18.1 C
Bhubaneswar
Friday, January 16, 2026
Homeଓଡିଶାଆଇନ୍‌ଶୃଙ୍ଖଳାକୁ ନେଇ ଏସ୍‌ପି ଅଫିସ୍ ଘେରାଉ କଲା ଜିଲ୍ଲା ବିଜେଡି

ଆଇନ୍‌ଶୃଙ୍ଖଳାକୁ ନେଇ ଏସ୍‌ପି ଅଫିସ୍ ଘେରାଉ କଲା ଜିଲ୍ଲା ବିଜେଡି

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି। ବିଜେଡି ବିଧାୟକମାନେ ଏହି ଅଭିଯୋଗ କରି ଶୁକ୍ରବାର ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରି ଗିରଫ ହୋଇଛନ୍ତି। ହଜାର ହଜାର ସଂଖ୍ୟାରେ ବିଜେଡି ବିଜେପି ସରକାର ବିରୋଧରେ ପ୍ରତିବାଦ କରି ଏସ୍‌ପି ଅଫିସ୍ ନିକଟକୁ ଯାଇଥିଲେ। ସେଠାରେ ଏସ୍‌ପିଙ୍କ ଠାରୁ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ କରିଥିଲେ। ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶିବ ପ୍ରସାଦ ଭଳଙ୍କ ଅଧ୍ୟକ୍ଷତାରେ ଏସ୍‌ପିଙ୍କ ଅଫିସ୍ ନିକଟରେ ଏକ ପ୍ରତିବାଦ ସଭା ହୋଇଥିଲା। ଏଥିରେ ଆଳି ବିଧାୟକ ପ୍ରତାପ କେଶରୀ ଦେବ, ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡ଼ା ନେତା ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ଗତ ୧୫ ବର୍ଷ ମଧ୍ୟରେ ଜିଲ୍ଲାରେ କୌଣସି ରାଜନୈତିକ ଦଳ ଏସ୍‌ପି ଅଫିସ୍ ଘେରାଉ କରି ନଥିଲେ। ଆଜି କାହିଁକି ଏସ୍‌ପି ଅଫିସ୍ ଘେରାଉ କରାଗଲା ବୋଲି ଆଳି ବିଧାୟକ ପ୍ରତାପ ଦେବ ପ୍ରଶ୍ନ କରିଥିଲେ। ବର୍ତ୍ତମାନ ରାଜ୍ୟରେ ଲୋକଙ୍କ ସରକାର ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ଯେଉଁ ନାରା ଦେଉଛନ୍ତି ତାହା କେବଳ ବାହାସ୍ଫୋଟ। ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଥିବା ବେଳେ ଜିଲ୍ଲାରେ ଥିବା ଥାନାଗୁଡିକ ବିଜେପି କାର୍ଯ୍ୟାଳୟ ପାଲଟିଛି। ଏହି ଆନ୍ଦୋଳନ ଆଜିଠୁ ଆରମ୍ଭ ହେଲା ଆଗକୁ ଅଧିକ ଭୟଙ୍କର ରୂପ ନେବ ବୋଲି ଆଳି ବିଧାୟକ ପ୍ରତାପ ଦେବ ଚେତାବନୀ ଦେଇଥିଲେ। ଆଜିର ଆନ୍ଦୋଳନ ହେଉଛି ଟେଲର। ଆଗାମୀ ଦିନରେ ପୁଲିସ ଫିଲ୍ମ ଦେଖିବ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ। ଜିଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ସଜାଡିବା ପାଇଁ ଏହି ଆନ୍ଦୋଳନ କରାଯାଇଛି। ଜିଲାରେ ସ୍ୱେଚ୍ଛାଚାର ଶାସନ ଚାଲିଛି। ରକ୍ଷକ ଏବେ ଭକ୍ଷକ ସାଜିଛନ୍ତି। ପୁଲିସ ଏବେ ସରକାରୀ ଦଳର ହାତବାରିସି ସାଜିଛି। କାରଣ ଆଇନ୍ କହୁଛି ଯେକୌଣସି ବ୍ୟକ୍ତି କୌଣସି ନିର୍ଯାତନା କିମ୍ବା ଅପରାଧ ବିରୋଧରେ ସ୍ୱର ଉତ୍ତୋଳନ କରି ଥାନାରେ ଏତଲା ଦେଲେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କିନ୍ତୁ କେନ୍ଦ୍ରାପଡ଼ା ପୁଲିସ ଜିଲାରେ ଆଇନ୍‌ର ଶାସନ ଚାଲିନାହିଁ। ଏବେ ଜେଲଭରୋ ଆନ୍ଦୋଳନ ହେଲା। ଆଗାମୀ ଦିନରେ ବିଜେଡି ଆଇନ୍ ଅମାନ୍ୟ ଆନ୍ଦୋଳନ କରିବ ବୋଲି ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ ବେହେରା କହିଛନ୍ତି। ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଲେ ରାଜ୍ୟରେ ଆଇନ୍ ଶୃଙ୍ଖଳା ବୋଲି କିଛି ନାହିଁ। ଗତ ୨ ବର୍ଷ ମଧ୍ୟରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇନାହିଁ। ଶୁଭଦ୍ରା ଯୋଜନାରେ ଲୋକଙ୍କୁ ଟଙ୍କା ଦେଇ ଅନ୍ୟ ବାଟେ ଲୁଟୁଛନ୍ତି। ରାଜ୍ୟରେ ସରକାରୀ ଅଧିକାରୀମାନଙ୍କୁ ବିଜେପି ନେତାମାନେ କାର୍ଯ୍ୟ କରିବାକୁ ଦେଉ ନାହାଁନ୍ତି। ମହିଳାଙ୍କ ପ୍ରତି ସରକାରଙ୍କ ସମ୍ମାନ ନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ରାଜନଗରରେ ମହିଳା ବିଡିଓଙ୍କୁ ବିଜେପି ନେତାଙ୍କ ଆକ୍ରମଣ। ପୁଲିସ ବିଜେପି ନେତାମାନଙ୍କ ପାଇଁ ଗୁଣ୍ଡା ସାଜିଛି। ବିଜେପି ନେତାମାନେ ବାଲି, ଗୋଡି ଓ ମାଟିକୁ ଖାଇଯିବା ପାଇଁ ହାଁ ହାଁ ହେଉଛନ୍ତି ବୋଲି ଶ୍ରୀ ଜେନା କହିଥିଲେ। ରାଜନଗରରେ ମହିଳା ବିଡିଓଙ୍କୁ ଆକ୍ରମଣ କରାଗଲା। ଏ ନେଇ ବ୍ଲକର ମହିଳା ଅଧ୍ୟକ୍ଷ ବିଡିଓଙ୍କୁ କରାଯାଇଥିବା ଦୁର୍ବ୍ୟବହାର ସଂକ୍ରାନ୍ତରେ ଥାନାରେ ଏତଲା ଦେଲେ। ପୁଲିସ ଏଥିପାଇଁ ଦାୟୀ ବୋଲି ରାଜନଗର ବିଧାୟକ ଶ୍ରୀ ସାହୁ କହିଛନ୍ତି। ଏପରି ଅନ୍ୟାୟ ଓ ଅନୀତିକୁ ବିଜେଡି ସହିବ ନାହିଁ। ଆଗାମୀ ଦିନରେ ଏହାର କଡ଼ା ଜବାବ ଦେବ ବୋଲି ସେ ଚେତାବନୀ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking