30.1 C
Bhubaneswar
Tuesday, February 24, 2026
Homeଓଡିଶାଯାଜପୁର ଠାରେ ଜିଲ୍ଲାସ୍ତରୀୟ ସୁଶାସନ ଦିବସ ପାଳିତ

ଯାଜପୁର ଠାରେ ଜିଲ୍ଲାସ୍ତରୀୟ ସୁଶାସନ ଦିବସ ପାଳିତ

ଯାଜପୁର: ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଏକଶହତମ ଜନ୍ମ ଜୟନ୍ତୀ ତଥା ଜିଲ୍ଲାସ୍ତରୀୟ ସୁଶାସନ ଦିବସ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯାଜପୁର ସାଂସଦ ଶ୍ରୀ ରବିନ୍ଦ୍ର ନାରାୟଣ ବେହେରା କହିଲେ ଆଜି ଭାରତରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନାଁ ରେ ସୁଶାସନ ଦିବସ ରାଜ୍ୟ ଓ ଜିଲ୍ଲା ସ୍ତରରେ ପାଳନ କରାଯାଉଛି। ଯାଜପୁର ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସୁଶାସନ ଦିବସ ପାଳନ କରାଯାଉଛି। ଆଜି ସମଗ୍ର ଦେଶକୁ ସୁଶାସନ ଦେବାରେ ଅଟଳ ବିହାରୀ ବାଜପେୟୀ ଅନନ୍ୟ ଥିଲେ। ତାଙ୍କ ସେବା ପାଇଁ ଆଜି ଭାରତବର୍ଷରେ ଭାରତରେ ଏବଂ ଓଡ଼ିଶାରେ ସରକାର ବର୍ତ୍ତମାନ ଲୋକଙ୍କ ପାଖକୁ ଯିବ। ଲୋକମାନେ ସରକାରଙ୍କ ପାଖକୁ ଆସିବା ଦରକାର ନାହିଁ। ବର୍ତ୍ତମାନ ଡି.ବି.ଟି ଏବଂ ଯେତେ ପ୍ରକାର ଇ – ଗଭର୍ଣ୍ଣାସ ସେବା ଅଛି ଆମେ ଆଗାମୀ ଦିନରେ ଆହୁରି ଦୃଢୀଭୂତ କରିବୁ। ଏହି ଉତ୍ସବରେ ଅଧ୍ୟକ୍ଷତାକରି ପି. ଅନ୍ୱେଷା ରେଡ୍ଡୀ କହିଲେ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିବସ ଅବସରରେ ଗୁଡ଼ ଗଭର୍ଣ୍ଣାନ୍ସ ଦିବସ ଜିଲ୍ଲାସ୍ତରରେ ପାଳନ କରାଯାଉଛି। କେମିତି କମ ସରକାର ଓ ସର୍ବାଧିକ ସୁଶାସନ ମଡେଲରେ କାମ କରିପାରିବା। ସରକାରଙ୍କ ବିଭିନ୍ନ ସେବା ଓ ଜନ କଲ୍ୟାଣ ଯୋଜନା ଗୁଡିକ ଲୋକମାନଙ୍କ ପାଖରେ ପହଞ୍ଚିପାରିବ ଏବଂ ଲୋକମାନେ ବିନା ସମସ୍ୟାରେ ଯେଉଁ ସୁବିଧା ପାଇବା କଥା ସେମାନେ ପାଇପାରିବେ। ଏଥିରେ ଡିଜିଟାଲ ଗଭର୍ଣ୍ଣାନ୍ସର ମୁଖ୍ୟ ଭୂମିକା ରହିଛି। ସେହି ହିସାବରେ ସମସ୍ତଙ୍କ ସହଯୋଗ ଓ ସମନ୍ବୟରେ ସରକାରୀ ଅଧିକାରୀମାନେ ତାଙ୍କ କାର୍ଯ୍ୟାଳୟରେ ଭଲ ପରିବେଶରେ ଯେଉଁ ଲୋକମାନେ ଆସୁଛନ୍ତି ସେମାନେ ଯେପରି ହାରାଶ ନହୋଇ ବିଭିନ୍ନ ସେବା ଓ ସୂଚନା ପାଇପାରିବେ ସେଥିପ୍ରତି ଯତ୍ନବାନ ହେବେ। ଆଗାମୀ ଦିନରେ ଆହୁରି ଉତ୍ତମ ଭାବେ ସୁଶାସନ ମଡେଲ କୁ ଯିବାପାଇଁ ଆଜି ବକ୍ତାମାନେ ଆଲୋଚନା କରିଛନ୍ତି। ମୁଁ ଆଶା କରୁଛି ଶ୍ରୀ ବାଜପେୟୀଙ୍କ ଭିଜନ କୁ ସାକାର କରିବା ପାଇଁ ଆମେ ଚେଷ୍ଟା କରିବୁ। ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆ ନିଜର ଅଭିଭାଷଣରେ କହିଥିଲେ ଯେଉଁ କେତେଜଣ ମହମାନବ, ସ୍ଵକର୍ମ, ଆଚରଣ, ନେତୃତ୍ଵ ଦେଶ ମାତୃକାର ସେବା ଇତ୍ୟାଦି ଦ୍ଵାରା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସେମାନଙ୍କ ମଧ୍ୟରେ ଅଟଳ ବିହାରୀ ବାଜପେୟୀ ଥିଲେ ଅନ୍ୟତମ। ସେ ଏକ ଧାରାରେ ଜଣେ ବଳିଷ୍ଠ କର୍ମଠ, ଦକ୍ଷ, ସୁସାହିତ୍ୟିକ, ବିଶିଷ୍ଟ କବି, ସାମ୍ବାଦିକ, ସଂଗଠକ, ସମ୍ପାଦକ, ରାଜନୈତିକ ବ୍ୟକ୍ତିତ୍ୱ ଥିଲେ । ଜୟ ଜବାନ, ଜୟ କିଷାନ ପରେ ଜୟ ବିଜ୍ଞାନକୁ ସେ ଯୋଡ଼ିଥିଲେ। ପୋଖରାନ ପରୀକ୍ଷଣର ସଫଳତା, ଜାତୀୟ ରାଜପଥର ଉନ୍ନତିକରଣ, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଇତ୍ୟାଦି ତାଙ୍କ କାର୍ଯ୍ୟକାଳ ଭିତରେ ସର୍ବଶ୍ରେଷ୍ଠ କାର୍ଯ୍ୟ ଥିଲା। ପ୍ରାରମ୍ଭରେ ବିଶିଷ୍ଟ କବିମାନଙ୍କ ଦ୍ଵାରା ଦେଶାତ୍ମବୋଧକ ଏବଂ ବାଜପେୟୀଙ୍କ ଜୀବନାଦର୍ଶ ଲିଖିତ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଜିଲ୍ଲାସ୍ତରୀୟ ସୁଶାସନ ଦିବସ ପାଳନ ଅବସରରେ ହୋଇଥିବା ଉଚ୍ଚ ବିଦ୍ୟାଳୟ ସ୍ତରୀୟ (ବାଜପେୟୀଙ୍କ ଜୀବନାଦର୍ଶ ସମ୍ବନ୍ଧିତ) ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ବିଶିଷ୍ଟ କବି, ବୁଦ୍ଧିଜୀବୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା, , ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ଅଭିଭାବକ ଓ ଗଣ ମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ। ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ସୋନାଲି ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking