14.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଆତଙ୍କୀ ଷଡଯନ୍ତ୍ରରେ ଡାକ୍ତରଙ୍କ ଲିଙ୍କ: ୪ ଅଭିଯୁକ୍ତ ଗିରଫ

ଆତଙ୍କୀ ଷଡଯନ୍ତ୍ରରେ ଡାକ୍ତରଙ୍କ ଲିଙ୍କ: ୪ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଦେଶକୁ ଦୋହଲାଇ ଦେବାକୁ ଆତଙ୍କୀ ଡାକ୍ତରଙ୍କ ଭୟଙ୍କର ଷଡ଼ଯନ୍ତ୍ର । ସନ୍ଦେହ ନ ହେବା ଭଳି ବୃତ୍ତିରେ ରହି ଆତଙ୍କୀ କାର୍ଯ୍ୟକଳାପରେ ଲିପ୍ତ । ଏଭଳି ପ୍ରମୁଖ ବୃତ୍ତିଧାରୀଙ୍କୁ ପାକିସ୍ତାନ ସମର୍ଥିତ ଆତଙ୍କୀ ସଙ୍ଗଠନ ଭାରତରେ ଆତଙ୍କବାଦ ବିସ୍ତାର ଲାଗି ବ୍ୟବହାର କରିବା ଦେଶର ସୁରକ୍ଷା ବ୍ୟବସ୍ଥା ପ୍ରତି ବଡ଼ ଆହ୍ୱାନ ସୃଷ୍ଟି କରିଛି । ଗତ ୪ ଦିନରେ ୪ ଡାକ୍ତର ଏବଂ ସେମାନଙ୍କ ସହଯୋଗୀଙ୍କୁ ଗିରଫ କରାଗଲାଣି । ଉତ୍ତରପ୍ରଦେଶ, ହରିୟାଣା ଏବଂ ଜମ୍ମୁ-କାଶ୍ମୀରରୁ ଏହି ଡାକ୍ତରଙ୍କୁ ବନ୍ଧାଯିବା ସହ ସେମାନଙ୍କ ଠିକଣାରୁ ପ୍ରାୟ ୨,୯୦୦ କେଜିର ବୋମା ତିଆରି ସାମଗ୍ରୀ(ଆମୋନିୟମ ନାଇଟ୍ରେଟ୍‌), ରାଇଫଲ, ପିସ୍ତଲ ଏବଂ ଅନ୍ୟ ସନ୍ଦିଗ୍ଧ ଜିନିଷ ଜବତ ହୋଇଛି । ସେମାନଙ୍କ ଲିଙ୍କ୍‌ ଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦ ଓ ଅନ୍‌ସାର ଗଜୱତ-ଉଲ୍‌-ହିନ୍ଦ ସହ ଥିବା ମଧ୍ୟ ଜଣାପଡ଼ିଛି । କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ସହ ଏନ୍‌କାଉଣ୍ଟରରେ ଆହତ ହୋଇଥିବା ଆତଙ୍କବାଦୀଙ୍କୁ ସେମାନେ ଚିକିତ୍ସା ଯୋଗାଇଥିବା ଭଳି ଖବର ମଧ୍ୟ ସାମ୍‌ନାକୁ ଆସିଛି ।

ହରିୟାଣାର ଫରିଦାବାଦରେ ଡାକ୍ତର ମୁଜମ୍ମିଲ ଶକିଲଙ୍କ ଘରୁ ୩୬୦ କେଜି ବିସ୍ଫୋରକ (ସନ୍ଦିଗ୍ଧ ଆମୋନିୟମ ନାଇଟ୍ରେଟ୍‌) ଜବତ କରାଯାଇଛି । ଫରିଦାବାଦରେ ଥିବା ଆଉ ଏକ ଘରୁ ୨,୫୬୩ କେଜି ବିସ୍ଫୋରକ ମିଳିଛି । ଏଥିସହ ସେଠାରୁ ଆସଲ୍ଟ ରାଇଫଲ, ଜୀବନ୍ତ କାର୍ଟୁସ୍‌ ମଧ୍ୟ ଜବତ ହୋଇଛି । ୧୫ ଦିନ ହେଲା ହରିୟାଣା ଏବଂ ଜମ୍ମୁ-କାଶ୍ମୀର ପୁଲିସ ଏହି ମିଳିତ ଅଭିଯାନ ଚଲାଇଥିଲା । ଏହି ଅଭିଯାନରେ ମୁଜମ୍ମିଲଙ୍କ ଭଡ଼ା ଘରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ସେହି ବିସ୍ଫୋରକକୁ ଆଇଇଡି କିମ୍ବା ଶକ୍ତିଶାଳୀ ବୋମା ପ୍ରସ୍ତୁତିରେ ବ୍ୟବହାର କରାଯାଇପାରିବ ବୋଲି ଫରିଦାବାଦ ପୁଲିସ କମିଶନର ସତୈନ୍ଦ୍ର କୁମାର କହିଛନ୍ତି ।

