25.1 C
Bhubaneswar
Saturday, February 14, 2026
Homeଓଡିଶାଗତିଶୀଳ ବିବିଧତା ଭାରତର ଭାଷାଗତ ପରଂପରାର ସୌନ୍ଦର୍ଯ୍ୟ : ରାଜ୍ୟପାଳ

ଗତିଶୀଳ ବିବିଧତା ଭାରତର ଭାଷାଗତ ପରଂପରାର ସୌନ୍ଦର୍ଯ୍ୟ : ରାଜ୍ୟପାଳ

ଭୁବନେଶ୍ୱର: ଗତିଶୀଳ ବିବିଧତା ହେଉଛି ଭାରତର ସମୃଦ୍ଧ ଭାଷା ପରଂପରାର ସୌନ୍ଦର୍ଯ୍ୟ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି। ଆଜି ଭୁବନେଶ୍ୱରଠାରେ ୧୧ତମ କଳିଙ୍ଗ ସାହିତ୍ୟ ମହୋତ୍ସବକୁ ଉଦ୍‌ଘାଟନ କରି ରାଜ୍ୟପାଳ ଏହା କହିଛନ୍ତି। ଏହି ସମାରୋହରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ସୃଜନଶୀଳତା କ୍ଷେତ୍ରରେ ଭାରତ କେବେ ଭାଷା ପ୍ରତି ଅସହିଷ୍ଣୁ ଏବଂ ସଂକୀର୍ଣ୍ଣର୍ ମନୋଭାବ ରଖିନାହିଁ।

ଆମର ସଭ୍ୟତା ସର୍ବଦା ବୌଦ୍ଧିକ ସ୍ୱାଧୀନତାକୁ ଗ୍ରହଣ କରିଛି ଏବଂ ସାଂସ୍କୃତିକ ବିବିଧତାକୁ ସ୍ୱୀକାର କରିଛି। ଭାଷା କେବଳ ଯୋଗାଯୋଗର ଏକ ମାଧ୍ୟମ ନୁହେଁ ବରଂ ଏକ ସେତୁ ଯାହା ଲୋକଙ୍କୁ ସଂଯୋଗ କରେ ଏବଂ ସଂସ୍କୃତିର ବାହକ ଭାବେ କାର୍ଯ୍ୟ କରେ ବୋଲି ରାଜ୍ୟପାଳ କହିଥିଲେ। ନିଜ ଉଦ୍‌ବୋଧନରେ ରାଜ୍ୟପାଳ କହିଥିଲେ ଯେ ସାହିତ୍ୟ କେବଳ ଏକ କଳାତ୍ମକ ସାଧନା ନୁହେଁ ବରଂ ଏହା ସମାଜକୁ ଆକାର ଦେବାରେ, ଚିନ୍ତାଧାରାକୁ ପ୍ରଭାବିତ କରିବାରେ ଏବଂ ପରିବର୍ତ୍ତନ ପାଇଁ ପ୍ରେରଣା ଯୋଗାଇବାରେ ଶକ୍ତି ଦିଏ। ବର୍ତ୍ତମାନର ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱରେ ପ୍ରଯୁକ୍ତି ବିଦ୍ୟା ଏବଂ କୃତ୍ରିମ ବୁଦ୍ଧିମତ୍ତା ଯେତେବେଳେ ଯୋଗାଯୋଗକୁ ନୂଆ ରୂପ ଦେଉଛି କଳିଙ୍ଗ ସାହିତ୍ୟ ମହୋତ୍ସବ ଭଳି କାର୍ଯ୍ୟକ୍ରମର ଆୟୋଜନ ଲିଖିତ ଶଦ୍ଦର ଗୁରୁତ୍ୱକୁ ବହନ କରୁଛି ବୋଲି କହିଥିଲେ। ଓଡ଼ିଶାର ସମୃଦ୍ଧ ସାହିତ୍ୟିକ ଏବଂ ବୌଦ୍ଧିକ ଐତିହ୍ୟର ପ୍ରଶଂସା କରି ଏହା ଭାରତର ସାହିତ୍ୟିକ ଐତିହ୍ୟକୁ ଋଦ୍ଧିମନ୍ତ କରିଛି ବୋଲି କହିଥିଲେ।

କଳିଙ୍ଗ ସାହିତ୍ୟ ମହୋତ୍ସବ ବିଶ୍ୱସ୍ତରରେ ଭାରତର ସମୃଦ୍ଧ ସାହିତ୍ୟିକ ଏବଂ କଳାତ୍ମକ ଐତିହ୍ୟକୁ ପ୍ରୋତ୍ସାହିତ କରିବାରେ ସାଂସ୍କୃତିକ ରାଷ୍ଟ୍ରଦୂତ ଭାବରେ ଭୂମିକା ନିର୍ବାହ କରୁଛି ବୋଲି ରାଜ୍ୟପାଳ କହିବା ସହିତ ଆୟୋଜକମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଏତଦ୍‌ବ୍ୟତୀତ ଏହି ମହୋତ୍ସବ ଅବସରରେ ଅର୍ଥପୂର୍ଣ୍ଣ ଆଲୋଚନା, ନୂତନ ଦୃଷ୍ଟି କୋଣର ଅନୁସନ୍ଧାନ କରି ରାଷ୍ଟ୍ର ନିର୍ମାଣରେ ସାହିତ୍ୟର ଭୂମିକା ରଖିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ। ଏହି ସମାରୋହରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଇନା ଏଚ୍‌. କ୍ରିଷ୍ଣାମୂର୍ତ୍ତି ଉଦ୍‌ବୋଧନ ଦେଇଥିଲେ। କଳିଙ୍ଗ ସାହିତ୍ୟ ମହୋତ୍ସବର ସିଇଓ ତଥା ପୃଷ୍ଠପୋଷକ ଅଶୋକ କୁମାର ବଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ରଶ୍ମୀ ରଂଜନ ପରିଡ଼ା ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ଶେଷରେ ପ୍ରଫେସର କମଳାକାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking