କଟକ: ଜଣେ ଡାକ୍ତରଙ୍କ ସ୍ୱେଛାକୃତ ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ଏଥିସହିତ ସ୍ୱେଚ୍ଛାକୃତ ଅବସର ସମ୍ପର୍କିତ ଆଇନରେ ସଂଶୋଧନ କରିବା ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଡାକ୍ତର ସ୍ନିଗ୍ଧାପ୍ରଭା ମିଶ୍ରଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଉପରୋକ୍ତ ଆଦେଶ ଦେଇଛନ୍ତି। ସ୍ୱେଚ୍ଛାକୃତ ଅବସର ସମ୍ପର୍କିତ ଆଇନରେ ବିଶେଷ କରି ୩ ମାସ ମଧ୍ୟରେ ଅନ୍ୟ ରାଜ୍ୟଗୁଡ଼ିକରେ ପ୍ରଚଳିତ ଆଇନ ସହ ସମତୁଲ କରି ଏହି ସଂଶୋଧନ କରିବାକୁ ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି। ସୂଚନାଥାଉକି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲର ଫିଜିଓଲୋଜି ବିଭାଗ ପ୍ରଫେସର ଡାକ୍ତର ସ୍ନିଗ୍ଧାପ୍ରଭା ମିଶ୍ରଙ୍କୁ ଭବାନୀପାଟଣା ସ୍ଥିତ ଏସଆରଏମ ମେଡିକାଲ କଲେଜ ଏବଂ ହସ୍ପିଟାଲର ସୁପରିଟେଂଣ୍ଡେଂଟ୍ ଭାବେ ଗତ ୨୦୨୫ ବର୍ଷ ଏପ୍ରିଲ ୨୮ ତାରିଖରେ ବଦଳି କରାଯାଇଥିଲା। ତେବେ ସମ୍ପୃକ୍ତ ବଦଳି ନିର୍ଦ୍ଦେଶକୁ ରଦ୍ଦ କରି ପୁରୀ ସ୍ଥିତ ମେଡିକାଲ କଲେଜର ଫିଜିଓଲୋଜି ବିଭାଗ ପ୍ରଫେସର ଭାବେ ବଦଳି କରିବାକୁ ଡାକ୍ତର ମିଶ୍ର ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଥିଲେ। ତେବେ ସ୍ୱାସ୍ଥ୍ୟ ବିଭାଗ ତାଙ୍କର ଏହି ଆବେଦନକୁ ଖାରଜ କରିଥିଲେ ।
ଏହାପରେ ଡାକ୍ତର ମିଶ୍ର ନୂତନ ନିଯୁକ୍ତିରେ ଯୋଗ ନ ଦେଇ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟିରେ ଚାଲି ଯାଇଥିଲେ। ଏହାପରେ ତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭବାନୀପାଟଣା ସ୍ଥିତ ଏସ୍ଆରଏମ୍ ମେଡିକାଲ କଲେଜ ଏବଂ ହସ୍ପିଟାଲରେ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦେଶ ଦିଆଯାଇଥିଲା। ତେବେ ରାଜ୍ୟ ସରକାରଙ୍କ ଏପରି ନିର୍ଦ୍ଦେଶନାମାକୁ ବିରୋଧ କରି ଆବେଦନକାରୀ ସ୍ୱେଚ୍ଛାକୃତ ଅବସର (ଭିଆର୍ସି) ପାଇଁ ଆବେଦନ କରିଥିଲେ। ଓଡ଼ିଶା ପେନସନ ନିୟମାବଳୀ-୧୯୯୨ରେ ଥିବା ସ୍ୱେଚ୍ଛାକୃତ ଅବସର ସମ୍ପର୍କିତ ଆଇନ ଆଧାରରେ ସେ ୨୦ ବର୍ଷରୁ ଊର୍ଦ୍ଧ ସମୟ ଧରି କାର୍ଯ୍ୟ କରିଛନ୍ତି ବୋଲି ଦର୍ଶାଇଥିଲେ । ଏଥିସହିତ ତାଙ୍କ ବିରୋଧରେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇନଥିବା ଆବେଦନକାରୀ ଦର୍ଶାଇଥିଲେ । ଉପରୋକ୍ତ ଆଧାରରେ ଡାକ୍ତର ମିଶ୍ର ସ୍ୱେଚ୍ଛାକୃତ ଅବସର ଆବେଦନ କରିଥିଲେ। ତେବେ ରାଜ୍ୟ ସରକାର ଓଡିଶାରେ ଡାକ୍ତର ଅଭାବ ଥିବା ଦର୍ଶାଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କ ଆବେଦନକୁ ଖାରଜ କରିଥିଲେ । ଏହା ପରେ ରାଜ୍ୟ ସରକାରଙ୍କ ଏପରି ନିର୍ଦ୍ଦେଶ ବିରୋଧରେ ଡାକ୍ତର ମିଶ୍ର ହାଇକୋର୍ଟରେ ଆବେଦନ କରିଥିଲେ ।










