21.1 C
Bhubaneswar
Saturday, February 7, 2026
Homeଓଡିଶାଜଳ ଧାରଣା କ୍ଷମତାକୁ ସଙ୍କୁଚିତ ନକରିବାକୁ ଦାବି

ଜଳ ଧାରଣା କ୍ଷମତାକୁ ସଙ୍କୁଚିତ ନକରିବାକୁ ଦାବି

ଢେଙ୍କାନାଳ: ଭାଗୀରଥି ସାଗର (ନୂଆ ପୋଖରୀ) ଭିତର ପାଖ ହୁଡ଼ାରେ ପକାଯାଇଥିବା ପଙ୍କମାଟି ସାତଦିନ ଭିତରେ ବାହାରକୁ ନିଷ୍କାସନ କରାଯିବା ପାଇଁ ଏକ ଦାବିପତ୍ର ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କୁ ଢେଙ୍କାନାଳ ପୋଖରୀ ସୁରକ୍ଷା ସମିତିର ସଭାପତି ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଛି।ପୋଖରୀ ସୁରକ୍ଷା ସମିତିର ସଦସ୍ୟମାନେ ୨୦୨୧ ମସିହାଠାରୁ ଏପର୍ଯ୍ୟନ୍ତ ପ୍ରାୟ ଦଶଥର ଜିଲ୍ଲାପାଳଙ୍କୁ ଲିଖିତ ଆବେଦନ ପ୍ରଦାନ କରିଆସୁଛନ୍ତି। ଗତ ୨୦୨୪ ମସିହା ଫେବ୍ରୁଆରୀ ମାସରେ ପୌରପାଳିକା ପ୍ରକୋଷ୍ଠରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ରାଜ୍ୟ ସହରାଞ୍ଚଳ ବିକାଶ ପକ୍ଷରୁ ଦୁଇଜଣ ଅଧିକାରୀ, ଜିଲ୍ଲା ପ୍ରଶାସନ, ପୌରାଧ୍ୟକ୍ଷା, ଉପନଗରପାଳ, ନିର୍ବାହୀ ଅଧିକାରୀ, ପୌରଯନ୍ତ୍ରୀ, ଜିଲ୍ଲା ଓକିଲ ସଂଘ, ସାମ୍ବାଦିକ ସଂଘ, ଜିଲ୍ଲା ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ, ମିଳିତ ବଜାର ପୂଜା କମିଟି ଏବଂ ଅନେକ ସ୍ଥାନୀୟ ବୁଦ୍ଧିଜୀବୀ ଓ ପୌରପରିଷଦ ସଦସ୍ୟମାନେ ଉପସ୍ଥିତ ଥିଲେ। ସେହି ବୈଠକରେ ଏକ ସଂଯୁକ୍ତ ନିଷ୍ପତି ଗ୍ରହଣ କରାଯାଇଥିଲା ଯେ ‘ଭାଗୀରଥି ସାଗର’ରୁ ସମସ୍ତ ପଙ୍କମାଟି ବାହାରକୁ ଯିବ ଏବଂ ପୋଖରୀ ମଧ୍ୟରେ ପଙ୍କମାଟି ରଖାଯିବ ନାହିଁ। ପୌର ପ୍ରଶାସନ ପକ୍ଷରୁ ପୁନଃ ପଙ୍କମାଟିକୁ ପୋଖରୀ ଭିତର ପାଖରେ ଗଦା କରି ଆଉ ଗୋଟିଏ ହୁଡ଼ା କରାଯାଉ ଥିବାରୁ ଗତ ୧୨ଜୁଲାଇ ୨୦୨୪ ଦିନ ଢ଼େଙ୍କାନାଳ ବନ୍ଦର ଆହ୍ୱାନ ଦିଆଯାଇଥିଲା। ଏହାର ସମାଧାନ ପାଇଁ ୧୦ ଜୁଲାଇ ୨୦୨୪ ରେ ଜିଲ୍ଲା ପ୍ରଶାସନ ବୈଠକ ଡ଼ାକିଥିଲେ ଏବଂ ତାଲିକାଭୁକ୍ତ ଭାବରେ ପୁନଃ ଆଦେଶ ଜାରି କରିଥିଲେ ଯେ ୧୫ ଦିନ ମଧ୍ୟରେ ସମସ୍ତ ପଙ୍କମାଟି ପୋଖରୀରୁ ବାହାରକୁ ନିଆଯିବ।

