26.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କୁ ସାକ୍ଷାତ୍ କଲେ ଧର୍ମେନ୍ଦ୍ର ପ୍ରଧାନ

ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କୁ ସାକ୍ଷାତ୍ କଲେ ଧର୍ମେନ୍ଦ୍ର ପ୍ରଧାନ

ସିଙ୍ଗାପୁର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ବିଦ୍ୟାଳୟ ଶିକ୍ଷା, ଧନ୍ଦାମୂଳକ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ବୃଦ୍ଧି ଏବଂ ବ୍ୟାପକ କରିବା ଉପରେ ଫଳପ୍ରଦ ଆଲୋଚନା ହୋଇଛି। ପ୍ରତିଭା, ସମ୍ବଳ ଓ ମାର୍କେଟ୍ ଭଳି ତିନୋଟି ପ୍ରମୁଖ ସ୍ତମ୍ଭ ମାଧ୍ୟମରେ ଦୁଇ ଦେଶର ଭାଗିଦାରୀକୁ ସୁଦୃଢ଼ କରିବା ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ସାକ୍ଷାତକାର ପରେ ଶ୍ରୀ ପ୍ରଧାନ ସୂଚନା ଦେଇ କହିଛନ୍ତି, ଅତ୍ୟାଧୁନିକ ଜ୍ଞାନକୌଶଳ ବା ଡିପଟେକ୍‌, ଷ୍ଟାର୍ଟଅପ୍ ଏବଂ ଇନୋଭେସନ ପରିସଂସ୍ଥାନକୁ ଆଗକୁ ବଢ଼ାଇବାରେ ଭାରତ ସିଙ୍ଗାପୁରକୁ ଏକ ବିଶ୍ୱସନୀୟ ଜ୍ଞାନ ସହଯୋଗୀ ରାଷ୍ଟ୍ର ଭାବରେ ଦେଖୁଛି। ଗୁରୁତ୍ୱପୂର୍ଣ୍ଣ ଏବଂ ସାମ୍ପ୍ରତିକୀ ଆହ୍ୱାନଜନିତ ସମସ୍ୟା କ୍ଷେତ୍ରରେ ସହଯୋଗ ସମେତ ଭାରତ-ସିଙ୍ଗାପୁର ସମ୍ପର୍କକୁ ଏକ ବ୍ୟାପକ ଭାଗିଦାରୀରେ ପରିଣତ କରିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଶ୍ରୀ ୱଙ୍ଗ ଏକ ସୁଦୃଢ଼ ଢାଞ୍ଚା ପ୍ରସ୍ତୁତ କରିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ତଥା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଜିଏଏନ୍ କିମ୍ ୟୋଙ୍ଗଙ୍କୁ ସାକ୍ଷାତ କରି ଭବିଷ୍ୟତ ପିଢ଼ିଙ୍କ ପାଇଁ ସହଭାଗିତା ସୃଷ୍ଟି କରିବା ପାଇଁ ଦକ୍ଷତାଭିତ୍ତିକ ଶିକ୍ଷା ଏବଂ ପ୍ରଶିକ୍ଷଣରେ ସହଯୋଗ ଉପରେ ଆଲୋଚନା କରିଛନ୍ତି। ସେହିପରି ଶ୍ରୀ ପ୍ରଧାନ ସିଙ୍ଗାପୁରର ଶିକ୍ଷା ମନ୍ତ୍ରୀ ଚାନ୍ ଚୁନ୍ ସିଂଙ୍କୁ ମଧ୍ୟ ଭେଟି ଶିକ୍ଷାର ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। ଭାରତର ଶିକ୍ଷା ବ୍ୟବସ୍ଥାର ଅନ୍ତର୍ଜାତୀୟକରଣ ପାଇଁ ଜାତୀୟ ଶିକ୍ଷା ନୀତିର ଗୁରୁତ୍ୱ ଉପରେ, ଓଭରସିଜ୍ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ଉପରେ (ଯାହା ଦ୍ୱାରା ଭାରତୀୟ ଛାତ୍ରଛାତ୍ରୀମାନେ ସିଙ୍ଗାପୁର କମ୍ପାନୀରେ ବ୍ୟବହାରିକ ଅଭିଜ୍ଞତା ହାସଲ କରିପାରିବେ), ଉଭୟ ଦେଶର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଭାରତରେ ସିଙ୍ଗାପୁର ସ୍କୁଲ ଏବଂ ସିଙ୍ଗାପୁରରେ ଭାରତର ସ୍କୁଲ ଖୋଲିବାର ସମ୍ଭାବନା ଉପରେ, ଡିପଟେକ୍‌, ମେଡିସିନ, ଅତ୍ୟାଧୁନିକ ସାମଗ୍ରୀ ଇତ୍ୟାଦି ପାରସ୍ପରିକ ସ୍ୱାର୍ଥ କ୍ଷେତ୍ରରେ ମିଳିତ ଗବେଷଣା ସହଯୋଗ ଉପରେ, ଉଭୟ ଦେଶର ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଏକାଡେମିକ ଏବଂ ଗବେଷଣା ସହଯୋଗକୁ ପ୍ରୋତ୍ସାହିତ କରିବା ଆଦି ଭିନ୍ନ ଭିନ୍ନ ଦିଗ ଉପରେ ଉଭୟ ନେତା ଆଲୋଚନା କରିଛନ୍ତି।

ଶ୍ରୀ ପ୍ରଧାନ ସିଙ୍ଗାପୁରର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭିଭିଆନ୍ ବାଲକ୍ରିଷ୍ଣନଙ୍କୁ, ସିଙ୍ଗାପୁର ନ୍ୟାସନାଲ ୟୁନିଭର୍ସିଟିର ପ୍ରେସିଡେଣ୍ଟ୍ ପ୍ରଫେସର ଟାନ୍ ଇଙ୍ଗ୍ ଚି ଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ଶ୍ରୀ ପ୍ରଧାନ ପାଠ୍ୟକ୍ରମ ବିକାଶ, ଶିକ୍ଷାଦାନ ଏବଂ ଶିକ୍ଷକ ଦକ୍ଷତା ବୃଦ୍ଧି ଭଳି କ୍ଷେତ୍ରରେ ସିଙ୍ଗାପୁରର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ ଏବଂ ଏନସିଇଆରଟି ମଧ୍ୟରେ ସହଯୋଗର ସୁଯୋଗ ଉପରେ ଆଲୋକପାତ କରିଥିଲେ। ଷ୍ଟାର୍ଟଅପ୍‌, ସ୍ୱାସ୍ଥ୍ୟସେବା, ଅତ୍ୟାଧୁନିକ ସାମଗ୍ରୀ, ଡିଜିଟାଲାଇଜେସନ୍ ଏବଂ ସ୍ଥାୟୀତା ଆଦି କ୍ଷେତ୍ରରେ ମୂଲ୍ୟ ସୃଷ୍ଟି କରିବା ପାଇଁ ଏନୟୁଏସ୍ ଏବଂ ଭାରତୀୟ ଉଚ୍ଚଶିକ୍ଷାନୁଷ୍ଠାନ ମିଳିତ ଉଦ୍ୟମରେ ସହଯୋଗ କରିପାରିବେ ବୋଲି ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ। ସିଙ୍ଗାପୁର ଗସ୍ତ କାଳରେ ଶ୍ରୀ ପ୍ରଧାନ ‘ଭବିଷ୍ୟତର ବିଦ୍ୟାଳୟ’ ନିର୍ମାଣ ଦିଗରେ ଜାଣିବା ପାଇଁ ହ୍ୱା ଚୋଙ୍ଗ୍ ଇଣ୍ଟରନ୍ୟାସନାଲ ସ୍କୁଲ ପରିଦର୍ଶନ କରିଥିଲେ। ଛାତ୍ରଛାତ୍ରୀଙ୍କ ଅଭିଜ୍ଞତା ବୃଦ୍ଧି, ଶିକ୍ଷଣ ଫଳାଫଳକୁ ସୁଦୃଢ଼ କରିବା ତଥା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଶକ୍ତି, ପ୍ରତିଭା ଏବଂ ସୃଜନଶୀଳ କାର୍ଯ୍ୟକୁ ଆକୃଷ୍ଟ କରିବା ପାଇଁ ଏଆଇ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ଉପରେ ବିଦ୍ୟାଳୟଗୁଡ଼ିକ ଗୁଡିକ ଗୁରୁତ୍ୱ ଦେଉଥିବା ବେଳେ ଏହାକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking