ଗଞ୍ଜାମ: ଗଞ୍ଜାମ ଘୁମୁସର ବନଖଣ୍ଡରେ ଚାଲିଛି ଜଙ୍ଗଲୀ ହାତୀଙ୍କ ଆତଙ୍କରାଜ। ଫସଲ ନଷ୍ଟ କରୁଛନ୍ତି ୫୦ ଟିକିଆ ହାତୀପଲ। ଯାହା ପାଉଛନ୍ତି ଭାଙ୍ଗୁଛନ୍ତି,ନଷ୍ଟ କରୁଛନ୍ତି। ଘଉଡ଼ାଇବାକୁ ଯାଇ ବନବିଭାଗ ନାକେଦମ। ହାତୀପଲର ଏହି ହରକତରେ ହତାଶ ହୋଇପଡ଼ିଛନ୍ତି ଚାଷୀକୂଳ। ସୂଚନାଯୋଗ୍ୟ ଧାନ ଅମଳ ସମୟରେ ୫୦ରୁ ଅଧିକ ହାତୀ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଉଛନ୍ତି। ବିଲରେ ପଶି ପାଚିଲା ଧାନକୁ ଦଳିମକଚି ନଷ୍ଟ କରିଦେଉଛନ୍ତି ହାତୀପଲ। ଏପରିକି ଗାଁରେ ପଶି ୬ଟି ଘରକୁ ଭାଙ୍ଗି ପୁରା ନଷ୍ଟ କରିଦେଇଛନ୍ତି। ଗାଁ ହାତୀଙ୍କ ଆତଙ୍କରୁ ବାଦ ପଡ଼ିନି ମନ୍ଦିର। କାନ୍ଥ ଭାଙ୍ଗିବା ସହ ମନ୍ଦିର ମୁଖ୍ୟ ଦ୍ୱାରରେ ଥିବା ସିଂହ ମୂର୍ତ୍ତିକୁ ଓଲଟାଇ ଦେଇଛନ୍ତି ହାତୀପଲ। ହାତୀପଲକୁ ସେହି ଅଞ୍ଚଳରୁ ଘଉଡ଼ାଇବା ପାଇଁ ବାରମ୍ବାର ବନବିଭାଗ ନିକଟରେ ଦାବୀ କରିଛନ୍ତି ଗ୍ରାମବାସୀ। ବିଭାଗ ବି ଚେଷ୍ଟା ଚଳାଇଛି। ଜଙ୍ଗଲ ଚାରିପଟୁ ବନବିଭାଗ ଜଗି ରହିଥିବା ବେଳେ ହାତୀପଲ ଗାଁ ମୁହାଁ ହେଉଛନ୍ତି। ଏବେ ରାଣିକିଆରି ଓ ଆଖପାଖ ଗାଁରେ ସଂଜ ନହେଉଣୁ ଜମିକୁ ଆସୁଛନ୍ତି ହାତୀପଲ। ହାତୀ ଘଉଡ଼ାଇବା ପାଇଁ ଗ୍ରାମବାସୀ ରାତି ଅନିଦ୍ରା ହେଉଥିବା ଦେଖିବାକୁ ମିଳିଛି।
https://www.youtube.com/watch?v=Rfg7FGpwd8k