22.1 C
Bhubaneswar
Wednesday, January 15, 2025
Homeଓଡିଶାଚିନ୍ତା ବଢ଼ାଇଲାଣି ଡେଙ୍ଗୁ, ରାଜ୍ୟରେ ଚିହ୍ନଟ ହେଲେଣି ୪୮୮ ପଜିଟିଭ

ଚିନ୍ତା ବଢ଼ାଇଲାଣି ଡେଙ୍ଗୁ, ରାଜ୍ୟରେ ଚିହ୍ନଟ ହେଲେଣି ୪୮୮ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ପୁଣି ଚିନ୍ତା ବଢ଼ାଇଲାଣି ଡେଙ୍ଗୁ । ଦିନକୁ ଦିନ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ସୁଦ୍ଧା ରାଜ୍ୟରେ ମୋଟ୍ ୩୫ ହଜାର ୪୭୦ ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୪୮୮ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ସେଥିରୁ ଖୋର୍ଦ୍ଧା ଜିଲ୍ଲା ହଟସ୍ପଟ୍ ତାଲିକାରେ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ୩୩ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ବର୍ଷା ଋତୁ ଆସିଥିବାରୁ ରାଜ୍ୟରେ ମ୍ୟାଲେରିଆ ବଢ଼ିଛି । ମଶା ବଂଶ ବୃଦ୍ଧିକୁ ରୋକାଯିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିଦ୍ଦେର୍ଶ ଦିଆଯାଇଥିବା ଜନସ୍ୱାସ୍ଥ୍ୟ ନିଦ୍ଦେର୍ଶକ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି ।

ରାଜ୍ୟରେ ଡେଙ୍ଗୁ ବୃଦ୍ଧିର ସମାଧାନ ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ସବୁ ବିଭାଗର ସଚିବମାନେ ଉପସ୍ଥିତ ଥିଲେ । ସବୁ ବିଭାଗକୁ ସତର୍କ ରହିବା ସହ ମାର୍ଗଦର୍ଶିକା ଜାରି କରାଯାଇଛି । ମଶା ବଂଶ ବୃଦ୍ଧିକୁ ରୋକାଯିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ପ୍ରଧାନଶିକ୍ଷକମାନେ ପିଲାଙ୍କୁ ସଚେତନ କରିବାକୁ କୁହାଯାଇଛି । ହଷ୍ଟେଲରେ ମଶାରୀ ଟାଙ୍ଗି ଶୋଇବାକୁ କୁହାଯାଇଛି । ସ୍କୁଲ ପାଖରେ ଯେଭଳି ପାଣି ନ ଜମେ, ଧୂଆଁ ଦିଆଯାଏ ସେଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଅପରପକ୍ଷରେ କଟକ ସହରରେବି ବଢିଲାଣି ଡେଙ୍ଗୁର ଭୟ । ମେଡିକାଲରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ କଟକ ମହାନଗର ନିଗମ ଆରମ୍ଭ କରିଛି ଡେଙ୍ଗୁ ମୁକାବିଲା ପ୍ରସ୍ତୁତି । ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ବୈଠକ କରାଯିବା ସହ ସହରରେ ଗଡ଼ିଛି ଡେଙ୍ଗୁ ସଚେତନତା ରଥ । ଖାଲି ପଡ଼ିଥିବା ଜମି, ଅର୍ଦ୍ଧନିର୍ମିତ ଘର, ବଣବୁଦା, ପାଣି ଜମି ରହୁଥିବା ସ୍ଥାନ, ବିଭିନ୍ନ ପାତ୍ର ଓ ଭଙ୍ଗା ଜିନିଷରେ ଦୀର୍ଘ ଦିନ ପାଣି ରହିଲେ ମଶାଙ୍କ ବଂଶବୃଦ୍ଧି ହୋଇଥାଏ । ତେଣୁ ଉତ୍ପତ୍ତି ସ୍ଥଳରୁ ମଶାଙ୍କୁ ନିପାତ କରିବାକୁ ଯୋଜନା କରିଛି ସିଏମସି ।

ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବଲାଙ୍ଗୀର ଏବଂ ରାଉରକେଲାରେ ମଧ୍ୟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିଛି । ବଲାଙ୍ଗୀର ଜିଲ୍ଲାର ସଇଁତଳା ସହରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୪୦ପାର ହୋଇଛି । ସୁନ୍ଦରଗଡ ଜିଲ୍ଲାରେ ଏପର୍ଯ୍ୟନ୍ତ ମୋଟ ୬୪ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ରାଉରକେଲା ସହରରୁ ରହିଛନ୍ତି ୫୭ ଜଣ ରୋଗୀ । ସେହିପରି ମୁକାବିଲା ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ମହଜୁଦ ଥିବା ବେଳେ ଭ୍ରାମ୍ୟମାଣ ଡାକ୍ତରୀ ଦଳ ମଧ୍ୟ ସ୍ଥିତି ଉପରେ ନଜର ରଖିବା ସହ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ବର୍ଷାଦିନେ ଡେଙ୍ଗୁ ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking