33.1 C
Bhubaneswar
Thursday, June 5, 2025
Homeଦେଶ ବିଦେଶସାଇଲେଣ୍ଟ ହାର୍ଟ ଆଟାକ୍ ଆଣିପାରେ ଡେଲ୍‌ଟା ଭାରିଆଣ୍ଟ : ରିପୋର୍ଟ

ସାଇଲେଣ୍ଟ ହାର୍ଟ ଆଟାକ୍ ଆଣିପାରେ ଡେଲ୍‌ଟା ଭାରିଆଣ୍ଟ : ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ଭୂତାଣୁ ନିଜ କାୟା ବିସ୍ତାର କରୁଥିବା ବେଳେ ସାମ୍ନାକୁ ଆସିଥିବା ଏକ ଗବେଷଣାଭିତ୍ତିକ ତଥ୍ୟ ସମସ୍ତଙ୍କ ଚିନ୍ତା ବଢ଼ାଇଦେଇଛି । ରିପୋର୍ଟ ଅନୁସାରେ କରୋନା ପରବର୍ତ୍ତୀ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, କୋଭିଡ୍‌-୧୯ର ଡେଲ୍‌ଟା ଭାରିଆଣ୍ଟ ନୀରବ ହୃଦଘାତ ବା ସାଇଲଣ୍ଟ ହାର୍ଟ ଆଟାକ୍‌ର ବିପଦ ସୃଷ୍ଟି କରିପାରେ । କରୋନାର ପୂର୍ବ ଲହରରେ ଚିହ୍ନଟ ହୋଇଥିବା ଭାରିଆଣ୍ଟ ଡେଲ୍‌ଟା ଦ୍ୱାରା ସଂକ୍ରମିତ ରୋଗୀ ସେସମୟରେ ଆରୋଗ୍ୟ ଲାଭ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀ ନୀରବ ହୃଦ୍‌ଘାତର ଶିକାର ହୋଇଥିଲେ । ଏହି ଭାରିଆଣ୍ଟ ଯୋଗୁ ରୋଗୀଙ୍କ ଶରୀରରେ ଅନେକ ପ୍ରକାରର ସମସ୍ୟା ପରିଲକ୍ଷିତ ହୋଇଥାଏ । ତେବେ ସମ୍ପ୍ରତି ଦେଶରେ ବୃଦ୍ଧି ପାଉଥିବା କରୋନା ରୋଗୀଙ୍କ ଠାରେ ଭିନ୍ନ ଭିନ୍ନ ଭାରିଆଣ୍ଟ ଚିହ୍ନଟ ହେଉଥିବା ଦେଖିବାକୁ ମିଳିଛି ।

ଭାରତରେ ଏବେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ବେଳେ ଗତ ସପ୍ତାହକ ମଧ୍ୟରେ କୋଭିଡ ୧୯ର ସକ୍ରିୟ ମାମଲା ୧୦୪୭କୁ ବୃଦ୍ଧି ପାଇଛି । ଏହି ସମୟରେ, କରୋନା ବିଷୟରେ ଏପ୍ରକାର ଏକ ଆଶ୍ଚର୍ଯ୍ୟଜନକ ସୂଚନା ସାମ୍ନାକୁ ଆସିଛି । ଆଇଆଇଟି, ଇନ୍ଦୋର ଏବଂ ଇଣ୍ଡିଆନ କାଉନ୍‌ସିଲ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ପକ୍ଷରୁ ମିଳିତ ଭାବେ କରାଯାଇଥିବା ଏହି ଗବେଷଣାରୁ କରୋନା ବିଷୟରେ ଅନେକ ପ୍ରକାରର ସୂଚନା ପ୍ରଦାନ କରିଛି । ଅଧ୍ୟୟନରୁ ଜଣାପଡିଛି ଯେ କରୋନାର ଡେଲ୍‌ଟା ଭାରିଆଣ୍ଟ ନୀରବ ହୃଦଘାତର ବିପଦ ସୃଷ୍ଟି କରିପାରେ । କରୋନାର ବିଭିନ୍ନ ଭାରିଆଣ୍ଟ ଶରୀରକୁ ଅନେକ ଉପାୟରେ ପ୍ରଭାବିତ କରିପାରେ ବୋଲି ରିସର୍ଚ୍ଚ ରିପୋର୍ଟରେ ଦର୍ଶାଯାଇଛି । ଏଥିପାଇଁ, ଅତି କମ୍‌ରେ ୩୧୩୪ କୋଭିଡ୍ ସଂକ୍ରମିତଙ୍କ ତଥ୍ୟ ବ୍ୟବହାର କରାଯାଇଛି । ଏଥିରେ ପ୍ରଥମ ଏବଂ ଦ୍ୱିତୀୟ ତରଙ୍ଗର କରୋନା ପ୍ରଭାବିତ ବ୍ୟକ୍ତି ଅନ୍ତର୍ଭୁକ୍ତ । ଡେଲ୍‌ଟା ସହିତ, ଆଲଫା, ବିଟା ଏବଂ ଗାମା ଭାରିଆଣ୍ଟକୁ ନେଇ ବି ଗବେଷଣା କରାଯାଇଛି । କୋଭିଡ୍‌ର ଡେଲ୍‌ଟା ଭାରିଆଣ୍ଟ ଫୁସଫୁସ ସହିତ ଅନ୍ୟାନ୍ୟ ଅଙ୍ଗକୁ ମଧ୍ୟ ପ୍ରଭାବିତ କରେ । ଡେଲ୍‌ଟା ଭାରିଆଣ୍ଟ ଜୈବ ରାସାୟନିକ ସନ୍ତୁଳନକୁ ବିଚଳିତ କରେ । ଏହା ସହିତ ଥାଇରଏଡ ହରମୋନ ଉତ୍ପାଦନ ମଧ୍ୟ ପ୍ରଭାବିତ ହୁଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking