ଭୁବନେଶ୍ୱର : ରାଜ୍ୟରେ ଥିବା ରାସନକାର୍ଡ ମଧ୍ୟରୁ ୯୯.୬ ପ୍ରତିଶତରେ ଆଧାର ସଂଯୋଗ ଥିବାବେଳେ ଚଳିତ ବର୍ଷ ଅଗଷ୍ଟ ୨୨ ତାରିଖରୁ କାର୍ଡରେ ଥିବା ସମସ୍ତ ସଦସ୍ୟଙ୍କ ଇ-କେୱାଇସି ଯାଞ୍ଚ ଆରମ୍ଭ ହୋଇଛି । ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଇ-କେୱାଇସି ଯାଞ୍ଚ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ରାଜ୍ୟରେ ଗତ ଅଗଷ୍ଟ ୨୨ ତାରିଖଠାରୁ ରାସନକାର୍ଡରେ ଥିବା ସମସ୍ତ ସଦସ୍ୟଙ୍କ ଆଧାର ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଯାଞ୍ଚ ପ୍ରକ୍ରିୟା ରାସନ କାର୍ଡରେ ସଂଯୋଗ ହୋଇଥିବା ସମସ୍ତ ସଦସ୍ୟଙ୍କ ଆଧାର ନମ୍ବର ସଂଲଗ୍ନ ବାୟୋମେଟିକ ଚିହ୍ନଟ ପ୍ରମାଣିକତା ସ୍ଥାପିତ କରିବ । ମନ୍ତ୍ରୀ କହିଛନ୍ତି ଯେ ସମଗ୍ର ରାଜ୍ୟରେ ବର୍ତ୍ତମାନ ମୋଟ୍ ୯୫,୮୧,୭୨୮ ସଂଖ୍ୟକ ରାସନ କାର୍ଡରେ ୯୫,୪୦,୨୩୧ ଆଧାର ଅର୍ଥାତ୍ ୯୯.୬% ଆଧାର ସଂଯୋଗ ରହିଛି । ସେଥି ମଧ୍ୟରୁ ଝାରସୁଗୁଡା ଜିଲ୍ଲାରେ ୧,୧୫,୩୪୫ କାର୍ଡରେ ୧,୧୫,୧୭୭ ଆଧାର ଅର୍ଥାତ୍ ୯୯.୮% ଆଧାର ସଂଯୋଗ ରହିଛି ।