22.1 C
Bhubaneswar
Tuesday, February 17, 2026
Homeଖେଳପାକିସ୍ତାନ ସହ ବିବାଦ: ଭାରତ ବାହାରକୁ ଯିବ ଆଗାମୀ ବିଶ୍ୱକପ୍ ଓ ଚାମ୍ପିୟନ୍ସ ଟ୍ରଫି!

ପାକିସ୍ତାନ ସହ ବିବାଦ: ଭାରତ ବାହାରକୁ ଯିବ ଆଗାମୀ ବିଶ୍ୱକପ୍ ଓ ଚାମ୍ପିୟନ୍ସ ଟ୍ରଫି!

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିଥିବା ତିକ୍ତତା କାରଣରୁ ଆଇସିସି ବଡ଼ ପଦକ୍ଷେପ ନେବା ମୁଡ୍‌ରେ ରହିଛି। ଭବିଷ୍ୟତରେ ଖେଳା ଯିବାକୁ ଥିବା ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ୍ ଭାରତ ବାହାରେ ଆୟୋଜନ କରିବାକୁ ଆଇସିସି ଚିନ୍ତା କରୁଛି। ଏନେଇ ଅଷ୍ଟ୍ରେଲିଆର ଦ ଏଜ୍ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟରେ ଦାବି କରାଯାଇଛି ଯେ ୨୦୨୯ ଚାମ୍ପିଅନ୍ସ ଟ୍ରଫି ଓ ୨୦୩୧ ଦିନିକିଆ ବିଶ୍ୱକପ୍ ଭାରତରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଚିନ୍ତା କରୁଛି ଆଇସିସି। ଭାରତ ଓ ପାକିସ୍ତାନ ପରସ୍ପରର ମାଟିରେ ଖେଳିବାକୁ ମନା କରିଦେଇଥିବାରୁ ଆଇସିସି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି। ବିଶେଷ କରି ଲଜିଷ୍ଟିକ୍ ସମସ୍ୟାର ସାମ୍ନା କରିବାକୁ ପଡ଼ିଛି। ୨୦୧୫ରେ ଦିନିକିଆ ବିଶ୍ୱକପ ଓ ୨୦୨୨ ଟି-୨୦ ବିଶ୍ୱକପ ଆୟୋଜନ ଅଷ୍ଟ୍ରେଲିଆ ସଫଳତାର ସହ କରିଥିଲା। ତେଣୁ ଭାରତ ବଦଳରେ ଅଷ୍ଟ୍ରେଲିଆକୁ ୨୦୨୯ ଚାମ୍ପିୟନ୍ସ ଟ୍ରଫି ଓ ୨୦୩୧ ଦିନିକିଆ ବିଶ୍ୱକପ ଆୟୋଜନ ଅଧିକାର ଦେଇପାରେ ଆଇସିସି। ତେବେ ଏନେଇ ଏବେ ସୁଦ୍ଧା କୌଣସି ବିଧିବଦ୍ଧ ନିଷ୍ପତ୍ତି ହୋଇନାହିଁ।

ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ପରସ୍ପରର ଦେଶକୁ ଗସ୍ତ କରିବେ ନାହିଁ ବୋଲି ଆଇସିସି ସହ ଡିଲ୍ କରିଛନ୍ତି। ୨୦୨୫ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଭାରତୀୟ ଟିମ୍ ପାକିସ୍ତାନ ଯିବାକୁ ମନା କରିଥିଲା। ଏହି ସମୟରେ ଉଭୟ ଦେଶ ୨୦୨୭ ପର୍ଯ୍ୟନ୍ତ କୌଣସି ମ୍ୟାଚ୍ ଖେଳିବାକୁ ପରସ୍ପରର ଦେଶକୁ ଯିବେ ନାହିଁ ବୋଲି ଡିଲ୍ ହୋଇଥିଲା। ଏବେ ବି ଦୁଇ ଦେଶ ମଧ୍ୟରେ ବିବାଦ ଜାରି ଥିବାରୁ ଏହି ସମୟସୀମା ଆହୁରି ବୃଦ୍ଧି କରିବା ମୁଡରେ ରହିଛି ଆଇସିସି। ଏପ୍ରିଲ ୨୨ ପହଲଗାମ ନରସଂହାର ଯୋଗୁ ଏସିଆ କପ୍ ବେଳେ ଭାରତୀୟ ଟିମ୍‌ର ଖେଳାଳିମାନେ ପାକିସ୍ତାନ ଖେଳାଳିଙ୍କ ସହ ପାରମ୍ପରିକ ହ୍ୟାଣ୍ଡ୍‌ସେକ୍ କରିନଥିଲେ। ମ୍ୟାଚ୍ ପରେ ପାକିସ୍ତାନ ଖେଳାଳି ହାତ ମିଳାଇବାକୁ ଅପେକ୍ଷା କରିଥିଲେ ହେଁ କ୍ୟାପ୍‌ଟେନ୍ ସୂର୍ଯ୍ୟକୁମାର ଯାଦବ କିମ୍ବା ଭାରତର କୌଣସି କ୍ରିକେଟର ହାତ ମିଳାଇ ନଥିଲେ। ଏହାକୁ ନେଇ ବେଶ୍ ବିବାଦ ଦେଖାଯାଇଥିଲା। ସେହିପରି ଏସିଆ କପ୍ ଜିତିବା ପରେ ମଧ୍ୟ ଭାରତୀୟ ଖେଳାଳି ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଖ୍ୟ ମୋହସିନ୍ ନକ୍‌ଭୀଙ୍କ ଠାରୁ ଟ୍ରଫି ଗ୍ରହଣ କରି ନଥିଲେ। ଏହାର ପ୍ରଭାବ ଫେବୃଆରୀ ୧୫ ତାରିଖ ବିଶ୍ୱକପ୍ ବେଳେ ମଧ୍ୟ ଦେଖିବାକୁ ମିଳିଥିଲା। ଦୁଇ ଦେଶର ଖେଳାଳି ପୁଣି ଥରେ ପରସ୍ପର ସହ ହାତ ମିଳାଇ ନଥିଲେ। ଏହାକୁ ନେଇ ବିବାଦ ଘନେଇବାରେ ଲାଗିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking