24.1 C
Bhubaneswar
Tuesday, February 10, 2026
Homeଓଡିଶାହୀରାକୁଦ ପାଣି ସିଧାସଳଖ ବ୍ୟବହାରଯୋଗ୍ୟ ନୁହେଁ

ହୀରାକୁଦ ପାଣି ସିଧାସଳଖ ବ୍ୟବହାରଯୋଗ୍ୟ ନୁହେଁ

ଝାରସୁଗୁଡ଼ା: ଏସିଆର ଦୀର୍ଘତମ ନଦୀବନ୍ଧ ଯୋଜନା ହୀରାକୁଦ ଡ୍ୟାମ୍‌ର ପାଣିକୁ ନେଇ ଆସିଛି ସାଂଘାତିକ ତଥ୍ୟ। ଅଣମୌସୁମୀ ଋତୁରେ ପାଣିରେ ଗନ୍ଧକର ମାତ୍ରା ସର୍ବାଧିକ ରହୁଥିବା ବେଳେ ମୌସୁମୀ ଋତୁରେ ନାଇଟ୍ରେଟ୍‌ର ପରିମାଣ ଆବଶ୍ୟକତାଠାରୁ ଅଧିକ ରହୁଛି। ଜଳଭଣ୍ଡାର ପାଣିରେ ଅନିୟନ୍ତ୍ରିତ କୃଷିଭିତ୍ତିକ ଓ ଶିଳ୍ପଭିତ୍ତିକ ବର୍ଜ୍ୟ ମିଶିବା ହିଁ ପାଣିର ଉପାଦାନ ପ୍ରଭାବିତ ହେବାର ମୁଖ୍ୟ କାରଣ ବୋଲି ରିପୋର୍ଟରେ ଦର୍ଶାଯାଇଛି। ମୁଖ୍ୟମନ୍ତ୍ରୀ ଗବେଷଣା ଓ ଉଦ୍ଭାବନ ଯୋଜନା (ଏମ୍‌ଆର୍‌ଆଇପି) ଅଧୀନରେ ହୋଇଥିବା ଗବେଷଣାରୁ ଏହି ତଥ୍ୟ ପଦାକୁ ଆସିଛି। ୨୦୨୦ ମସିହା ମାର୍ଚ୍ଚ ମାସରୁ ୨୦୨୩ ଫେବ୍ରୁଆରି ଯାଏ ହୋଇଥିବା ଗବେ‌ଷଣା ଆଧାରରେ ଆଶିଷ ସାହୁଙ୍କ ଦ୍ବାରା ଉପସ୍ଥାପିତ ତଥ୍ୟରେ ଉପରୋକ୍ତ ପ୍ରସଙ୍ଗ ଉଲ୍ଲେଖ ରହିଛି।

ରିପୋର୍ଟ ଅନୁସାରେ, ହୀରାକୁଦ ଜଳଭଣ୍ଡାର ପିଇବା ପାଣି, ଜଳସେଚନ, ପଶୁପାଳନର ଏକ ବିରାଟ ଉତ୍ସ। ଜଳଭଣ୍ଡାର କୂଳରେ ବଡ଼ ବଡ଼ ଶିଳ୍ପାନୁଷ୍ଠାନ ଗଢ଼ି ଉଠିଥିବା ବେଳେ ସେଗୁଡ଼ିକରୁ ନିର୍ଗତ ବର୍ଜ୍ୟ ଜଳ ପାଣିରେ ମିଶୁଛି। ସେହିପରି ମହାନଦୀ ଉପର ମୁଣ୍ଡରୁ ନେଇ ଜଳ ଭଣ୍ଡାର ଯାଏ ନଈକୂଳରେ ରହିଥିବା ଚାଷ ଜମିରୁ ନାଇଟ୍ରୋଜେନ୍‌ଯୁକ୍ତ ସାର ଓ କୀଟନାଶକର ଅବଶେଷ ମଧ୍ୟ ଏହି ପାଣିରେ ମିଶୁଛି। ଯଦ୍ବାରା ଜଳଭଣ୍ଡାରର ପଟୁରେ ଭାରି ଧାତୁ ଜମା ହୋଇ ରହୁଛି। ଏହାର ପ୍ରଭାବ ଯୋଗୁଁ ଏଠାରୁ ମାଛବଂଶ ଲୋପ ପାଇବାକୁ ବସିଲେଣି।

କେବଳ ମଣିଷ ନୁହେଁ, ସମଗ୍ର ଜୈବ ବିବିଧତା ପାଇଁ ଏହା ବିପଦ ସୃଷ୍ଟି କରିଛି। ସେପଟେ ଜଳଭଣ୍ଡାର ପାଣିରେ ମଧ୍ୟ ଋତୁ ଅନୁସାରେ ବିଭିନ୍ନ ଉପାଦାନର ପରିବର୍ତ୍ତନ ଦେଖିବାକୁ ମିଳିଛି। ମୌସୁମୀ ପୂର୍ବରୁ ଏହାର ୧ ଲିଟର ପାଣିରେ ୩.୮ ମିଲିଗ୍ରାମ ଅମ୍ଲଜାନ ରହୁଥିବା ବେଳେ ମୌସୁମୀ ଋତୁରେ ଏହାର ପରିମାଣ ୬.୨ ମିଲିଗ୍ରାମକୁ ବୃଦ୍ଧି ପାଉଛି। ତେବେ ମୌସୁମୀ ପରବର୍ତ୍ତୀ ସ୍ଥିତିରେ ଜଳଭଣ୍ଡାରର ପାଣିରେ ଲିଟର ପିଛା ୧୨.୭ ମିଲିଗ୍ରାମ୍‌ ନାଇଟ୍ରେଟ୍‌ ଓ ମୌସୁମୀ ପୂର୍ବବର୍ତ୍ତୀ ସ୍ଥିତିରେ ଲିଟର ପିଛା‌ ୪.୧୭ ମିଲିଗ୍ରାମ ଫସ୍‌ଫେଟ୍‌ ରହିଥିବା ଦେଖିବାକୁ ମିଳିଛି। ମୌସୁମୀ ପୂର୍ବବର୍ତ୍ତୀ ସ୍ଥିତିରେ ଜଳଭଣ୍ଡାର ପାଣିରେ ଅଧିକ ପରିମାଣର ସାଇନୋ ବାକ୍ଟେରିଆ ରହୁଥିବାରୁ ପାଣିର ମାନ ନିମ୍ନଗାମୀ ହେବା ସହ ଜଳ ଭଣ୍ଡାରର ଜୈବ ବିବିଧତା ବିଗୁଡୁଥିବା ରିପୋର୍ଟରେ ଦର୍ଶାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking