22.1 C
Bhubaneswar
Thursday, February 26, 2026
Homeଓଡିଶାଏନ୍‌ସି କଲେଜ୍‌କୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି

ଏନ୍‌ସି କଲେଜ୍‌କୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି

ଯାଜପୁର : ଯାଜପୁର ଜିଲ୍ଲା ଏନ୍‌ସି କଲେଜ୍‌କୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି ହୋଇଛି। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଯାଜପୁର ମିଶନ ଶକ୍ତି ଭବନରେ ଅନୁଷ୍ଠିତ ହୋଇଯାଇଛି। ଏନ୍‌ସି କଲେଜ୍‌ର ଆଲୁମିନି ସଂଘ ପକ୍ଷରୁ ଆୟୋଜିତ ବୈଠକରେ କଲେଜ୍‌ର ପୁରାତନ ଛାତ୍ର ସନ୍ତୋଷ ନନ୍ଦ,ପୂର୍ବତନ ପୌରଧ୍ୟାକ୍ଷ ଭବ ପ୍ରସାଦ ଦାସ, ଡ. ବଟକୃଷ୍ଣ ମହାପାତ୍ର, ପୂର୍ବତନ ସଭାପତି ଏନ୍‌ସି କଲେଜ୍ ଅତିଶ ବେହେରା, ପୂର୍ବତନ ସାଂସଦ ଅଞ୍ଚଳ ଦାସ ପ୍ରମୁଖ ମଞ୍ଚାସିନ ରହି ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ। ଏନ୍‌ସି କଲେଜ୍ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବାକୁ ହକଦାର। ଚଳିତ ବର୍ଷ ବଜେଟ୍ ଅଧିବେଶନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର କେତେକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି। ଅବିଭକ୍ତ କଟକ ଜିଲ୍ଲାରେ ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଅତୀତରେ ସାମିଲ ହୋଇ ରହିଥିଲା। ଏହି ୩ଟି ଜିଲ୍ଲା ନବେ ଦଶକରେ କଟକଠାରୁ ପୃଥକ୍ ହୋଇ ନୂତନ ଜିଲ୍ଲାର ମାନ୍ୟତା ପାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ନୂତନ ବିଶ୍ୱ ବିଦ୍ୟାଳୟ ଭାବରେ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ସ୍ଥାନ ପାଇଛି। ଏହି ପରିପ୍ରେକ୍ଷୀରେ ଶିଳ୍ପ, ସଂସ୍କୃତ, ବାଣିଜ୍ୟ ଓ ପର୍ଯ୍ୟଟନରେ ସମୃଦ୍ଧ ‘ଯାଜପୁର ଜିଲ୍ଲା’ ବିଶ୍ୱବିଦ୍ୟାଳୟ ସୁଯୋଗରୁ ବଞ୍ôଚତ ହୋଇଛି। ଯାହାକି ଯାଜପୁର ଜିଲ୍ଲାର ୨୫ ଲକ୍ଷ ଜନତାଙ୍କୁ ବ୍ୟଥିତ କରିଛି। ରାଜ୍ୟ ସରକାର କେନ୍ଦ୍ରାପଡ଼ା କଲେଜ୍‌କୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦେଇଛନ୍ତି। କେନ୍ଦ୍ରାପଡ଼ା କଲେଜ୍ ୧୯୫୯ ମସିହାରେ ପ୍ରତିଷ୍ଠା ହୋଇଥିଲା। ଜଗତସିଂହପୁର ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ମିଳିଛି, ଏହି ମହାବିଦ୍ୟାଳୟଟି ୧୯୨୩ ମସିହାରେ ସ୍ଥାପିତ ହୋଇଥିଲା। ଏଠାରେ ପ୍ରଶ୍ନ ଉଠୁଛି ସାଧୀନତା ପୂର୍ବରୁ ପ୍ରତିଷ୍ଠିତ ଏନ୍‌ସି. କଲେଜ୍‌କୁ ବିଶ୍ୱବିଦ୍ୟାଳୟର ମାନ୍ୟତା ନ ମିଳିବା ପଛରେ ରାଜ୍ୟ ସରକାରଙ୍କ ଯୁକ୍ତି କ’ଣ ରହିଛି?

୧୯୪୬ ବା ସାଧୀନତା ପୂର୍ବରୁ ପ୍ରତିଷ୍ଠିତ ଏହି ମହାବିଦ୍ୟାଳୟର ବିକଶିତ ଭାରତ ସମୟ ଅର୍ଥାତ୍ ୨୦୪୭କୁ ୧୦୦ ବର୍ଷ ଟପି ସାରିଥିବ।୧୯୪୬ ମସିହାରେ ସ୍ଥାପିତ ଯାଜପୁର ଜିଲ୍ଲାର ସର୍ବ ପୁରାତନ ମହାବିଦ୍ୟାଳୟ ‘ଏନ୍‌ସି. କଲେଜ’କୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ ୨୦୨୦ ମସିହାଠାରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏନ୍‌ସି କଲେଜ୍‌ର କ୍ୟାମ୍ପସ୍ ୫୦ ଏକର ପରିମିତ କରାଯିବା ସହ, ୮୦ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୨୦ ମସିହା ପରଠାରୁ ବିଶ୍ୱବିଦ୍ୟାଳୟ ସମସ୍ତ ଶ୍ରେଣୀଗୃହ, ଗବେଷଣା କେନ୍ଦ୍ର, ବିଜ୍ଞାନାଗାର, ପାଠାଗାର, ଛାତ୍ରଛାତ୍ରୀଙ୍କ ପାଇଁ ଏକାଧିକ ହଷ୍ଟେଲ୍ ସହ ବିବିଧ ପ୍ରକଳ୍ପ ନିର୍ମାଣ ହୋଇଛି। ରାଜ୍ୟ ସରକାର ୨ଟି ପର୍ଯ୍ୟାୟରେ ‘ଏନ୍‌ସି କଲେଜ୍‌’କୁ ବିରଜା ବିଶ୍ୱବିଦ୍ୟାଳୟ ନାମରେ ନାମିତ କରିବାକୁ ପ୍ରସ୍ତାବ ରଖିଥିଲେ। ୨୦୨୪ ପରଠାରୁ ଏନ୍‌ସି କଲେଜ୍‌ର ଅସମ୍ପୂର୍ଣ୍ଣ ପ୍ରକଳ୍ପ ଧିମେଇ ଯାଇଥିବାବେଳେ, ବିଶ୍ୱବିଦ୍ୟାଳୟ ପ୍ରସ୍ତାବ ସପ୍ନ ହୋଇ ରହିଯାଇଛି। ଯାଜପୁରର ପଡ଼ୋଶୀ ଜିଲ୍ଲାରେ ଅବସ୍ଥିତ ଭଦ୍ରକ କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି। ଏହି ମହାବିଦ୍ୟାଳୟ ସ୍ୱାଧୀନତା ପରେ ଅର୍ଥାତ୍ ୧୯୪୮ ମସିହାରେ ସ୍ଥାପିତ ହୋଇଥିଲା। ପ୍ରକାଶ, ଏନ୍‌ସି କଲେଜ୍‌କୁ ବିଶ୍ୱବିଦ୍ୟାଳୟର ମାନ୍ୟତା ନ ମିଳିବା ଘଟଣା ଯାଜପୁର ଜିଲ୍ଲାର ଅଗଣିତ ଛାତ୍ରଛାତ୍ରୀ, ଶିକ୍ଷାନୁରାଗୀ ତଥା ଏନ୍‌ସି କଲେଜ୍‌ର ପୁରାତନ ଛାତ୍ରଛାତ୍ରୀଙ୍କୁ ବ୍ୟଥିତ କରିଛି। ଏନ୍‌ସି କଲେଜ୍‌ର ପ୍ରାକ୍ତନ ଛାତ୍ରଛାତ୍ରୀ ସଂସଦ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏହି ମର୍ମରେ ଅନୁରୋଧ କରାଯାଉଛି କି ଯାଜପୁର ଜିଲ୍ଲାର ଅସ୍ମିତା ପ୍ରତୀକ ଭାବେ ବିଦିତ ଏନ୍‌ସି କଲେଜ୍‌କୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ପ୍ରଦାନ କରନ୍ତୁ। ଏନ୍‌ସି କଲେଜ୍ ପୁରାତନ ଛାତ୍ର ସଂସଦ ପକ୍ଷରୁ ଦାବି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking