ଭୁବନେଶ୍ୱର : ସୁସ୍ଥ ଶରୀର ପାଇଁ ପୃଷ୍ଟିକର ଖାଦ୍ୟ ଅତ୍ୟନ୍ତ ଜରୁରୀ। ଆଜିକାଲି ଲୋକେ ନିଜ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଯତ୍ନଶୀଳ ହେବା ସହିତ ସରଳ ଖାଦ୍ୟକୁ ନିଜର ଦୈନନ୍ଦିନ ଜୀବନରେ ସାମିଲ କରୁଛନ୍ତି। ହେଲେ ମାସ ମାସ ଧରି ଏପରି କରିବା ପରେ ମଧ୍ୟ ଅନେକ ଲୋକଙ୍କୁ ସଫଳତା ମିଳି ନ ଥାଏ। ନିକଟରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି ଓଟ୍ସ କେବଳ ଓଜନ ହ୍ରାସ ପାଇଁ ଉପଯୋଗୀ ନୁହେଁ ବରଂ ଏହା ଆମର ହୃତ୍ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଜରୁରୀ ।
ହୃତ୍ ସ୍ୱାସ୍ଥ୍ୟ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଓଟ୍ସ୍..
ଜର୍ମାନୀରେ ଏକ ଅଧ୍ୟୟନରୁ ପ୍ରକାଶ ଓଟ୍ସ ଆମଶରୀରର ପାଚନ ପ୍ରକ୍ରିୟାକୁ କିଛି ଦିନ ମଧ୍ୟରେ ତ୍ୱରାନ୍ୱିତ କରିଥାଏ। ଏହା ହୃଦ୍ଘାତ, ହୃଦୟ ସମ୍ପର୍କିତ ରୋଗ କିମ୍ବା ଡାଇବେଟିସ୍ ଭଳି ସମସ୍ୟାରୁ ରକ୍ଷା କରିଥାଏ । ଯେଉଁ ବ୍ୟକ୍ତିଙ୍କର ଡାଇବେଟିସ୍ ନ ଥାଏ କିନ୍ତୁ ପାଚନ ସମ୍ପର୍କିତ ସମସ୍ୟାରେ ପୀଡି଼ତ ଥାନ୍ତି ତେବେ ସେମାନେ ମେଦବହୁଳତାର ଶିକାର ହେବାର ସମ୍ଭାବନା ଅଧିକ ରହିଥାଏ। ସେମାନେ ଉଚ୍ଚ ରକ୍ତଚାପ, ରକ୍ତ ଶର୍କରା, ମେଦବହୁଳତା ଓ ଡାଇବେଟିସ ଭଳି ସମସ୍ୟାରେ ଆକ୍ରାନ୍ତ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଥାଏ ବୋଲି ଏକ ଅଧ୍ୟୟନରୁ ପ୍ରକାଶ ।
ଓଟ୍ସକୁ ନେଇ ପରୀକ୍ଷଣ..
ଏହି ଅଧ୍ୟୟନ ସମୟରେ ଏକ ପରୀକ୍ଷଣ କରାଯାଇଥିଲା । ୩୨ ଜଣ ବ୍ୟକ୍ତିଙ୍କୁ କିଛି ଓଟ୍ସ ରାନ୍ଧି ଏଥିରେ ଫଳ ଓ ପରିବା ମିଶାଇ ଦୈନିକ ୩ ଥର ଖାଇବାକୁ ଦିଆଯାଇଥିଲା । ଏପରି ୨ ଦିନ କରାଯାଇଥିଲା । ଏହି ଦଳର ସମସ୍ତ ବ୍ୟକ୍ତି ପ୍ରାୟ ୩୦୦ ଗ୍ରାମ ଓଟ୍ସ ସହିତ ଖୁବ କମ୍ ପରିମାଣର କ୍ୟାଲୋରୀଯୁକ୍ତ ଖାଦ୍ୟ ଗ୍ରହଣ କରିଥିଲେ । ଅନ୍ୟ ଦଳକୁ ମଧ୍ୟ କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟ ଦିଆଯାଇଥିଲା । ହେଲେ ଏଥିରେ ଓଟ୍ସ ନ ଥିଲା । ଆମ ଅନ୍ତନଳୀରେ ଥିବା ସହାୟକ ବ୍ୟାକ୍ଟେରିଆ ଶରୀରକୁ ବିଭିନ୍ନ ଉପାୟରେ ସାହାଯ୍ୟ କରିଥାଏ । ଅଧ୍ୟୟନରୁ ପ୍ରକାଶ ଓଟ୍ସ ଶରୀରରେ ସହାୟକ ବ୍ୟାକ୍ଟେରିଆଙ୍କ ବଂଶ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହା ଖାଦ୍ୟ ହଜମ କରିବା ସହିତ ରକ୍ତ ଚାପ ଓ ଶର୍କରା ନିୟନ୍ତ୍ରଣକାରୀ ତତ୍ତ୍ୱ ତିଆରି କରିଥାନ୍ତି । ଏହା ଶରୀରରେ ଇନସୁଲିନର କାର୍ଯ୍ୟକାରିତାକୁ ବଢାଇବାରେ ସାହାଯ୍ୟ କରିଥାଏ । ଅଧ୍ୟୟନ ଅନୁଯାୟୀ ବହୁ ଦିନ ଧରି ଓଟ୍ସ ଖାଇବା ଅପେକ୍ଷା କିଛି ଦିନ ଓଟ୍ସକୁ ନିଜର ଖାଦ୍ୟଚର୍ଯ୍ୟାରେ ସାମିଲ କରିଲେ ଏହାର ସୁଫଳ ଦେଖିବାକୁ ମିଳିଥାଏ ।










