ଯାଜପୁର: ଶନିବାର ଯାଜପୁର ଜିଲ୍ଲାର ସୁକିନ୍ଦା ଠାରେ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଅନନ୍ୟ ବିପ୍ଳବୀ ତଥା ବିଶିଷ୍ଟ ଆଦିବାସୀ ନେତା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ୧୫ ନଭେମ୍ବର ୨୦୨୫ ଦିବସକୁ ଜନ ଜାତୀୟ ଗୌରବ ଦିବସ ରୂପେ ପାଳନ କରାଯାଇଛି। ଏହି ଅବସରରେ ଓଡ଼ିଶାର ସମବାୟ ,ବୟନଶିଳ୍ପ, ହସ୍ତଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ, ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ସହିଦ ବିର୍ସା ମୁଣ୍ଡା ଙ୍କ ଫୋଟଚିତ୍ର ରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଉକ୍ତ ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମରେ ମହାନ ବିପ୍ଳବୀ ବିର୍ସା ମୁଣ୍ଡାଙ୍କର ସଂଗ୍ରାମର ବୀରତ୍ଵ କାହାଣୀ ସମ୍ପର୍କରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ଅବଗତ କରାଇବା ପୂର୍ବକ କହିଲେ ଆଜି ଆମ ସମସ୍ତଙ୍କ ପାଇଁ ଏକ ଗୌରବର ଦିନ । ଉନ୍ନବିଂଶ ଶତାବ୍ଦୀର ଶେଷ ସମୟରେ ଭାରତର ପୂର୍ବାଞ୍ଚଳର ଘଞ୍ଚ ଜଙ୍ଗଲ ମଧ୍ୟରେ ଇଂରେଜ ଶକ୍ତି ବିରୁଦ୍ଧରେ ଯେଉଁ ବିପ୍ଳବର ସ୍ୱର ଝଙ୍କାର ହୋଇଥିଲା।
ତାହାର ନେତୃତ୍ୱ ନେଇଥିଲେ ଅଦମ୍ୟ ସାହସୀ ଓ ସ୍ଵାଭିମାନୀ ବିର୍ସା ମୁଣ୍ଡା । ତାଙ୍କର ନିଷ୍ଠା, ବଳିଦାନ, ସାହାସ ଅଦ୍ଭୁତ ସାଂଗଠନିକ କ୍ଷମତା, ଲୋକଙ୍କ ପ୍ରତି ପ୍ରତିବଦ୍ଧତା କାରଣରୁ ସ୍ଵାଧୀନତା ସଂଗ୍ରାମର ଜଣେ ମହାନ୍ ଯୋଦ୍ଧା ରୂପେ ପରିଚିତ। ଆଜି ବିର୍ସା ମୁଣ୍ଡାଙ୍କୁ ଧରତି ଆବା ଆଖ୍ୟା ଦିଆଯାଇ ସବୁଠି ସମ୍ମାନିତ କରାଯାଉଛି । ଜନଜାତି ସମୁଦାୟ ନିମନ୍ତେ ଉଦ୍ଦିଷ୍ଟ ସରକାରୀ ଯୋଜନା ଯଥା କାର୍ଯ୍ୟରତ ଧରତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ, ଆଦି କର୍ମଯୋଗୀ ଅଭିଯାନ, ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ଅଭିଯାନ ଏବଂ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଆଦି ଉପରେ ବକ୍ତବ୍ୟ ରଖିଥିଲେ । ବାସହୀନ ଆଦିବାସୀ ଜନଜାତି ଲୋକମାନଙ୍କୁ କିପରି ପଟ୍ଟା ସହ ବାସ ଉପଯୋଗୀ ଘରଡିହ ଯୋଗାଇ ଦିଆଯିବ ଏବଂ ସେମାନଙ୍କୁ ଆଧାର କାର୍ଡ, ଜନ୍ମ/ମୃତ୍ୟୁ ପ୍ରମାଣପତ୍ର ତଥା ତାଙ୍କର ସମସ୍ତ ପ୍ରକାର ମୌଳିକ ଆବଶ୍ୟକତା କିପରି ପୁରାଣ କରାଯିବ ସେ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଯୋଗଦେଇ ବିଶିଷ୍ଟ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଲେ ଆଜି ୨୬୦ ଜଣ ଜନଜାତି ଲୋକମାନଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି ଏବଂ ଯଥା ଶୀଘ୍ର ଘରଡିହ ଯୋଗାଇ ଦିଆଯିବ ବୋଲି କହିଥିଲେ। ଜନଜାତି ଲୋକମାନଙ୍କୁ ଆଧାର କାର୍ଡ, ଜନ୍ମ ପଞ୍ଜିକରଣ ପ୍ରମାଣପତ୍ର ଇତ୍ୟାଦି ଯୋଗାଇ ଦିଆଯାଇଥିଲା। ଜମି ପଟ୍ଟା ବଣ୍ଟନ କରାଯାଇଥିବା ଲୋକମାନଙ୍କୁ ରହିବାକୁ ଘରଡିହ ସହ ରାସନ କାର୍ଡ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଉକ୍ତ ଦିବସରେ ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗ ନଗର ଶ୍ରୀ ସପନ କୁମାର ନନ୍ଦ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଲମ୍ବୋଦର ଖୁଣ୍ଟିଆ, ବି.ଡି.ଓ ସୁକିନ୍ଦା, ସମସ୍ତ ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ।ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ ମାନ ଖୋଳାଯାଇ ପଟ୍ଟା ବଣ୍ଟନ, ଜନ୍ମ ପ୍ରମାଣ ପତ୍ର, ଆଧାର ରେଜିଷ୍ଟ୍ରସନ ଆଦି କରାଯାଇଥିଲା। ଆବାସିକ ବିଦ୍ୟାଳୟ ର ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।










