28.1 C
Bhubaneswar
Monday, February 9, 2026
Homeଓଡିଶାବିଧାନସଭାରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ଦାବି

ବିଧାନସଭାରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ଦାବି

ଭୁବନେଶ୍ଵର : ସାଂସଦଙ୍କ ପରେ ଏବେ ବିଧାନସଭାରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ଦାବି। ବିଧାୟକଙ୍କ ଦରମା ଏବଂ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ନେଇ ଶୂନ୍ୟକାଳରେ ଦାବି ଉଠାଇଲା ବିଜେଡି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରସଙ୍ଗ ଉଠାଇ କହିଛନ୍ତି ବର୍ତ୍ତମାନ ବଜାର ଦର ବଢ଼ିଛି । ମେଡ଼ିସିନ ଖର୍ଚ୍ଚ ହେଉ କି ବଜାର ଦର ଯାହା ଅଛି ତାହା ପେନସନକୁ ଦେଖିଲେ ପର୍ୟ୍ୟାପ୍ତ ହେଉନି। ଏଥିପାଇଁ ଭାସ୍କର ମଢେଇଙ୍କ ଅଧ୍ୟକ୍ଷତାରେ ଗୋଟେ କମିଟି ଗଠନ ହୋଇଥିଲା। କମିଟିର ବୈଠକରେ ନିଷ୍ପତ୍ତି ହୋଇ ରିପୋର୍ଟ ଦିଆଯାଇଛି । ସେହି ରିପୋର୍ଟକୁ କାର୍ୟ୍ୟକାରୀ କରିବାକୁ ପ୍ରମିଳା ମଲ୍ଲିକ କହିଛନ୍ତି। ୨୦୧୭ ମସିହାରେ ଶେଷ ଥର ପାଇଁ ବିଧାୟକଙ୍କ ଦରମା ବଢା ଯାଇଥିଲା। ଏହା ପରଠାରୁ ଆଉ ଦରମା ବଢିନାହିଁ।

ଏହି ଦାବିକୁ ମଧ୍ୟ ବିଜେପି ଦୋହରାଇଛି। ବିଜେପି ବିଧାୟକ ପୂର୍ଣ୍ଣ ସେଠି ମଧ୍ୟ ସମାନ ଦାବି ଉଠାଇ କହିଛନ୍ତି ମୁଁ ପୂର୍ବତନ ବିଧାୟକ ଭାବେ ଭୁକ୍ତଭୋଗି। କେତେ ଅସୁବିଧା ହେଉଛି ମୁଁ ନିଜେ ଅନୁଭବ କରିଛି। ସରକାରୀ କର୍ମଚାରୀଙ୍କ ପାଇଁ ବେତନ କମିଶନ ଅଛି କିନ୍ତୁ ବିଧାୟକଙ୍କ ପାଇଁ କେହି ନାହିଁ । କେବଳ ଆମର ମଢେଇ କମିଟି ସାହା ଭରଷା। ପ୍ରତି ଗାଁରେ ବାଦ ବୁଦିଆରେ ନାଟ ହେଉଛି। ବିଧାୟକଟେ ଗଲେ ୧୦ ରୁ ୩୦ ହଜାର ନଦେଲେ ହେଉନି । ତେଣୁ ମୁଁ ଦାବି କରୁଛି ବାଚସ୍ପତି ଭାସ୍କର ମଢେଇଙ୍କ କମିଟିର ସୁପାରିଶକୁ ଗ୍ରହଣ କରି ଜୁନ ମାସରୁ ପିଛିଲା ଭାବେ ଲାଗୁ କରାଯାଉ।

ସୂଚନାନୁଯାୟୀ, କେନ୍ଦ୍ର ସରକାର ମାର୍ଚ୍ଚ ୨୪ରେ ସାଂସଦଙ୍କ ଦରମା ବୃଦ୍ଧି ନେଇ ଘୋଷଣା କରିଥିଲେ। ଏହି ବର୍ଦ୍ଧିତ ଦରମା ୧ ଏପ୍ରିଲ୍ ୨୦୨୩ରୁ ପିଛିଲା ଭାବେ ଲାଗୁ ହେବ। ସାଂସଦମାନେ ଲକ୍ଷେ ଟଙ୍କା ପରିବର୍ତ୍ତେ ୧ ଲକ୍ଷ ୨୪ ହଜାର ଟଙ୍କା ଦରମା ପାଇବେ । ସରକାରଙ୍କ ଦ୍ୱାରା ସାଂସଦଙ୍କ ପେନସନ ଏବଂ ଭତ୍ତା ମଧ୍ୟ ବୃଦ୍ଧି କରାଯାଇଛି । ସଂସଦର ସଦସ୍ୟଙ୍କ ଦରମା, ଭତ୍ତା ଏବଂ ପେନସନ ଆଇନ ୧୯୫୪ ଦ୍ୱାରା ପ୍ରଦତ୍ତ କ୍ଷମତା ବ୍ୟବହାର କରି ଏହି ପରିବର୍ତ୍ତନଗୁଡ଼ିକ କରାଯାଇଛି । ୫ ବର୍ଷ ପରେ, ସାଂସଦଙ୍କ ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ପୂର୍ବରୁ ସାଂସଦଙ୍କ ପେନସନ୍ ୨୫,୦୦୦ ଟଙ୍କା ଥିଲା । ଏବେ ଏହାକୁ ୩୧,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଦୁଇଥର କିମ୍ବା ତିନିଥର ସାଂସଦ ହୋଇଥିବା ସାଂସଦଙ୍କ ଅତିରିକ୍ତ ପେନସନ ୨୦୦୦ ଟଙ୍କାରୁ ୨୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking