ଭୁବନେଶ୍ଵର, : ଓଡ଼ିଶାରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉପରେ କ୍ରମବଦ୍ଧିଷ୍ଣୁ ଅତ୍ୟାୟର ପ୍ରତିବାଦରେ ‘ଭଏସ୍ ଏଗେନଷ୍ଟ ହେଟ୍’ ପକ୍ଷରୁ ଆବାହନ ଶ୍ରୀ ମାନସ ଚୌଧୁରୀଙ୍କ ନେତୃତ୍ବରେ ଶୁକ୍ରବାର ମାଷ୍ଟର କ୍ୟାଣ୍ଟିନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି । ବିକ୍ଷୋଭକାରୀମାନେ ମୁହଁରେ କଳାପଟି ବାନ୍ଧି, ହାତରେ ‘ଭଏସ୍ ଏଗେନଷ୍ଟ ହେଟ୍ ର ପତାକା ଧରିବା ସହ ‘ଆମେ ସମସ୍ତେ ଭାଇ ଭାଇ, ହିଂସା ଘୃଣାର ସ୍ଥାନ ନାହିଁ”, ‘ଘୃଣା ନୁହେଁ, ଭାଇଗରା ରଖ’, ‘ଆସ ଗଢିବା ଘୃଣାମୁକ୍ତ ସମାଜ’, ‘ଆମକୁ ଭାଗ ଭାଗ କରନାହିଁ’, ‘ଆମେ ଏକ, ଆମେ ଭାରତୀୟ’, ‘ଘୃଣା ଛାଡ଼, ଦେଶ ଯୋଡ଼’ ଆଦି ପ୍ଲାକାର୍ଡ଼ମାନ ଧରି ବିକ୍ଷୋଇ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭରେ ଅତ୍ୟାଚାରିତ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପାଇଁ ସୁରକ୍ଷା ଓ ତାଙ୍କ ଉପରେ ହୋଇଥିବା ବର୍ବୋରଚିତ ଅତ୍ୟାଗର ପାଇଁ ନ୍ୟାୟ ଦାବି କରାଯାଇଥିଲା । ଗଜପତି ଜିଲ୍ଲା, ବାଲେଶ୍ବର ଜିଲ୍ଲାର ଔପଦା, ରେମୁଣା ଓ ସୋରୋ, ଯାଜପୁର ଜିଲ୍ଲାର ପୀଡ଼ିତ | ପୀଡ଼ିତାମାନେ ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ । ବିଶେଷକରି ଗଜପତି ଜିଲ୍ଲାର ସେରଙ୍ଗ ଥାନା ଅଞ୍ଚଳର ୨୦୨୪ ମସିହା ଡିସେମ୍ବର ୧୬ ତାରଖରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସୁଦୀପ୍ତ ପାଲଟା ଆକ୍ରମଣ ଶିକାର ହୋଇଥିଲେ, ଯାହାର କେସ୍ ନମ୍ବର ୧୦୪/୨୦୨୪ । ସେହିପରି ୨୦୨୪ ମସିହା ନଭେମ୍ବର ୨୪ ତାରିଖରେ ବାଲେଶ୍ଵର ଜିଲ୍ଲା ଔପବା ଥାନାର ଖ୍ରୀଷ୍ଟିଆନ ଆଦିବାସୀ ସୁନାରାମ ମାରାଣ୍ଡି ଓ କାୟମ ସୋରେନଙ୍କୁ ପେଟ୍ରୋଲ ଟାଙ୍କି ପାଖରେ ବାନ୍ଧି ଅମାନୁଷିକ ଭାବେ ମାଡ଼ ମରାଯାଇଥିଲା। ଏପରିକି ତାଙ୍କୁ ପେଟ୍ରୋଲ ଢାଳି ଜୀବନରୁ ମାରିଦେବାକୁ ମଧ୍ୟ ଯୋଜନା କରାଯାଇଥିଲା, ଯାହାର କେସ୍ ନଂ ୬/୨୦୨୫ । ଡିସେମ୍ବର ୨୬, ୨୦୨୪ ମସିହାରେ ବାଲେଶ୍ଵର ରେମୁଣା ଥାନା ଅଞ୍ଚଳର ଆଦିବାସୀ ଖ୍ରୀଷ୍ଟିଆନ ମହିଳା ସୁକାନ୍ତି ସିଂ ଓ ସୁବାସିନୀ ସିଂଙ୍କ ନାମରେ ଧର୍ମ ପରିବର୍ତ୍ତନର ମିଥ୍ୟା ଅଭିଯୋଗ ଆଣି ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଘନିଷ୍ଠ ସହଯାଗୀମାନେ ଏହି ଦୁଇ ନିରୀହ ମହିଳାଙ୍କୁ ଗଛରେ ବାନ୍ଧି ଚପଲରେ ପିଟିବା ସହ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିଥିଲେ । ସେହିପରି ଡିସେମ୍ବର ୮, ୨୦୨୪ରେ ଯାଜପୁର ଟାଉନ ଥାନା ଅଞ୍ଚଳର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ନରେନ୍ଦ୍ର ଦାସ ଓ ବୀରକିଶୋର ଦାସଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରାଯିବା ସହ ସେଠାରେ ଚର୍ଚ ଭଙ୍ଗାରୁଜା କରାଯାଇଥିଲା, ଯାହାର କେସ୍ ନମ୍ବର ୩୫୫/୨୦୨୪।
ସେହିପରି ୨୦୨୫ ମସିହା ଜାନୁଆରୀ ୫ ତାରିଖରେ ବାଲେଶ୍ବର ଜିଲ୍ଲା ସୋରୋ ଥାନା ଅଞ୍ଚଳର ଖ୍ରିଷ୍ଟିଆନ ସମ୍ପ୍ରଦାୟର ଗୌରାଙ୍ଗ ଦାସଙ୍କୁ ଅପହରଣ କରାଯାଇ ଗଛରେ ବାନ୍ଧି ମାଡ ମରାଯାଇଥିଲା । ଯାହାର କେସ୍ ନମ୍ବର ୮/୨୦୨୫ । ଏହି ପୀଡ଼ିତ ଏବଂ ପୀଡ଼ିତାମାନେ ଏହି ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ । ଅନ୍ୟ ପକ୍ଷରେ ମୟୂରଭଞ୍ଜରେ ଖ୍ରୀଷ୍ଟିଆନ ଆଦିବାସୀଙ୍କ ଉପରେ ଆକ୍ରମଣ, ରାୟଗଡ଼ା କେ. ସିଂହପୁର ଥାନାରେ ଖ୍ରୀଷ୍ଟିଆମାନଙ୍କ ଆକ୍ରମଣ, ଯାହାର କେସ୍ ନଂ ୧୩୫/ ୨୪ । ଭୁବନେଶ୍ଵରସ୍ଥିତ ନନ୍ଦନକାନନ ଅଞ୍ଚଳରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଲୋକଙ୍କୁ ଆକ୍ରମଣ ଏବଂ ଭୁବନେଶ୍ଵର ଉପକଣ୍ଠ ବାଲିଅନ୍ତା ଅଞ୍ଚଳର ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଲୋକଙ୍କୁ ଆକ୍ରମଣ କରାଯାଇଥିଲା । ଏହିପରି ଅନେକ ଉଦାହରଣ ରହିଛି ।
ଏହି ପରିପ୍ରେକ୍ଷୀରେ ସଂଗଠନର ଆବାହକ ଶ୍ରୀ ଚୌଧୁରୀ କହିଛନ୍ତି ଯେ, ଓଡ଼ିଶାରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଅସୁରକ୍ଷିତ ଏବଂ ଅତ୍ୟାଚାରିତ । ସେମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି । ସରକାର ସେମାନଙ୍କୁ ସୁରକ୍ଷା ଦେବାକୁ ପଛଘୁଞ୍ଚା ଦେଉଛନ୍ତି । ସତେ ଯେପରି ସେମାନଙ୍କ ଉପରେ ଆକ୍ରମଣ ପାଇଁ ଏକ ଲୁକ୍ଲାୟିତ ନୀତି ପ୍ରସ୍ତୁତ ହୋଇଛି । ଜଗନ୍ନାଥଙ୍କ ଭୂମିରେ ସବୁ ଧର୍ମ ଓ ସବୁ ଜାତିକୁ ସମ୍ମାନ ଦିଆଯାଏ । ଏଠାରେ ସାଲବେଗ ଜଗନ୍ନାଥଙ୍କ ଭଳନ ଲେଖୁଛନ୍ତି ଏବଂ ଖ୍ରୀଷ୍ଟିଆନ ମଧୁବାବୁ ଜଗନ୍ନାଥଙ୍କ ବଡ଼ ଭକ୍ତ । ଅନ୍ୟ ପକ୍ଷରେ ସନାତନ ଧର୍ମର ମୂଳମନ୍ତ୍ର ହେଉଛି ‘ବସୁଧୈବ କୁଟୁମ୍ବକମ୍” । ଯେଉଁ ଧର୍ମ ସାରା ପୃଥିବୀକୁ ନିଜର ପରିବାର ବୋଲି ଗ୍ରହଣ କରିଥାଏ, ସେହି ଧର୍ମର ଆତ୍ମଘୋଷିତ କିଛି ଠିକାଦାରମାନେ ସଂଖ୍ୟାଲଘୁଙ୍କ ଉପରେ ଯୋଜନାବଦ୍ଧ ଆକ୍ରମଣ କରୁଛନ୍ତି । ସେମାନେ ନକଲି ହିନ୍ଦୁ । କାରଣ ହିନ୍ଦୁ ଧର୍ମର ନୀତି ନିୟମକୁ ସେମାନେ ମାନୁନାହାଁନ୍ତି । ଅପରପକ୍ଷରେ ସେମାନେ ଭାରତର ସମ୍ବିଧାନ ବିରୋଧୀ । ଆମର ସମ୍ବିଧାନ ସବୁଧର୍ମର ଲୋକଙ୍କୁ ଜୀବନ ଯାପନ ପାଇଁ ସମାନ ଅଧିକାର ଦେଇଛନ୍ତି । ତେଣୁ ଏହି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ସମ୍ବିଧାନ ବିରୋଧୀ ଏବଂ ଦେଶବିରୋଧୀ । ଓଡ଼ିଶାର ବିଜେପି ସରକାରର ଭୂମିକା ସନ୍ଦେହଜନକ । କାରଣ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉପରେ ଅତ୍ୟାୟର କରୁଥିବା ଅପରାଧୀଙ୍କୁ ଏ ବିଜେପି ସରକାର ସୁରକ୍ଷା ଦେବା ପରି ମନେ ହେଉଛି ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ଏବଂ ଭାରତବର୍ଷର ରାଷ୍ଟ୍ରପତି ମଧ୍ୟ ଜଣେ ଆଦିବାସୀ । ଏପରିସ୍ଥଳେ ଓଡ଼ିଶାରେ ଆଦିବାସୀ ମହିଳାମାନଙ୍କୁ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସହଯୋଗୀମାନେ ଯେଉଁଭଳି ଭାବରେ ଅତ୍ୟାଗର କଲେ, ସେହି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଏବଂ ମହାମହିମ ରାଷ୍ଟ୍ରପତି ନୀରବଦ୍ରଷ୍ଟା ସାଜିବା କ୍ଷୋଭର ବିଷୟ । ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ସୁରକ୍ଷା ଏବଂ ଅତ୍ୟାଚାରିତମାନଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସଂଗଠନ ତାର କାର୍ଯ୍ୟକ୍ରମ ଜାରି ରଖିବ । ଏହି କାର୍ଯ୍ୟକ୍ରମକୁ ପ୍ରଦେଶ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ସମର୍ଥନ ଦିଆଯାଇଥୁଲା I ପ୍ରଦେଶ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଶ୍ରୀ ଅଳିତ ସିଂ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ବିକ୍ଷୋଭରେ ଅମିୟ ପାଣ୍ଡବ, ୟାସିର ନୱାଜ, ବିଶ୍ଵଜିତ ଦାସ, ଡ. ପ୍ରଲ୍ଲବ ନିମା, ପ୍ରକାଶ ମିଶ୍ର, ଗଣେଶ ଦାଶ, ମନୋଜ ବିଶୂଳ, ମୀର ଅହମ୍ମଦ ଅଲ୍ଲୀ, ଅଜୟ ସାହୁ, ରାହୁଲ ମହାନ୍ତି, ବିଶପ ଡି.ବି. ହୃଦୟ, ସୁଦୀପ ସାମଲ, ଶ୍ରୀୟାସ୍ମିତା ପଣ୍ଡା, ମହମ୍ମଦ ପରଭେଜ, ଶିଶିର ରଥ, ରାଜେ ସ୍ଵାଇଁ, କାଳନ୍ଦୀ ଖୁଣ୍ଟିଆ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।