ଯାଜପୁର: ଯାଜପୁର, ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୬ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ଶିବାନନ୍ଦ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ଶ୍ରୀ ସପନ କୁମାର ନନ୍ଦ, ଆଞ୍ଚଳିକ ପରିବହନ ଅଧିକାରୀ ଯାଜପୁର ଶ୍ରୀ ଧୀରେନ୍ଦ୍ର କୁମାର ନାୟକ ଏବଂ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଶ୍ରୀ ଦାମୋଦର ବେହେରା ଯୋଗ ଦେଇଥିଲେ। ଜିଲ୍ଲାପାଳ ଶ୍ରୀ କର ନିଜ ବକ୍ତବ୍ୟରେ କହିଥିଲେ ଯେ ଦୁଃସାହସିକ ଭାବେ ଅନ୍ୟମନସ୍କ ହୋଇ ଗାଡ଼ି ଚଲାଇବା ଉଚିତ୍ ନୁହେଁ। ସଡ଼କ ଦୁର୍ଘଟଣା ଯୋଗୁଁ ଚାଳକ ସହ ତାଙ୍କ ପରିବାର ପାଇଁ ମଧ୍ୟ ବଡ଼ କ୍ଷତି ହୁଏ। ଜୀବନ ବଡ଼ ମୂଲ୍ୟବାନ ଏବଂ ଜୀବନ ରକ୍ଷା ପାଇଁ ସଡକ ସୁରକ୍ଷା ନିୟମ ମାନିବା ଆବଶ୍ୟକ ବୋଲି ଜିଲ୍ଲାପାଳ ବାର୍ତ୍ତା ଦେଇଥିଲେ। ପରିବାର ଲୋକଙ୍କୁ ସଡ଼କ ସୁରକ୍ଷା ନିୟମ ବିଷୟରେ ସଚେତନ କରାଇବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଶ୍ରୀ ବେହେରା ଅତି ସୁନ୍ଦର ଭାବେ ସଡ଼କ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଅଭିଭାଷଣ ରଖିଥିଲେ। ଏହି ଅବସରରେ ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା ମୂଳକ ନାଟକ ପରିବେଷଣ ହୋଇଥିଲା।
ଏହି ଆକର୍ଷଣୀୟ ନାଟକକୁ ଉପସ୍ଥିତ ଦର୍ଶକ ବେଶ ପ୍ରଶଂସା କରିଥିଲେ। ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ଆଣିବାରେ ଯେଉଁ ବ୍ୟକ୍ତି ସାହାଯ୍ୟ କରିବେ, ତାଙ୍କୁ ୨୦୦୦ ଟଙ୍କା ପ୍ରୋତ୍ସାହନ ରାଶି ସରକାରଙ୍କ ତରଫରୁ ଦିଆଯାଉଛି। ଏନେଇ ସଭାରେ ସଚେତନତା କରାଯାଇଥିଲା। ଯାଜପୁର ଜିଲ୍ଲାର ଏଭଳି ସହାୟତା କରିଥିବା କିଛି ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ପୂର୍ବରୁ ସଡ଼କ ସୁରକ୍ଷା ଥିମ୍ କୁ ନେଇ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଦ୍ରୁତ ଗତିରେ ଗାଡ଼ି ଚାଳନା, ମଦ୍ୟ ପାନ କରି ଗାଡ଼ି ଚଳାଇବା, ହେଲମେଟ ନ ପିନ୍ଧିବା, ମୋବାଇଲରେ କଥା ହୋଇ ଗାଡ଼ି ଚଲାଇବା ଇତ୍ୟାଦି ଦୁର୍ଘଟଣାର ମୁଖ୍ୟ କାରଣ। ତେଣୁ ଏସବୁକୁ ରୋକିବା ପାଇଁ ସଡ଼କ ସୁରକ୍ଷା ମାସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାସବ୍ୟାପୀ ଜନ ସଚେତନତା ସୃଷ୍ଟି କରାଯାଇଥିଲା।