ସତୈନ୍ଦ୍ର କହିଥିଲେ ଯେ ଚଢ଼ାଉରେ ୩ ମାଗାଜିନ୍‌, ୮୩ ଜୀବନ୍ତ ଗୁଳି, ଏକ ଆସଲ୍ଟ ରାଇଫଲ, ୮ ବଡ଼ ସୁଟ୍‌କେସ୍‌, ୪ ଛୋଟ ସୁଟ୍‌କେସ ଏବଂ ଏକ ବାଲ୍‌ଟି ମିଳିଛି । ଏଥିସହ ୩୬୦ କେଜି ବିସ୍ଫୋରକ, ୨୦ ଟାଇମର ବ୍ୟାଟେରୀ, ୨୪ ରିମୋଟ, ପ୍ରାୟ ୫ କେଜି ଭାରୀ ଧାତୁ, ୱାକି-ଟକି ସେଟ୍‌, ବିଦ୍ୟୁତ୍‌ ତାର, ବ୍ୟାଟେରୀ ଏବଂ ଅନ୍ୟ ନିଷିଦ୍ଧ ସାମଗ୍ରୀ ଜବତ ହୋଇଛି । ଗିରଫ ଡାକ୍ତର ମୁଜମ୍ମିଲ ଶକିଲ ସ୍ଥାନୀୟ ଅଲ୍‌ଫଲ୍‌ହା ୟୁନିଭର୍ସିଟିରେ ପଢ଼ାନ୍ତି । ସେ ପୁଲୱାମା ଜିଲ୍ଲା କୋଇଲର ବାସିନ୍ଦା । ମୁଜମ୍ମିଲଙ୍କ ସହ ନିୟମିତ ଭାବେ ଯୋଗାଯୋଗରେ ଥିବା ଫରିଦାବାଦ ମସ୍‌ଜିଦ୍‌ର ଜଣେ ଇମାମ୍‌ ଇରଫାନ୍‌ ଅହମଦ୍‌ଙ୍କୁ ମଧ୍ୟ ଗିରଫ କରାଯାଇଛି । ଡାକ୍ତରଙ୍କ ବ୍ରେନ୍‌ ୱାଶ୍‌ କରିବାରେ ଏହି ଇମାମ୍‌ଙ୍କ ବଡ଼ ଭୂମିକା ରହିଥିବା ଜଣାଯାଇଛି।

ଜମ୍ମୁ-କାଶ୍ମୀର ପୁଲିସ ଲକ୍ଷେ୍ନøରୁ ଜଣେ ମହିଳା ଡାକ୍ତର ଶାହିନ ଶାହିଦ୍‌ଙ୍କୁ ମଧ୍ୟ ଗିରଫ କରିଛି । ଶାହିନ୍‌ ଡାକ୍ତର ମୁଜମ୍ମିଲ ସକିଲଙ୍କ ପ୍ରେମିକା ବୋଲି କୁହାଯାଉଛି । ମୁଜମ୍ମିଲ ଡାକ୍ତର ଶାହିନଙ୍କ କାର୍‌ ବ୍ୟବହାର କରୁଥିଲେ । ଶାହିନ୍‌ଙ୍କ କାର୍‌ରୁ ହିଁ ରବିବାର କାଶ୍ମୀରରେ ଏକେ-୪୭ ରାଇଫଲ ସହ ଅନ୍ୟ ସନ୍ଦିଗ୍ଧ ସାମଗ୍ରୀ ଜବତ ହୋଇଥିଲା । ଏହା ପୂର୍ବରୁ ଗତ ୭ ତାରିଖରେ ଜମ୍ମୁ-କାଶ୍ମୀର ପୁଲିସ ଉତ୍ତରପ୍ରଦେଶର ସହାରନପୁରରୁ ଡାକ୍ତର ଆଦିଲ ଅହମଦଙ୍କୁ ଗିରଫ କରିଥିଲା । ସେ କାଶ୍ମୀରର ଅନନ୍ତନାଗ ବାସିନ୍ଦା । ଆଦିଲ ଅନନ୍ତନାଗରେ ସରକାରୀ ମେଡିକାଲ କଲେଜରେ ପ୍ରାକ୍ଟିସ୍‌ କରୁଥିଲେ । ୨୦୨୪ରେ ସେ ସେଠାରୁ ଇସ୍ତଫା ଦେଇଥିଲେ । ପରେ ସହାରନପୁର ଆସି ପ୍ରାକ୍ଟିସ୍‌ କରୁଥିଲେ । ଆଦିଲଙ୍କୁ ପଚରାଉଚରା କରାଯାଉଛି । ଏ ନେଇ ୟୁଏପିଏ ଅନୁସାରେ ମାମଲା ରୁଜୁ ହୋଇଛି । ହାଇଦ୍ରାବାଦରୁ ଗୁଜରାଟ ଏଟିଏସ୍‌ ଅହମ୍ମଦ ମୋହିଉଦ୍ଦିନଙ୍କୁ ଗିରଫ କରିଥିଲା । ସେ ଚୀନ୍‌ରୁ ଏମ୍‌ବିବିଏସ୍‌ ଡିଗ୍ରୀ ହାସଲ କରିଛି ।

ସୂଚନା ଅନୁସାରେ, ଡା. ମୁଜମ୍ମିଲ ଫରିଦାବାଦର ଧୋଜ ଗ୍ରାମରେ ପ୍ରାୟ ସାଢ଼େ ୩ ବର୍ଷ ଧରି ଏକ ଘର ଭଡ଼ା ନେଇଥିଲେ । ସେଠାରେ ସେ ରହୁ ନ ଥିଲେ । କେବଳ ନିଜ ଜିନିଷପତ୍ର ରଖିବା ଲାଗି ସେହି ଘର ବ୍ୟବହାର କରୁଥିଲେ । ଜମ୍ମୁ-କାଶ୍ମୀର ପୁଲିସ କହିଛି ଯେ, ଅଦ୍ୟାବଧି ମୋଟ ୨,୯୦୦ କେଜି ବିସ୍ଫୋରକ ଜବତ ହେଲାଣି । ଏହି ମଡ୍ୟୁଲ ଜୈଶ-ଏ-ମହମ୍ମଦ(ଜେଇଏମ୍‌) ଏବଂ ଅନ୍‌ସାର ଗଜୱତ-ଉଲ୍‌-ହିନ୍ଦ (ଏଜିୟୁଏଚ୍‌) ଭଳି ନିଷିଦ୍ଧ ଆତଙ୍କୀ ସଙ୍ଗଠନ ଲିଙ୍କ୍‌ରେ ଅଛି । ଏହି ଆତଙ୍କୀ ବିଦେଶୀ ହ୍ୟାଣ୍ଡଲର୍ସଙ୍କ ନିର୍ଦ୍ଦେଶରେ କାମ କରୁଥିଲେ ଏବଂ ସୋସିଆଲ ମିଡିଆ ଓ ଏନ୍‌କ୍ରିପ୍‌ଟେଡ୍‌ ଚ୍ୟାନେଲ ଜରିଆରେ ଆତଙ୍କୀ କାର୍ଯ୍ୟକଳାପରେ ମାତିଥିଲେ । ପୁଲିସ ଏହାକୁ ‘ହ୍ୱାଇଟ୍‌-କଲାର ଟେରର ଇକୋସିଷ୍ଟମ’ ନାଁ ଦେଇଛି । ଅର୍ଥାତ ଆତଙ୍କବାଦୀ ସଙ୍ଗଠନଗୁଡ଼ିକୁ ପାଣ୍ଠି ଯୋଗାଣ ପାଇଁ ଆର୍ଥିକ ଅପରାଧ ଏବଂ ବେଆଇନ କାର୍ଯ୍ୟକଳାପର ଏକ ସଂଯୁକ୍ତ ନେଟ୍‌ୱର୍କ ଯାହାକୁ ସରକାରୀ ବୃତ୍ତିଗତ, କୌଣସି ବ୍ୟବସାୟୀ କିମ୍ବା କୌଣସି ପଦ ପଦବିରେ ଥିବା ବ୍ୟକ୍ତି ପରିଚାଳନା କରାଇଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking