ଲକ୍ଷ୍ନୌ: ଘରୋଇ ହସ୍ପିଟାଲରେ କାର୍ଯ୍ୟଋତ ନର୍ସଙ୍କୁ ଦୁଷ୍କର୍ମ ଅଭିଯୋଗ । ସେହି ହସ୍ପିଟାଲର ଜଣେ ଡାକ୍ତର ଦୁଷ୍କର୍ମ କରିଥିବା କହିଛନ୍ତି ପୀଡିତା । ଅଭିଯୋଗ ଅନୁସାରେ ୱାର୍ଡ ବଏ ଏବଂ ଜଣେ ମହିଳା ନର୍ସ ତାଙ୍କୁ ବଳପୂର୍ବକ ଡାକ୍ତରଙ୍କ କୋଠରୀକୁ ପଠାଇ ବାହାର କବାଟ ବନ୍ଦ କରିଦେଇଥିଲେ । ଦୁଷ୍କର୍ମ ପରେ ଅଭିଯୁକ୍ତ କାହାକୁ କିଛି ନ କହିବାକୁ ଧମକ ଦେଇଥିଲେ । ଏହି ଘଟଣା ମୁରାଦାବାଦର ଠାକୁରୱାଡା ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି। ଏହି ଘଟଣା ପରେ ପୀଡିତାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଡକ୍ଟର ଶାହନାୱାଜ, ନର୍ସ ମେହନାଜ ଏବଂ ଜୁନାଦଙ୍କ ବିରୋଧରେ ଠାକୁରୱାଡାର ଥାନାରେ ମାମଲା ରୁଜୁ ହୋଇଛି । ଏହା ପରେ ପୋଲିସ ଏହି ୩ ଜଣଙ୍କୁ ଗିରଫ କରିଥିଲା । ପୀଡିତାଙ୍କ ପରିବାର କହିଛନ୍ତି ଯେ ସେମାନଙ୍କ ଝିଅ ୧୦ ମାସ ଧରି ଏକ ଘରୋଇ ଡାକ୍ତରଖାନାରେ ନର୍ସ ଭାବରେ କାର୍ଯ୍ୟ କରୁଛନ୍ତି । ଡ୍ୟୁଟିରେ ଥିବାବେଳେ ଅନ୍ୟ ଜଣେ ନର୍ସ ପୀଡିତାଙ୍କୁ କହିଥିଲେ ଯେ ଡକ୍ଟର ଶାହନାୱାଜ ଫୋନ କରୁଛନ୍ତି । ଏହା ଉପରେ ପୀଡିତା ଯିବାକୁ ମନା କରିଦେଇଥିଲେ ।
ଏହା ପରେ ରାତି ପ୍ରାୟ ୧୨.୩୦ରେ ୱାର୍ଡ ବଏ ଜୁନାଦ ପୁଣି ଆସି ଡାକ୍ତରଙ୍କ ପାଖକୁ ଯିବାକୁ କହିଥିଲେ । ତା’ପରେ ତାଙ୍କୁ ବଳପୂର୍ବକ ଡାକ୍ତରଙ୍କ କୋଠରୀକୁ ନିଆଯାଇ ବାହାରେ କବାଟ ବନ୍ଦ କରିଦିଆଗଲା । ପୀଡିତା ଅନ୍ୟ ଜଣେ ନର୍ସଙ୍କୁ ଡାକି ସାହାଯ୍ୟ ପାଇଁ ଚିତ୍କାର କରିଥିଲେ, କିନ୍ତୁ କେହି ଆସି ନଥିଲେ । ଏହା ପରେ ଡାକ୍ତର ଶାହନାୱାଜ ପୀଡିତା ନର୍ସଙ୍କୁ ଦୁଷ୍କର୍ମ କରିଥିଲେ । ଅନ୍ୟକୁ କଥା ପ୍ରଘଟ ନକରିବାକୁ ଡାକ୍ତର ଧମକ ଦେଇଥିଲେ । ପୀଡିତା ସକାଳେ ଘରେ ପହଞ୍ଚିବା ପରେ ତାଙ୍କ ସହ ଘଟିଥିବା ଘଟଣା ବିଷୟରେ କହିଥିଲେ । ତା’ପରେ ପରିବାର ସଦସ୍ୟ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ଏହାପରେ ଅଭିଯୁକ୍ତକୁ ଗିରଫ କରାଯିବା ପରେ ଡାକ୍ତରଖାନାର ଲାଇସେନ୍ସ ବାତିଲ ଏବଂ ସିଲ୍ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି ।