କଟକ: ଓଡିଶା ଲୋକସେବା ଆୟୋଗ ପକ୍ଷରୁ (ଓପିଏସ୍ସି) ଡେଣ୍ଟାଲ୍ ସର୍ଜନ ନିଯୁକ୍ତି ଅନିୟମିତତା ମାମଲାରେ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଏହି ସତ୍ୟପାଠରେ ସଂଶୋଧିତ ମେଧା ତାଲିକାରେ ୧୭୧ ଜଣଙ୍କ ମଧ୍ୟରୁ୧୧ ଜଣ ବାଦ ଦିଆଯାଇଛି ଏବଂ ସୁପାରିଶ ତାଲିକାରୁ ସେମାନଙ୍କ ନାମକୁ ପ୍ରତ୍ୟାହାର କରିବା ପାଇଁ ଅଦାଲତଙ୍କୁ ଆବେଦନ କରାଯାଇଛି । ତେବେ ଯେଉଁ ୧୧ଜଣଙ୍କ ନାମକୁ ସଂଶୋଧିତ ମେଧା ତାଲିାକାରୁ ଓପିଏସ୍ସି ବାଦ୍ ଦେବାକୁ ହାଇକୋର୍ଟରେ ଅପିଲ୍ କରିଛି ସେମାନେ ନିଯୁକ୍ତି ପାଇ ବର୍ତ୍ତମାନ ଚାକିରୀରେ ଅଛନ୍ତି । ହାଇକୋର୍ଟରେ ମାମଲାର ଶୁଣାଣିବେଳେ ଓପିଏସ୍ସି ସଚିବଙ୍କ ପକ୍ଷରୁ ସଂଶୋଧିତ ମେଧା ତାଲିକା ସହ ଅପିଲ୍ ପିଟିସନ୍ ଦାଖଲ କରାଯାଇଛି । ପୂର୍ବରୁ ହାଇକୋର୍ଟ ସଂଶୋଧିତ ମେଧା ତାଲିକା ଏଯାଏ ସାର୍ବଜନୀନ ହୋଇନଥିବାରୁ ଏହାକୁ ମଙ୍ଗଳବାର ସୁଦ୍ଧା ୱେବ୍ସାଇଟ୍ରେ ପ୍ରକାଶ କରିବାକୁ ହାଇକୋର୍ଟ ଆଦେଶ ଦେଇଥିଲେ । ସେହିପରି କେଉଁ ପରିସ୍ଥିତିରେ ସଂଶୋଧିତ ମେଧା ତାଲିକା ଜାରି କରାଯାଇଛି ସେ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିବାକୁ ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଥିଲେ । ଅନ୍ୟପକ୍ଷରେ ଏହି ମାମଲାରେ ପ୍ରଥମ ମେଧା ତାଲିକାରେ ଚାକିରି ପାଇଥିବା ଡ଼େଣ୍ଟାଲ୍ ସର୍ଜନଙ୍କ ତାଲିକା ହାଇକୋର୍ଟରେ ଦାଖଲ କରିବାକୁ ଅଦାଲତ ସଚିବଙ୍କୁ ଆଦେଶ ଦେଇଥିଲେ ।
ଡେଣ୍ଟାଲ ସର୍ଜନ ନିଯୁକ୍ତି ଅନିୟମିତତା ମାମଲାରେ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ(ଓପିଏସ୍ସି)ର ସଦସ୍ୟ ସଚିବ ସତ୍ୟବ୍ରତ ରାୟ ଗତ ୨୫ ତାରିଖରେ ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ସୋମବାର ହାଜର ହୋଇଥିଲେ। ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଓ ବିଚାରପତି ସାବିତ୍ରୀ ରଥଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଓପିଏସ୍ସି ୱେବସାଇଟ୍ରେ ଡେଣ୍ଟାଲ ସର୍ଜନ ନିଯୁକ୍ତିର ରିଭାଇଜ୍ଡ ମେରିଟ ଲିଷ୍ଟ ଅପ୍ଲୋଡ୍ ପାଇଁ ଆଦେଶ ଦେଇଥିଲେ। ମାମଲାର ବିବରଣୀ ଅନୁସାରେ, ଡେଣ୍ଟାଲ ସର୍ଜନ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କୁ ଓପିଏସ୍ସି ପକ୍ଷରୁ ୧୭୧ ଜଣଙ୍କ ମେରିଟ୍ ଲିଷ୍ଟ ପଠାଯାଇଥିଲା। ତନ୍ମଧ୍ୟରୁ ୫ ଜଣ ଚାକିରିରେ ଯୋଗ ନଦେବାରୁ ରାଜ୍ୟ ସରକାର ଆଉ ୫ ଜଣଙ୍କ ନାମ ପଠାଇବା ନିମନ୍ତେ ଓପିଏସ୍ସିକୁ ଚିଠି ଦେଇଥିଲେ। ତଦନୁସାରେ ଆଉ ୫ ଜଣଙ୍କ ନାମ ଓପିଏସ୍ସି ସରକାରଙ୍କୁ ପଠାଇଥିଲା।
ହେଲେ ୨୦୨୨ରେ ବିଶେଷଜ୍ଞ କମିଟି ପରାମର୍ଶରେ ସଂଶୋଧନ କରାଯାଇ ୮ ଜଣଙ୍କ ନାମ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟରୁ ବାଦ୍ ପଡ଼ିଥିଲା। ଏଥିସହ ପୁଣି ୩ ଜଣଙ୍କ ନାମ ଦ୍ୱିତୀୟ ପର୍ଯ୍ୟାୟରେ ୫ ଜଣଙ୍କ ତାଲିକା ମଧ୍ୟରୁ ବାଦ ହୋଇଥିଲା। କଟ୍ ଅଫ୍ ମାର୍କ ଆଧାରରେ ବାଦ୍ ପଡ଼ିଥିବା ୧୧ ଜଣ ୨୦୧୭-୧୮ରୁ ବିଭିନ୍ନ ହସ୍ପିଟାଲରେ ସର୍ଜନ ଭାବେ କାର୍ଯ୍ୟ କରିଆସୁଛନ୍ତି। ତେଣୁ ଏହି ୧୧ ଜଣଙ୍କ ନିଯୁକ୍ତି ଉପରେ ଜବାବ ଦାଖଲ କରିବାକୁ ହାଇକୋର୍ଟ ଓପିଏସ୍ସିକୁ ଆଦେଶ ଦେଇଥିଲେ। ଏହି ୧୧ ଜଣ ସର୍ଜନଙ୍କୁ ଚାକିରିରୁ ଛଟେଇ କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବା ନେଇ ଓପିଏସ୍ସି ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। ନଭେମ୍ବର ୨୦ ତାରିଖ ବୁଧବାର ହାଇକୋର୍ଟ ମାମଲାର ଶୁଣାଣି କରି ରିଭାଇଜ୍ଡ୍ ମେରିଟ୍ ଲିଷ୍ଟ ପ୍ରଦାନ ପାଇଁ ଓପିଏସ୍ସିକୁ ନିର୍ଦ୍ଦେଶ ଦେଇଥିଲେ।