ଭୁବନେଶ୍ୱର : ଏଥର ଦଶହରାରେ ପାଗ ଶୁଖିଲା ରହିବ । ହେଲେ ନୟାନ୍ତ କରିପାରେ ଗୁଳୁଗୁଳିଆ ପାଗ । ରାଜ୍ୟରେ ଆସନ୍ତା ୧୦ ଦିନ ପର୍ୟ୍ୟନ୍ତ ପାଗ ପ୍ରାୟତଃ ଶୁଖିଲା ରହିବ । ସମ୍ଭବତଃ ଆସନ୍ତା ୬ କିମ୍ବା ୭ ତାରିଖରେ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ । ୧୧ ଓ ୧୨ ତାରିଖରେ ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ସମଗ୍ର ଉପକୂଳରେ ପାଗ ଶୁଖିଲା ରହିବା ସମ୍ଭାବନା ଅଛି । ତେବେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସଙ୍କେତ ମିଳୁନାହିଁ । ପଶ୍ଚିମବଙ୍ଗ ଉପରେ ଗତକାଲିଠାରୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ମାତ୍ର ଏହା ଓଡ଼ିଶାରୁ ଦୂରରେ ରହିବ । ଏହାର କୌଣସି ପ୍ରଭାବ ରାଜ୍ୟ ଉପରେ ପଡ଼ିବନାହିଁ । ବାଂଲାଦେଶ ଓ ଉତ୍ତର- ପୂର୍ବ ଭାରତରେ ବର୍ଷା ହେବ, ଯାହାକି ଆଗରୁ ଆକଳନ କରାଯାଇଥିଲା । ଆସନ୍ତା ୬ କିମ୍ବା ୭ ତାରିଖବେଳକୁ ଦକ୍ଷିଣ ବଙ୍ଗୋପସାଗର ଓ ଦକ୍ଷିଣ ଆରବ ସାଗରକୁ ମିଶାଇ ଏକ ଲଘୁଚାପ ସମ୍ଭାବନା ଅଛି । ହେଲେ ଏହା ତାମିଲନାଡ଼ୁ ଓ କେରଳରେ ବର୍ଷା କରାଇବ । ପାଣିପାଗ ବିଭାଗର ବିସ୍ତାରିତ ପୂର୍ବାନୁମାନ ଅନୁସାରେ ଉତ୍ତର ବଙ୍ଗୋପସାଗରରେ ୪ ତାରିଖବେଳକୁ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ୬ ତାରିଖବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ହୋଇପାରେ । ତେବେ ଇସିଏମଡବ୍ଲ୍ୟୁଏଫ ମଡେଲ୍ ଅନୁସାରେ ପରବର୍ତ୍ତୀ ସପ୍ତାହରେ (୧୧ରୁ ୧୭ ତାରିଖ ଭିତରେ) ଦକ୍ଷିଣ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହେବାର ୪୦%ରୁ ୬୦% ସମ୍ଭାବନା ଅଛି ।