ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବଜାର ଦାସସାହିର ଜଣେ ଯୁବକକୁ କୌଣସି କାରଣରୁ ତରାମରା ଗ୍ରାମରେ ଅନ୍ୟକିଛି ଯୁବକଙ୍କ ନିସ୍ତୁକ ମାଡ଼ ପରେ ଆକ୍ରମଣର ଶିକାର ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ଜଣକୁ ଆଣି ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡିଛି । ତେବେ ଘଟଣାରୁ ପ୍ରକାଶଯେ, ଠାକୁରମୁଣ୍ଡା ଦାସସାହିର ଦୁର୍ଯ୍ୟୋଧନ ବାହୁବଳେନ୍ଦ୍ରଙ୍କ ପୁଅ ସନ୍ତୋଷ (୨୫) ସନ୍ଧ୍ୟା ସମୟରେ ତାଙ୍କ ସାଙ୍ଗ ତରାମରା ଗ୍ରାମର ବୀରେନ୍ଦ୍ର ବେହେରାଙ୍କ ଘରକୁ ବୁଲିବାକୁ ଯାଇଥିଲେ। ସାଙ୍ଗରେ ଯାଇ ଥିଲେ ତାଙ୍କ କକାପୁଅ ଗୁରୁଚରଣ ବାହୁବଳେନ୍ଦ୍ର। ଉଭୟ ବୀରେନ୍ଦ୍ରଙ୍କ ପାଖରେ ପହଞ୍ଚିବା ପରେ ମିଳିମିଶି ପତ୍ରତୋଳା ସାହିକୁବାଇକ ଯୋଗେ ଯାଇଥିଲେ । ସେଠାରୁ ଫେରି
ସେମାନେ ତରାମରା ଗ୍ରାମର ହୁଡ଼ିସାହିକୁ ଯାଇ ସେଠାରୁ ଫେରି ରାତି ପ୍ରାୟ ୭ ଟା ପରେ ଗାଁ ଛକରୁ ଠାକୁରମୁଣ୍ଡାକୁ ଫେରିଯିବାକୁ ସେମାନଙ୍କୁ କହି ନିଜ ଘରକୁ ଫେରିଯାଇଥିଲା ବୀରେନ୍ଦ୍ର । ବୀରେନ୍ଦ୍ର ଯିବା ପରେ ସନ୍ତୋଷ ଏବଂ ସ୍ଥାନୀୟ ପିଲାମାନଙ୍କ ସହ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା । ଫଳରେ ସ୍ଥାନୀୟ ପିଲାମାନେ ସନ୍ତୋଷକୁ ମାଡ଼ ଦେଇଥିବାର ଅଭିଯୋଗ ହୋଇଛି । ଗଣ୍ଡଗୋଳ ଖବରପାଇ ତାଙ୍କ ପରିବାର ଲୋକେ ଅଟୋ ଯୋଗେ ତରାମରା ଯାଇ ଆହତ ଅବସ୍ଥାରେ ସନ୍ତୋଷକୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରାତି ପ୍ରାୟ ୧୧ ଟା ବେଳେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ମାତ୍ର ସ୍ଥିତି ଗୁରୁତର ଥିବାରୁ ସନ୍ତୋଷକୁ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା | କରଞ୍ଜିଆ ପହଞ୍ଚିବା ପୁର୍ବରୁ ରାସ୍ତାରେ ସକାଳ ପ୍ରାୟ ୯ ଟା ସମୟରେ ସନ୍ତୋଷର ପ୍ରାଣବାୟୁ ଉଡି ଯାଇଥିଲା । କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ପରେ ପରିବାର ପକ୍ଷରୁ ଠାକୁରମୁଣ୍ଡା ଥାନାରେ ରାତିରେ ଲିଖିତ ଅଭିଯୋଗ କରିଥିଲେ | ଶବକୁ କରଞ୍ଜିଆ ଠାରେ ବ୍ୟବଚ୍ଛେଦ ପରେ ଅଣା ଯାଇଥିଲା । ଶବ ଆଣିବା ପରେ ଠାକୁରମୁଣ୍ଡା ହନୁମାନ ଛକରେ ଶବ ଗାଡିକୁ ରଖି ସମସ୍ତ ଦୋଷୀଙ୍କୁ ଗିରଫ ଦାବିରେ ଗ୍ରାମବାସୀମାନେ ପ୍ରାୟ ୧ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ । ପୋଲିସ ଘଟଣାସ୍ଥଳକୁ ଯାଇ ଅବରୋଧ ଗ୍ରାମବାସୀ ମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ପୋଲିସ ଏହି ଘଟଣାରେ ସାଇଣ୍ଟିଫିକ ଟିମକୁ ସାଙ୍ଗରେ ନେଇ ତଦନ୍ତ ଆରମ୍ଭ କରିଛି । ପୋଲିସ ସନ୍ତୋଷର ବନ୍ଧୁ ବୀରେନ୍ଦ୍ରକୁ ଅଟକରଖି ଆସାମୀଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି । ଖୁବଶୀଘ୍ର ଆସାମୀ ଧରାପଡ଼ିବେ ବୋଲି ପୋଲିସ କହିଛି ।