଦ୍ୟ ଆଡ଼କୁ ଅଗ୍ରସର ହେବା ଅତ୍ୟନ୍ତ ଜରୁରୀ ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଉପସ୍ଥାପନ ହେବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଅର୍ଥବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ଏହାକୁ ମିଶାଇ କ୍ରମାଗତ ୭ମ ଥର ପାଇଁ ଦେଶର ବଜେଟ୍ ଉପସ୍ଥାପନ କରିବାର ଏକ ବିରଳ କୃତୀତ୍ୱ ହାସଲ କରିବାକୁ ଯାଉଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ । ଅନ୍ୟପକ୍ଷେ ଜିଡିପି ଅଭିବୃଦ୍ଧି ଏବଂ ରୋଜଗାରରେ ଉନ୍ନତି ଆଣିବା ପାଇଁ ସରକାର ଆଶାବାଦୀ ଥିବାବେଳେ ବିଶ୍ୱ ଅର୍ଥନୈତିକ ଅନିଶ୍ଚିତତା ପାଇଁ ଏହା ସତର୍କ ସୂଚନା ପାଲଟିଛି । ଯାହା ଦ୍ୱାରା ରପ୍ତାନି ଏବଂ ପୁଞ୍ଜି ପ୍ରବାହ ଉପରେ ପ୍ରଭାବ ପକାଇପାରେ ବୋଲି ଅର୍ଥନୈତିକ ସର୍ଭେରେ କୁହାଯାଇଛି । ଅର୍ଥନୈତିକ ସର୍ବେକ୍ଷଣରେ ଯାହା କିଛି ପରାମର୍ଶ ଦିଆଯାଇଛି ଆସନ୍ତାକାଲି ଉପସ୍ଥାପିତ ହେବାକୁ ଥିବା ବଜେଟ୍‌ରେ ଏହାର ଝଲକ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି ।

ମୋଟାମୋଟି ଆସନ୍ତାକାଲି ବଜେଟ୍‌ରେ ୫ ବଡ଼ ଘୋଷଣା ହୋଇପାରେ । ବିଶେଷକରି ସଡ଼କପଥ ଏବଂ ଭାରତୀୟ ରେଳପଥକୁ ପ୍ରାଥମିକତା ଦିଆଯିବ । ସାଧାରଣ ଲୋକ, ବେତନପ୍ରାପ୍ତ କରଦାତା ଏବଂ ମଧ୍ୟବିତ୍ତଙ୍କ ପାଇଁ ମଧ୍ୟ ଆୟକର ଛାଡ଼ ଘୋଷଣା ପୂର୍ବକ ନୂତନ ଆୟକର ବ୍ୟବସ୍ଥା କରାଯିବ । ସେହିପରି କୃଷି ଓ କୃଷକଙ୍କ ପାଇଁ କିଛି ବଡ଼ ଘୋଷଣା କରାଯାଇପାରେ । ପରୀକ୍ଷା ପରିଚାଳନାଜନିତ ସାମ୍ନାକୁ ଆସିଥିବା ଦୁର୍ନୀତିକୁ ରୋକିବା ଦିଗରେ ମଧ୍ୟ ସରକାର କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି । ନିଯୁକ୍ତି ହାର ବୃଦ୍ଧି ଦିଗରେ ତଥା ଆତ୍ମନିର୍ଭରଶୀଳ ଯୋଜନା ଦିଗରେ ମଧ୍ୟ କିଛି ବଡ଼ ଘୋଷଣା ଆସିବ ବୋଲି ଆଶା ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ, ଅନେକ ଅନ୍ତର୍ଜାତୀୟ ରେଟିଂ ଏଜେନ୍ସି ମଧ୍ୟ ଭାରତର ଅଭିବୃଦ୍ଧି ହାର ୭%ରୁ ଅଧିକ ହେବ ବୋଲି ପୂର୍ବାନୁମାନ କରିଛନ୍ତି; ଯାହାକି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking