30.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶସିରିଆ ଉପରେ ‘ଭୂକମ୍ପ ବୋମା’ ମାଡ଼

ସିରିଆ ଉପରେ ‘ଭୂକମ୍ପ ବୋମା’ ମାଡ଼

ଡାମାସକସ୍‌: ଇସ୍ରାଏଲ ପକ୍ଷରୁ ସିରିଆର ୨୩ ଏୟାର ଡିଫେନ୍ସ ବ୍ରିଗେଡ ଓ ଏହାର ଆଖପାଖ ଅଞ୍ଚଳରେ ସବୁଠାରୁ ଭୟଙ୍କର ବୋମା ମାଡ଼ କରାଯାଇଛି। ଏହି ବୋମାକୁ ଭୂକମ୍ପ ବୋମା’ ବୋଲି କୁହାଯାଉଛି। ସୁତରାଂ ଏହି ବୋମାମାଡ଼ ପରେ ସମଗ୍ର ସିରିଆ ୩.୦ ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭବ କରିଛି। ଏତଦ୍‌ବ୍ୟତୀତ ସିରିଆର ଉପକୂଳବର୍ତ୍ତୀ ତାରଟୁସ ରିଜନରେ ଇସ୍ରାଏଲ ପକ୍ଷରୁ ଭୟଙ୍କର ଏୟାର ଷ୍ଟ୍ରାଇକ୍ ଜାରି ରହିଛି। ୨୦୧୨ ପରେ ପ୍ରଥମଥର ପାଇଁ ଉକ୍ତ ଅଞ୍ଚଳରେ ଇସ୍ରାଏଲ ଏପରି ଘନଘନ ବୋମା ମାଡ଼ କରିଛି। ଇସ୍ରାଏଲ ପକ୍ଷରୁ ସିରିଆର ସାମାରିକ ପ୍ରତିଷ୍ଠାନ ବିଶେଷ କରି ଏୟାର ଡିଫେନ୍ସ ୟୁନିଟ୍ ଓ ଭୂପୃଷ୍ଠରୁ-ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା ମିସାଇଲକୁ ଏହି ଅଞ୍ଚଳର ସଂରକ୍ଷିତ ସ୍ଥାନକୁ ଟାର୍ଗେଟ କରାଯାଇଛି।

ତାରଟୁସରେ ଥିବା ଗୁଳିଗୋଳା ଡିପୋରେ ଏପରି ବିସ୍ଫୋରଣ ହୋଇଛି। ଏହାଦ୍ୱାରା ପୂରା ଆଖପାଖ ଅଞ୍ଚଳ ପ୍ରଭାବିତ ହୋଇଛନ୍ତି। ଅନେକ ଘର ଦ୍ୱାର ମଧ୍ୟ ଭାଙ୍ଗି ଯାଇଛି। ଏଠାରେ ହୋଇଥିବା ଏୟାର ଷ୍ଟ୍ରାଇକ୍ ପରର ସ୍ଥିତି କେମିତି ଥିଲା, ତା’ର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ସିରିଆ ରାଷ୍ଟ୍ରପତି ବଶର ଅଲ୍‌-ଅସଦଙ୍କୁ କ୍ଷମତାଚୁତ କରିବା ପରେ ଦେଶର ଇସ୍‌ଲାମିକ ବିଦ୍ରୋହୀ ସଙ୍ଗଠନ ହୟାତ୍ ତାହିର ଅଲ୍‌-ଶାମ (ଏଚ୍‌ଟିଏସ୍‌) ସମ୍ପୂର୍ଣ୍ଣ ଦେଶକୁ ନିଜ ନିୟନ୍ତ୍ରଣକୁ ନେଇଛି। ତେବେ ସିରିଆର ଅସ୍ତ୍ରଶସ୍ତ୍ର ଭଣ୍ଡାରଗୁଡ଼ିକ ଯେପରି ବିଦ୍ରୋହୀଙ୍କ ହାତକୁ ନ ଯାଏ ତାହା ସୁନିଶ୍ଚିତ କରିବାକୁ ଇସ୍ରାଏଲ ପକ୍ଷରୁ ନିୟମିତ ଭାବେ ସିରିଆ ଉପରେ ଆକ୍ରମଣ କରାଯାଉଛି। ମୁଖ୍ୟତଃ ସାମରିକ ଅସ୍ତ୍ରଭଣ୍ଡାରଗୁଡ଼ିକୁ ନଷ୍ଟ କରିବା ଇସ୍ରାଏଲ୍‌ର ମୁଖ୍ୟ ଉଦ୍ଦେଶ୍ୟ ସାଜିଛି। ସିରିଆରେ ବିଦ୍ରୋହୀ ଗୋଷ୍ଠୀଙ୍କ ଏପ୍ରକାର ଉତ୍ଥାନ ଏବଂ ରାଷ୍ଟ୍ରପତି ଅସଦ୍‌ଙ୍କ ଏପ୍ରକାର ଦେଶ ଛାଡି ପଳାୟନ ମଧ୍ୟରେ ଇସ୍ରାଏଲ ସଂଶୟ ମଧ୍ୟକୁ ଠେଲି ହୋଇଯାଇଛି।

ସିରିଆର ଏହି ଗୃହଯୁଦ୍ଧ ଆଗାମୀ ଦିନରେ ଇସ୍ରାଏଲ୍‌କୁ ମଧ୍ୟ ସମ୍ପ୍ରସାରିତ ହୋଇପାରେ କିମ୍ବା ସିରିଆର ଏହି ବିଦ୍ରୋହୀ ଗୋଷ୍ଠୀ ଇସ୍ରାଏଲ୍‌ର ପ୍ରାନ୍ତୀୟ ଅଞ୍ଚଳରେ ଆକ୍ରମଣ କରିପାରନ୍ତି ବୋଲି ଇସ୍ରାଏଲ୍ ଆଶଙ୍କା କରୁଛି। ଫଳରେ ଆମେରିକା ସହ ମିଶି ଇସ୍ରାଏଲ ମଧ୍ୟ ସିରିଆର ଏହି ଅସ୍ତ୍ରାଗାରସବୁକୁ ନଷ୍ଟ କରିବାରେ ସହଯୋଗ କରିଛି। ଇସ୍ରାଏଲ ସେନା ମଧ୍ୟ ସ୍ଥଳଭାଗରୁ ସିରିଆ ସୀମାରେ ପ୍ରବେଶ କରିଛି। ୧୯୭୪ ଚୁକ୍ତି ପରେ ପ୍ରଥମ ଥର ପାଇଁ ଇସ୍ରାଏଲ ସେନା ସିରିଆ ମାଟିରେ ପାଦ ଥାପିଛି। ଖାଲି ସେତିକି ନୁହେଁ, ଇସ୍ରାଏଲ ସେନା ଗୋଲାନ ହାଇଟ୍ସ ନିକଟରେ ଥିବା ସିରିଆ ସୀମାର ୧୦ କିଲୋମିଟର ଭିତରେ ଥିବା ଜମିକୁ ଦଖଲ କରି ବଫର ଜୋନରେ ପରିଣତ କରିଛି। ଇସ୍ରାଏଲ ଏହି ପଦକ୍ଷେପ ପଛରେ ନିଜ ନାଗରିକଙ୍କ ସୁରକ୍ଷାକୁ ଦର୍ଶାଇଛି। ଏହି ପଦକ୍ଷେପ କେବଳ ଅସ୍ଥାୟୀ ବୋଲି ଇସ୍ରାଏଲ କହିଛି।

ଏସବୁ ମଧ୍ୟରେ ଅସଦ୍ ନିଜ ପରିବାରଙ୍କୁ ନେଇ ଏବେ ରୁଷ୍‌ରେ ଶରଣ ନେଇଥିବା ଜଣାପଡିଛି। ଇସ୍ରାଏଲ ପକ୍ଷରୁ ସିରିଆର ୨୩ ଏୟାର ଡିଫେନ୍ସ ବ୍ରିଗେଡ ଓ ଏହାର ଆଖପାଖ ଅଞ୍ଚଳରେ କରାଯାଇଥିବା ‘ଭୂକମ୍ପ ବୋମା’ ମାଡ଼ ଦ୍ୱାରା ବ୍ୟାପକ କ୍ଷୟକ୍ଷତି ହୋଇଛି। ବୋମା ବିସ୍ଫୋରଣ ପରେ ଭୂକମ୍ପ ଭଳି ସ୍ଥିତି ଦେଖାଯାଇଛି। ଏହାର ତୀବ୍ରତା ମଧ୍ୟ ରିକ୍ଟର ସ୍କେଲରେ ମପାଯାଇଥିବା ଜଣାପଡ଼ିଛି। ଇସ୍ରାଏଲର କହିବା କଥା ଯେ ସିରିଆରେ ଏବେ ବିଦ୍ରୋହୀଙ୍କ ଶାସନ ଚାଲିଛି। କାଳେ ସେମାନଙ୍କ ହାତରେ ଦେଶର ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ପଡ଼ିଯିବ, ସେଥିପାଇଁ ଇସ୍ରାଏଲ ପକ୍ଷରୁ ସାମରିକ ପ୍ରତିଷ୍ଠାନକୁ ଧ୍ୱଂସ କରାଯାଉଛି। ସେହିପରି ଉତ୍ତର ସୀମାନ୍ତରେ ଶାନ୍ତି ଓ ସ୍ଥିରତା ପାଇଁ ଏପରି ହମଲା କରାଯାଉଥିବା ଇସ୍ରାଏଲ କହିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, “ଆମର ସିରିଆ ସହ ବିବାଦ ସୃଷ୍ଟି କରିବାକୁ କୌଣସି ଇଚ୍ଛା ନାହିଁ। କେବଳ ସିରିଆ ପକ୍ଷରୁ ଥିବା ସମ୍ଭାବ୍ୟ ବିପଦକୁ ପ୍ରତିହତ କରିବା ଓ କାଳେ ଆତଙ୍କବାଦ ତତ୍ତ୍ୱ ସୀମାନ୍ତକୁ ଦଖଲ କରିନେବେ, ସେହି ଆଶଙ୍କାରେ ଇସ୍ରାଏଲ ପକ୍ଷରୁ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking