ଛତ୍ରପୁର: ଜ଼ିଲ୍ଲାର ବରିଷ୍ଠ ନାଗରିକମାନଙ୍କର ଜୀବନ ବ୍ୟାପି ଅବଦାନ, ଅନୁଭବ ଓ ପ୍ରଗାଢ ପ୍ରଜ୍ଞାକୁ ସମ୍ମାନ ଜଣାଇବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୩ ତାରିଖରୁ ଆରମ୍ଭ ହୋଇଥିବା “ବରିଷ୍ଠ ନାଗରିକ ସପ୍ତାହ” ୧୯ ତାରିଖ ପର୍ଯ୍ୟନ୍ତ ପାଳନ ହେବ । ଏହାର ସମାପନ ୨୦ ଫେବୃଆରୀ ୨୦୨୬ ତାରିଖରେ ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳନ ସହିତ କରାଯିବ । ବରିଷ୍ଠ ନାଗରିକମାନେ ଆମ ସମାଜର ଅମୂଲ୍ୟ ଅନୁଭବ, ସମୃଦ୍ଧ ସଂସ୍କୃତି ଓ ନୈତିକ ମୂଲ୍ୟବୋଧର ଜୀବନ୍ତ ଭଣ୍ଡାର। ପରିବାର, ସମାଜ ଓ ରାଷ୍ଟ୍ର ଗଠନରେ ସେମାନଙ୍କ ଅବଦାନ ଅପରିମିତ । ଏହି ସପ୍ତାହ ପାଳନର ଉଦ୍ଦେଶ୍ୟ କେବଳ ସେମାନଙ୍କୁ ସମ୍ମାନ ଜଣାଇବା ନୁହେଁ, ବରଂ ସେମାନଙ୍କର ନ୍ୟାୟଯୁକ୍ତ ଅଧିକାର, ମର୍ଯ୍ୟାଦା, ସ୍ୱାସ୍ଥ୍ୟ ସୁରକ୍ଷା ଓ ସେମାନଙ୍କ ପାଇଁ ଉଦ୍ଧିଷ୍ଟ ଜନକଲ୍ୟାଣକାରୀ ସରକାରୀ ଯୋଜନା ଓ ବ୍ୟବସ୍ଥାଗୁଡ଼ିକ ବିଷୟରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା । ଏହି ସପ୍ତାହ ଅବଧିରେ ବିବିଧ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛ। ୧୬ ତାରିଖ ଅପରାହ୍ନ ୩ଟା ସମୟରେ ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ “କବିତାପାଠ ଉତ୍ସବ” ଆୟୋଜିତ ହେବ । ୧୭ ତାରିଖ ଅପରାହ୍ନ ୩ଟାରେ ବ୍ରହ୍ମପୁର ମହାନଗର ନିଗମ ସମ୍ମିଳନୀ କକ୍ଷରେ “ସେମିନାର ଓ ଇଣ୍ଟରଫେସ ସେସନ” ଆୟୋଜନ କରାଯିବ, ଯେଉଁଠାରେ ବରିଷ୍ଠ ନାଗରିକ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଆଲୋଚନା ଓ ମତବିନିମୟ ହେବ।
ସେହିପରି, ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେବପୂର୍ବକ ୧୮ ତାରିଖ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯିବ । ଯୁବପିଢ଼ି ମଧ୍ୟରେ ବୟସ୍କ ବ୍ୟକ୍ତିବିଶେଷଙ୍କ ପାଇଁ ସମ୍ମାନ ଓ ସମ୍ବେଦନଶୀଳତା ବୃଦ୍ଧି ପାଇଁ ୧୬ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ଛତ୍ରପୁର ସାଇନ୍ସ କଲେଜରେ ମହାବିଦ୍ୟାଳୟସ୍ତରୀୟ ସୃଜନଶୀଳ ସାହିତ୍ୟ ପ୍ରତିଯୋଗିତା ଆୟୋଜିତ ହେବ । ସେହି ଦିନ ଏବଂ ସେହି ସମୟରେ ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟସ୍ତରରେ ମଧ୍ୟ ବିଭିନ୍ନ ପ୍ରତିଯୋଗିତା ଜିଲ୍ଲା ଶିକ୍ଷା ଅଧିକାରୀ, ଗଞ୍ଜାମଙ୍କ ତତ୍ୱାବଧାନ ଓ ନିର୍ଦ୍ଧାରିତ ସ୍ଥାନରେ ଆୟୋଜନ କରାଯିବ ।
୧୯ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ଛତ୍ରପୁର ଇନ୍ଡୋର ଷ୍ଟାଡିୟମରେ ବରିଷ୍ଠ ନାଗରିକମାନଙ୍କ ପାଇଁ ମନୋରଞ୍ଜନାତ୍ମକ କ୍ରୀଡା ଆୟୋଜିତ ହେବ। ୨୦ ତାରିଖ ସକାଳ ୫ଟା ୩୦ମିନିଟ୍ରୁ ୭ଟା ୩୦ମିନିଟ୍ ପର୍ଯ୍ୟନ୍ତ ଛତ୍ରପୁର ଯୋଗ ଷ୍ଟାଡିୟମରେ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ୨୦ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ଛତ୍ରପୁରସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଡିଜିଟାଲ ସାକ୍ଷରତା, ଆର୍ଥିକ ସାକ୍ଷରତା ଓ “ମାତାପିତା ଓ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଅଧିନିୟମ (MWPSC Act)” ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ । ଜିଲ୍ଲା ପ୍ରଶାସନ ଜିଲ୍ଲାର ବରିଷ୍ଠ ନାଗରିକ, ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ ଓ ଜନସାଧାରଣଙ୍କୁ ଏହି ମହତ୍ୱପୂର୍ଣ୍ଣ ପ୍ରୟାସରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଅନୁରୋଧ କରୁଛି । ଆସନ୍ତୁ, ଆମେ ସମସ୍ତେ ମିଶି ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସହାନୁଭୂତିଶୀଳ, ସମ୍ବେଦନଶୀଳ ଓ ସୁନ୍ଦର ସମାଜ ଗଠନ କରିବା ।










