ଯାଜପୁର: ଅଧାରୁ ପାଠ ଛାଡୁଥିବା ଏବଂ ଆଦୌ ବିଦ୍ୟାଳୟକୁ ଆସୁନଥିବା ପିଲାମାନଙ୍କୁ ଶିକ୍ଷା ସ୍ରୋତରେ ସାମିଲ କରିବା ପାଇଁ ଗତକାଲି ଯାଜପୁର ଜିଲ୍ଲାରେ ଜିଲ୍ଲା ସ୍ତରୀୟ ପଦଯାତ୍ରା ଉଦଘାଟିତ ହୋଇଯାଇଛି । ଯାଜପୁର ଜିଲ୍ଲା ସ୍କୁଲ୍ ପ୍ରାଙ୍ଗଣରେ ଥିବା ବରପୁତ୍ର ମାନଙ୍କ ମୂର୍ତ୍ତିରେ ଜିଲ୍ଲାପାଳ ମାଲ୍ୟାର୍ପଣ କରିଥିଲେ । “ଆସ ସ୍କୁଲ୍ ଯିବା” କାର୍ଯକ୍ରମ ଅଧିନସ୍ଥ ଏହି ଜିଲ୍ଲା ସ୍ତରୀୟ ପଦଯାତ୍ରାକୁ ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ବର କୁମାର କର ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ପଦଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମହେଶ୍ଵର ସାହୁ ରାଲିର ଉଦ୍ଦେଶ୍ୟ ସମ୍ଵନ୍ଧରେ ଆଲୋକପାତ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଣୀ ଶ୍ରୀମତୀ ସବିତା ସାହୁ ଏବଂ ଶ୍ରୀମତୀ ସୁରମା ମହାପାତ୍ର ଉକ୍ତ ରାଲିରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଏହି ରାଲିର ଆଭିମୁଖ୍ୟ ସମ୍ପର୍କରେ ଜଣାଇଥିଲେ । ମାନ୍ୟବର ବିଧାୟକ ମାନଙ୍କର ପ୍ରତିନିଧି, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା, ଅବିଭାବକ, ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଯାଜପୁର ଜିଲ୍ଲା ସ୍କୁଲ୍ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଯାଜପୁରର ୩୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ରାଲିରେ ଯୋଗଦେଇ ଲୋକମାନଙ୍କୁ ସଚେତନ କରାଇଥିଲେ । ରାଲି ଟି ଯାଜପୁର ଜିଲ୍ଲା ସ୍କୁଲ୍ ରୁ ବାହାରି ମେଡ଼ିକାଲ ଛକ, କୁସୁମା ଛକ, ଗରିଆପୂର୍ ଏବଂ ବଡ ବଜାର ଦେଇ ଜିଲ୍ଲା ସ୍କୁଲ୍ ରେ ପହଞ୍ଚିଥିଲା । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଏବଂ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।