ଅତ୍ୟନ୍ତ ଦୁଃଖ ଓ ଚିନ୍ତାର ବିଷୟ ଯେ, ଏହି ସବୁ ନିଷ୍ପତି ଓ ଆଦେଶକୁ ପାଳନ କରାଯାଇନାହିଁ ଏବଂ ଭାଗୀରଥି ସାଗର ପୋଖରୀର ଭିତର ପାଖରେ ୪୦ ରୁ ୫୦ ଫୁଟ ମାଟି ଗଦାଇ ଜଳଧାରଣ କ୍ଷମତାକୁ ହ୍ରାସ କରାଯାଉଛି ଓ ଏହାର ଆକାର ସଙ୍କୁଚିତ ହେଉଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସମିତି ପକ୍ଷରୁ ଆଗାମୀ ୭ ଦିନ ମଧ୍ୟରେ ପୋଖରୀ ମଧ୍ୟରେ ରହିଥିବା ସମସ୍ତ ପଙ୍କମାଟି ବାହାରକୁ ନେବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଛି। ଅନ୍ୟଥା, ପୋଖରୀ ସୁରକ୍ଷା ସମିତି ବାଧ୍ୟ ହୋଇ ଏହି ଆନ୍ଦୋଳନକୁ ଅଧିକ ତୀବ୍ରତର କରିବାକୁ ବାଧ୍ୟ ହେବ। ଢ଼େଙ୍କାନାଳ ସହରର ଦିନକୁ ଦିନ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଏବେଠାରୁ ଯଦି ପ୍ରସାଶନ ସଜାଗ ନହେବେ ଆଗାମୀ ବର୍ଷରେ ପୋଖରୀଗୁଡ଼ିକ ମଧ୍ୟ ଖରାଦିନେ ଶୁଖି ଯିବାର ଆଶଙ୍କା ରହିଛି। ତେଣୁ ସହର ମଧ୍ୟରେ ଥିବା ସମସ୍ତ ପୋଖରୀର ଜଳଧାରଣ କ୍ଷମତାକୁ ସଙ୍କୁଚିତ ନ କରିବା ପାଇଁ ପୋଖରୀ ସୁରକ୍ଷା ସମିତି ପକ୍ଷରୁ ଦାବି ରଖାଯାଇଛି। ଏହି ଦାବିପତ୍ର ପ୍ରଦାନ କରିବା ସମୟରେ ଓକିଲ ସଙ୍ଘ ଉପସଭାପତି ଟଙ୍କଧର ବେହେରା, ଆଇନଜୀବୀ ନିର୍ମଳ ମିଶ୍ର, ପୌର ଉପାଧ୍ୟାକ୍ଷ ପ୍ରକାଶ କୁଅଁର, ୪ନଂ ୱାର୍ଡ କାଉନସିଲର ଲିପିକା ଦାସ, ୬ନଂ ୱାର୍ଡ କାଉନସିଲର ସନ୍ଦୀପ ଷଡ଼ଙ୍ଗୀ, ୧୨ ୱାର୍ଡ କାଉନସିଲର ଶୁଭଲକ୍ଷ୍ମୀ ସାହୁ, ପୋଖରୀ ସୁରକ୍ଷା ସମିତି ଆବାହକ ପ୍ରଶାନ୍ତ ମିଶ୍ର, ଭରତ କୁମାର ଦାସ, ସମ୍ପାଦକ ଅଶୋକ ସ୍ୱାଇଁ, ଅଖିଳ ମହାପାତ୍ର, ପ୍ରିୟବ୍ରତ ଗଡ଼ନାୟକ, ମନ୍ମଥ ରାଓ, ଦିଲ୍ଲୀପ ରାଉତ, ଉଦୟନାଥ ବେହେରା, ପ୍ରେମଶଙ୍କର ମିଶ୍ର, ପଙ୍କଜ ନାୟକ, ଚିତରଞ୍ଜନ ରାଉତ ଓ ଲଳିତ ବେହେରା ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking