ଯାଜପୁର: ଫାଇଲେରିଆ ରୋଗ ନିରାକରଣ ନିମନ୍ତେ ପ୍ରଥମ ଜିଲ୍ଲା ସମନ୍ଵୟ ସମିତି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ମିଶ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଜିଲ୍ଲାପାଳ ଶ୍ରୀ କର ଖଣି ପ୍ରଭାବିତ ଏବଂ ଗ୍ରାମୀଣ ଅଞ୍ଚଳର ଲୋକଙ୍କୁ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଗ୍ରାମୀଣ ଇଲାକାରେ ମ୍ୟାଲେରିଆ ଭଳି ବିଭିନ୍ନ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଔଷଧ ସେବନ କାର୍ଯ୍ୟକ୍ରମକୁ ପ୍ରତ୍ୟେକ ବିଭାଗର ସୁପରଭାଇଜରମାନେ ତଦାରଖ ସହ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରି ଅଧିକାରୀଙ୍କୁ ଅବଗତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଜିଲ୍ଲା ମୁଖ୍ୟ ଜନସ୍ଵାସ୍ଥ୍ୟ ଅଧିକାରୀ ଗତ ଅଗଷ୍ଟ ମାସରେ ହୋଇଥିବା ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଡ଼ା. ନିଶିଥ ରଞ୍ଜନ ଫାଇଲେରିଆ ରୋଗର କାରଣ, ଲକ୍ଷଣ ଓ ଆଗାମୀ ଫେବୃଆରୀରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ବୁଝାଇଥିଲେ। ଏହି ଅବସରରେ ମହାରାଜା ଯଯାତି କେଶରୀ ଭେଷଜ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଡିନ ଡା ସୀତାରାମ ମହାପାତ୍ର ଏକ ନିରୀକ୍ଷଣ ରିପୋର୍ଟ ଉପସ୍ଥାପନ କରିଥିଲେ, ଯେଉଁଥିରେ ଆଶା ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମର ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ କୁହାଯାଇଛି। କାର୍ଯ୍ୟକ୍ରମକୁ ଜିଲ୍ଲା ଭେକ୍ତରବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପରାମର୍ଶଦାତା ଶ୍ରୀ ବଳଦେବ ନନ୍ଦ ସହଯୋଗ କରିଥିବା ବେଳେ ଜିଲ୍ଲା କାର୍ଯ୍ୟକ୍ରମ ପ୍ରବନ୍ଧକ ଶ୍ରୀ ବିଶ୍ବରଂଜନ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ରସୁଲପୁର ବ୍ଲକର ଅଧିକାରୀମାନେ ଯୋଗ ଦେଇଥିଲେ।










