26.1 C
Bhubaneswar
Friday, March 13, 2026
Homeଓଡିଶାସଫଳତା ପାଇଁ ନିଜର ଅନ୍ତର୍ନିହିତ ଗୁଣକୁ ବିକଶିତ କର: ଛାତ୍ରଛାତ୍ରୀଙ୍କୁ ସନ୍ଥ ଗୌର ଗୋପାଳ ଦାସଙ୍କ...

ସଫଳତା ପାଇଁ ନିଜର ଅନ୍ତର୍ନିହିତ ଗୁଣକୁ ବିକଶିତ କର: ଛାତ୍ରଛାତ୍ରୀଙ୍କୁ ସନ୍ଥ ଗୌର ଗୋପାଳ ଦାସଙ୍କ ଆହ୍ୱାନ

ଭୁବନେଶ୍ୱର: ସଫଳତା ହାସଲ କରିବା କ୍ଷେତ୍ରରେ ଦକ୍ଷତା ଓ କାର୍ଯ୍ୟ କୁଶଳତା ହିଁ ମାପଦଣ୍ଡ ବୋଲି ଅନେକଙ୍କର ଚିନ୍ତାଧାରା ରହିଥିବା ବେଳେ ପ୍ରକୃତରେ କିନ୍ତୁ ମଣିଷର ମାନସିକତା ହିଁ ତାକୁ ଆଗକୁ ବଢ଼ିବାରେ ସହାୟକ ହୋଇଥାଏ ବୋଲି ମତ ରଖିଛନ୍ତି ପଥ ପ୍ରଦର୍ଶକ, ବିଶିଷ୍ଟ ପ୍ରେରଣାଦାୟୀ ବକ୍ତା, ସାଧୁ ତଥା ଲେଖକ ଗୌର ଗୋପାଳ ଦାସ । ଶୁକ୍ରବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆନୁଆଲ୍ ଟ୍ୟାଲେଂଟ ଏନ୍‌ଗେଜମେଂଟ କାର୍ଯ୍ୟକ୍ରମ ‘ସୋଆ ପ୍ରକ୍ସିମା ୨୦୨୬’ର ୩-ଦିନିଆ ଉତ୍ସବର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୌର ଗୋପାଳ ଦାସ ଛାତ୍ରଛାତ୍ରୀଙ୍କୁ କହିଛନ୍ତି ଯେ କର୍ପୋରେଟ ଜଗତର ପସନ୍ଦ ଦକ୍ଷ ଓ କାର୍ଯ୍ୟ କୁଶଳତା ସମ୍ପନ୍ନ ବ୍ୟକ୍ତିଙ୍କ ପ୍ରତି ଅଧିକ ରହିଥିବା ବେଳେ ସଫଳତା ପ୍ରତି ଅଧିକ ଆସକ୍ତି ରଖୁ ନଥିବା ଚିନ୍ତାଧାରାର ବ୍ୟକ୍ତି ବିଶେଷ ହିଁ ପ୍ରକୃତରେ ନିଜ ଜୀବନରେ ଉନ୍ନତି କରିଥାନ୍ତି ।

‘ୟୁ କ୍ୟାନ୍ ହାବ୍ ଇଟ୍ ଅଲ୍‌’ ପୁସ୍ତକର ଲେଖକ ସନ୍ଥ ଦାସ କହିଛନ୍ତି ଯେ “ମୋତେ ଯଦି କାହାକୁ ନିଯୁକ୍ତି ଦେବାକୁ କୁହାଯାଏ ତେବେ ମୁଁ ଦକ୍ଷତା ଓ କାର୍ଯ୍ୟ କୁଶଳତା ପ୍ରତି ଧ୍ୟାନ ନ ଦେଇ ସେହି ବ୍ୟକ୍ତିର ଅନ୍ତର୍ନିହିତ ବିଶେଷତ୍ୱକୁ ଅଧିକ ପ୍ରାଧାନ୍ୟ ଦେବି ।” ଛାତ୍ରଛାତ୍ରୀମାନଙ୍କ ସହିତ ଖୁବ୍ ଖୁସି ମିଜାଜରେ ଆଲୋଚନା କରିବା ସମୟରେ ଦାସ ସେମାନଙ୍କୁ ବୁଝାଇଥିଲେ ଯେ ରଙ୍ଗବେରଙ୍ଗ ବେଲୁନ୍‌ଗୁଡ଼ିକ ଆକାଶରେ ସେଗୁଡ଼ିକର ରଙ୍ଗ ନିମନ୍ତେ ଅଧିକ ଉଚ୍ଚରେ ଉଡ଼ି ନଥାଏ । କେବଳ ସେହି ବେଲୁନ୍‌ଗୁଡ଼ିକ ଉପରକୁ ଉଠିଥାଏ ଯେଉଁଥିରେ ଆବଶକୀୟ ଗ୍ୟାସ ଭର୍ତି ହୋଇରହିଥାଏ । ଦକ୍ଷତା ଜରୁରୀ ହେଲେ ମଧ୍ୟ ସଫଳତା ହାସଲ କରିବା ନିମନ୍ତେ ସେହିଭଳି ମନୋବୃତି ରହିବା ଉଚିତ୍ ବୋଲି ସେ କହିବା ସହ ମହାଭାରତ କାବ୍ୟର ଉଦାହରଣ ଦେଇ କହିଥିଲେ ଯେ ଅର୍ଜୁନ ଖୁବ୍ ଦକ୍ଷ ଥିଲେ ଏବଂ ତାଙ୍କ ପାଖରେ ସମସ୍ତ ଅସ୍ତ୍ରଶସ୍ତ୍ର ଥିଲା । କିନ୍ତୁ ଯୁଦ୍ଧ ଲଢ଼ିବା ପାଇଁ ତାଙ୍କ ପାଖରେ ମନୋବଳ ନଥିଲା । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନ୍ତର୍ନିହିତ ଗୁଣର ଆବଶ୍ୟକତାକୁ ବିସ୍ତୃତ ଭାବେ ବୁଝାଇ ସନ୍ଥ ଦାସ କହିଥିଲେ ଯେ ପିଲାମାନେ ରଂଗବେରଙ୍ଗ ପ୍ରଜାପତିଙ୍କୁ ଧରିବାକୁ ଖୁବ ଭଲ ପାଇଥାନ୍ତି । କିନ୍ତୁ ଗୋଟିଏ ସୁନ୍ଦର ବଗିଚା ପ୍ରସ୍ତୁତ କରିବା ଆବଶ୍ୟକ ଯେଉଁଠାକୁ ବିଭିନ୍ନ ପ୍ରଜାପତି ଆସି ଘୂରି ବୁଲିବେ । ଛାତ୍ରଛାତ୍ରୀମାନଙ୍କୁ ସଫଳତା ହାସଲ କରିବା ନିମନ୍ତେ ବିକାଶ ଉପରେ ଗୁରୁତ୍ୱ ନ ଦେଇ ସେ କହିଥିଲେ ଯେ ନିଜର ବଗିଚା ନିଜେ ପ୍ରସ୍ତୁତ କର ଯେଉଁଥିରେ କି ପ୍ରଜାପତିମାନେ ଉଡ଼ି ବୁଲିବେ । ସଫଳତା ହାସଲ କରିବା ନିମନ୍ତେ କଠିନ ପରିଶ୍ରମର ଆବଶ୍ୟକତା ରହିଥିବା ସେ କହିଥିଲେ । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ନିର୍ଦ୍ଦେଶକ (କର୍ପୋରେଟ ଆଫେୟାର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ କନେକ୍ଟ) ଶ୍ରୀ ରୀପ୍ତି ରଞ୍ଜନ ଦାଶ ବକ୍ତବ୍ୟ ରଖିଥିଲେ ।

ସନ୍ଥ ଦାସ ଛାତ୍ରଛାତ୍ରୀମାନଙ୍କୁ ଅନ୍ୟର ଉନ୍ନତି କିମ୍ବା ସଫଳତା ସହିତ ନିଜର ତୁଳନା ନ କରିବାକୁ ଉପଦେଶ ଦେଇଥିଲେ । ସେ କହିଥିଲେ ଯେ ଅନେକ କ୍ଷେତ୍ରରେ ଅଭିଭାବକମାନେ ନିଜ ପିଲାଙ୍କୁ ଅନ୍ୟର ପ୍ରଦର୍ଶନ ସହ ତୁଳନା କରିଥାନ୍ତି । ତେବେ ସେମାନଙ୍କ ସମୟ ଅନୁଯାୟୀ ଏହି ବିଷୟକୁ ସେମାନେ ବୁଝିଥିଲେ । ସେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଯେ ଅନ୍ୟ କିଏ କ’ଣ କରୁଛି ସେ ବିଷୟରେ ତୁମେ ଚିନ୍ତା ନ କରି ତୁମେ ନିଜେ କ’ଣ କରୁଛ ସେ ଦିଗରେ ମନୋନିବେଶ କର । ଏଥି ସହିତ ସେ କହିଥିଲେ ଯେ ଜୀବନରେ ତ୍ରୁଟି ହେଉଛି ସବୁଠାରୁ ବଡ଼ ଶିକ୍ଷକ । କାରଣ ସଫଳତା ଅପେକ୍ଷା ତ୍ରୁଟି ଅଥବା ବିଫଳତାରୁ ଆମେ ଅଧିକ ଶିକ୍ଷାଲାଭ କରିଥାଉ । ତ୍ରୁଟି ମଣିଷକୁ ନମ୍ର କରିଥାଏ । ସଫଳତାର ସିଢ଼ି ଚଢ଼ିି ଅଂହକାରୀ ପାଲଟିଥିବା ମଣିଷ ଠାରୁ ଏହି ଶିକ୍ଷା ଖୁବ୍ ଭଲ ବୋଲି ସେ କହିଥିଲେ । ନିଜ ତ୍ରୁଟିକୁ ଗ୍ରହଣ କରିବାର ମନୋବୃତି ରଖୁଥିବା ମଣିଷ ହିଁ ଉନ୍ନତି କରିଥାଏ ଏବଂ କର୍ପୋରେଟ ଜଗତ ଏଭଳି ମଣିଷକୁ ହିଁ ଲୋଡିଥାନ୍ତି । ତ୍ରୁଟିରୁ ହିଁ ମଣିଷକୁ ଆଗକୁ ବଢ଼ିବାର ରାସ୍ତା ମିଳିଥାଏ ବୋଲି ସେ କହିଥିଲେ । ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ଅର୍ଥାତ କୃତ୍ରିମ ବୁଦ୍ଧିମତା ସମ୍ପର୍କରେ ନିଜର ମତ ରଖି ସନ୍ଥ ଦାସ କହିଥିଲେ ଯେ ଯଦିଓ ଚାକିରି କ୍ଷେତ୍ରରେ ଏହା ସମସ୍ୟା ସୃଷ୍ଟି କରିବାର ଭୟ ରହିଛି ତଥାପି ଏହା କେବେବି ମାନବିକ ସମ୍ବେଦନଶୀଳତା କିମ୍ବା ସର୍ଜନଶୀଳତା ସହ ତୁଳନୀୟ ନୁହେଁ । ମାନବପୁଞ୍ଜି ବିଶ୍ୱର ସବୁଠାରୁ ବଡ଼ ପୁଞ୍ଜି ବୋଲି ସେ କହିଥିଲେ । ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସନ୍ଥ ଗୌର ଗୋପାଳ ଦାସଙ୍କୁ ସ୍ୱାଗତ କରିଥିଲେ । ସନ୍ଥ ଦାସ ତାଙ୍କୁ ସ୍ୱଲିଖିତ ଏକ ପୁସ୍ତକ ଉପହାର ଦେଇଥିଲେ । କାର୍ଯ୍ୟକ୍ରମର ସ୍ୱତନ୍ତ୍ର ପର୍ଯ୍ୟାୟ ‘ସେଲିବ୍ରେସନ୍ ଅଫ୍ ଏକ୍ସିଲେନ୍ସ’ ଅବସରରେ କର୍ପୋରେଟ ଜଗତର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ଉଦ୍‌ଘାଟନୀ ଉତ୍ସବର ଶେଷ ପର୍ଯ୍ୟାୟରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଅନ୍ତର୍ଗତ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking